ବାରବାଟୀ ମହାସମର ପୂର୍ବରୁ ମଉଜମସ୍ତି : ମଲ୍‌ ବୁଲିଲେ, ମାଛ ପୋଡ଼ା ଖାଇଲେ

ଭୁବନେଶ୍ବର : ରାତି ପାହିଲେ ବାରବାଟୀରେ ମୁହାଁମୁହିଁ ହେବେ ଇଣ୍ଡିଆ-ଇଣ୍ଡିଜ୍‌। ଉଭୟ ଦଳ ସିରିଜ୍‌ରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ଥିବାରୁ ରବିବାର ଚୂଡ଼ାନ୍ତ ମ୍ୟାଚ୍‌କୁ ନେଇ ବଢ଼ୁଛି ଉତ୍କଣ୍ଠା। ଦର୍ଶକଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ଟାଇଟଲ୍‌ ଟକ୍କର ପାଇଁ ନିଜକୁ ପ୍ରସ୍ତୁତ କରି ନେଉଛନ୍ତି। ତା’ ପୂର୍ବରୁ ଆଜି ଉଭୟ ଦଳର ଖେଳାଳିଙ୍କ ପାଇଁ ଥିଲା ବିଶ୍ରାମର ଦିନ। ଆଉ ତାହାର ଭରପୂର୍‌ ଫାଇଦା ଉଠାଇଥିଲେ ଉଭୟ ଦେଶର ଖେଳାଳି। ଭାରତର ଖେଳାଳିମାନେ ଦିନତମାମ ହୋଟେଲରେ ଧୂମ୍‌ ମଜା କରିଥିଲେ। ସୁମିଂ ପୁଲ୍‌ରେ ପହଁରିବା ସହ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ। ଇଣ୍ଡିଜ୍‌ ଦଳର କିଛି ଖେଳାଳି ସପିଂ ମଲ୍‌ ବୁଲିଥିଲେ। ଟ୍ରାକ୍‌ ପ୍ୟାଣ୍ଟ, ସନ୍‌ଗ୍ଲାସ୍‌ କିଣିବା ସହ ସାଧାରଣ ଲୋକଙ୍କ ସହ ସେଲ୍‌ଫି ଉଠାଇଥିଲେ।

ଯାହା ଦରକାର ଥିଲା, ମିଳିଗଲା…
‘ଗୋଟିଏ ଦିନର ଛୁଟି ଏବଂ ଅପରାହ୍‌ଣରେ ସାଥୀ ଖେଳାଳିଙ୍କ ସହ ମସ୍ତି; ଯାହା ଆମକୁ ନିହାତି ଆବଶ୍ୟକ ଥିଲା’। ହୋଟେଲ ମେ’ ଫେୟାରରେ ରହଣି ଅବସରରେ ଆଜି ବିରାଟ କୋହଲି ନିଜର ଟ୍ବିଟର୍‌ ଆକାଉଣ୍ଟରେ ଏଭଳି ଉଲ୍ଲେଖ କରିଛନ୍ତି। ହୋଟେଲ ଭିତରେ ଇଣ୍ଡିଆର ଖେଳାଳିମାନେ ନିଜ ନିଜ ମଧ୍ୟରେ ଥଟ୍ଟାମଜା କରୁଥିବା ବେଳେ ଖାଇବା ବେଳର ଏକ ମସ୍ତିଭରା ଫଟୋ ଛାଡ଼ିଛନ୍ତି କ୍ୟାପଟେନ୍‌ କୋହଲି। ମଧ୍ୟାହ୍ନ ଭୋଜନ କଲା ବେଳେ ଏହି ଫଟୋ ଛାଡ଼ି ଓଡ଼ିଶାରେ ଧୂମ ମସ୍ତି କରୁଥିବା କୋହଲି ଜଣାଇଛନ୍ତି। କୋହଲି ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଶ୍ରେୟସ୍ ଆୟର୍‌, ଲୋକେଶ ରାହୁଲ୍‌, ଋଷଭ ପନ୍ତ, ଲୋକେଶ ରାହୁଲ୍‌, ୟୁଜବେନ୍ଦ୍ର ଚହଲ୍‌, ମନୀଷ ପାଣ୍ଡେ, ରବୀନ୍ଦ୍ର ଜା‌ଦେଜା ଓ କେଦାର ଯାଦବ ଅଛନ୍ତି।

ସନ୍‌ ଗ୍ଲାସ୍‌ କିଣିଲେ: ୱେଷ୍ଟଇଣ୍ଡିଜ୍‌ ଦଳର କିଛି ଖେଳାଳି ଆଜି ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ମଲ୍‌ରେ ମାର୍କେଟିଂ କରିଥିଲେ। ଦଳର ସୁନୀଲ ଅମ୍ବ୍ରିସ୍‌, ଦ୍ରୁତ ବୋଲର ଜେସନ୍ ହୋଲ୍ଡର୍‌ କିଛି ବ୍ରାଣ୍ଡେଡ୍‌ ସୋ’ ରୁମ୍‌ରୁ ଟ୍ରାକ୍‌ ପ୍ୟାଣ୍ଟ କିଣିଥିଲେ। ଟିମ୍‌ର ବୋଲିଂ କୋଚ୍‌ଙ୍କ ସମେତ ସର୍ପୋଟ୍ ଷ୍ଟାଫ୍ ମଧ୍ୟ ମଲରେ ବୁଲି ଖୁବ୍ ମଜା ଉଠାଇଥିଲେ। ତେବେ ଖେଳାଳିଙ୍କୁ ପାଖ‌ରେ ପାଇ ମଲ୍‌ରେ ଥିବା ଗ୍ରାହକମାନେ ମଧ୍ୟ ଉତ୍ସାହିତ ହୋଇପଡ଼ିଥିଲେ। ସେମାନଙ୍କ ସହ ସେଲ୍‌ଫି ନେବାକୁ ପଛାଇ ନ ଥିଲେ।

ଜିମ୍‌ରେ ଝାଳ ବୁହାଇଲେ: ବିଶ୍ରାମ ଦିନ ଥିବାରୁ ଆଜି ଉଭୟ ଦେଶର ଖେଳାଳି ବହୁ ସମୟ ଧରି ଜିମ୍‌ରେ ଝାଳ ବୁହାଇଥିଲେ। ସକାଳେ ଓ ସନ୍ଧ୍ୟାରେ ଖେଳାଳିମାନେ ହୋଟେଲ‌ ଜିମ୍‌ରେ କସରତ କରିଥିଲେ। ଭାରତୀୟ ଖେଳାଳିମାନେ ସକାଳେ ହୋଟେଲର ଇନ୍‌ଡୋର ଜଗିଙ୍ଗ୍‌ ଟ୍ରାକ୍‌ରେ ଦୌଡ଼ିଥିଲେ। ସ୍ପା’ର ମଜା ଉଠାଇଥିଲେ। ସମସ୍ତ ଖେଳାଳି ମଧ୍ୟାହ୍ନରେ ସୁଇମିଂ ପୁଲ୍‌ରେ ପରସ୍ପରକୁ ଥଟ୍ଟା ମଜା କରୁଥିବା ଦେଖିବାକୁ ମିଳିଥିଲା।

୮୫ ରୁମ୍‌ରେ ରହୁଛନ୍ତି, ୮୫% କର୍ମଚାରୀ ନିୟୋଜିତ
ପ୍ରଥମଥର ପାଇଁ କୌଣସି ମ୍ୟାଚ୍‌ ଅବସରରେ ଉଭୟ ଦେଶର ଖେଳାଳି ୫ ଦିନ ଧରି ହୋଟେଲ ମେ’ ଫେୟାରରେ ରହୁଛନ୍ତି। ଗତକାଲିଠାରୁ ପହଞ୍ଚିଥିବା ଉଭୟ ଦେଶର ଖେଳାଳି ଓ ଷ୍ଟାଫ୍‌ମାନେ ହୋଟେଲ୍‌ର ୮୫ଟି ରୁମ୍‌ରେ ରହୁଥିବା ବେଳେ ସେମାନଙ୍କୁ ସେବା ଯୋଗାଇବା ଲାଗି ‌ହୋଟେଲର ୮୫ ପ୍ରତିଶତ ଷ୍ଟାଫ୍‌ ଲାଗି ପଡ଼ିଛନ୍ତି। ଆଗକୁ ବଡ଼ଦିନ ଥିବାରୁ ହୋଟେଲ ପରିସରକୁ ସ୍ବତନ୍ତ୍ର ଆଲୋକମାଳାରେ ସଜ୍ଜିତ କରାଯାଇଛି। ୨୨ ତାରିଖରେ ସିରିଜ୍‌ର ଶେଷ ମ୍ୟାଚ୍‌ ଥିବାରୁ କିଛି ଖେଳାଳି ଓଭର-‌‌‌ଷ୍ଟେ’ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। କାରଣ ପୂର୍ବରୁ ବି ଏମିତି ଅନେକ ଖେଳାଳି ସିରିଜ୍‌ ସରିବା ପରେ ଏହି ‌ହୋଟେଲ୍‌ରେ ଓଭର-ଷ୍ଟେ’ କରିଥିବା ମେ’ ଫେୟାରର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୌଭାଗ୍ୟ ମହାପାତ୍ର କହିଛନ୍ତି।

ମାଛ ପୋଡ଼ା ଖାଇଲେ: ହୋଟେଲ ମେ’ ଫେୟାରରେ ରହିବା ଅବସରରେ ଆଜି ମଧ୍ୟାହ୍ନରେ ଭାରତୀୟ ଖେଳାଳିମାନେ ମାଛ ‌ପୋଡ଼ା ଖାଇଥିଲେ। ଅଧିନାୟକ ବି‌ରାଟ କୋହଲିଙ୍କ ସମେତ ସାଥୀ ଖେଳାଳିମାନେ ଏକାଠି ହୋଇ ଖାଇବାର ମଜା ଉଠାଇଥିଲେ। ‌ସେମାନଙ୍କ ମଧ୍ୟରୁ କିଛି ଚାଓମିନ୍‌ ଖାଇଥିଲେ। ତେବେ ଉଭୟ ଦେଶର ଖେଳାଳିମାନଙ୍କ ପାଇଁ ମଧ୍ୟାହ୍ନ ଓ ରାତିରେ ଅଲଗା ଅଲଗା ଖାଦ୍ୟ ପରସା ଯାଇଥିଲା।

ଖେଳାଳିଙ୍କୁ ଦେଖିବେ ବୋଲି… ମେ’ ଫେୟାରରେ ରହୁଥିବା‌ ଉଭୟ ଦେଶର ଖେଳାଳିଙ୍କୁ ଦେଖିବା ପାଇଁ ଆଜି ବି ହୋଟେଲ ମେ’ ଫେୟାର ବାହାରେ ପ୍ରଶଂସକଙ୍କ ଗହଳି ଦେଖିବାକୁ ମିଳିଥିଲା। ଆଜି ଅଭ୍ୟାସ ନ ଥିବା ଜାଣିଥିଲେ ମଧ୍ୟ କାଳେ ଖେଳାଳି ପଦାକୁ ଆସିବେ, ସେଥିପାଇଁ କିଛି ପ୍ରଶଂସକ ଘଣ୍ଟା ଘଣ୍ଟା ଧରି ଚାତକ ପରି ଚାହିଁ ରହିଥିଲେ। ତେବେ ୱେଷ୍ଟଇଣ୍ଡିଜ୍‌ର କିଛି ଖେଳାଳି ମାର୍କେଟିଂ ପାଇଁ ବାହାରକୁ ଆସିଥିବା ବେଳେ ସେମାନଙ୍କୁ ଦେଖି ପ୍ରଶଂସକମାନେ ଉତ୍ସାହିତ ହୋଇଥିଲେ।

ସମ୍ବନ୍ଧିତ ଖବର