ଭୁବନେଶ୍ବର: ତଥ୍ୟକୁ ନେଇ ବିଚଳିତ ହେବା କି ଭୟ କରିବା ଉଚିତ୍‌ ନୁହେଁ। କାରଣ ତଥ୍ୟରେ କିଛି ଅଧିକ ବା କମ୍‌ କରି ଦେଖାଇ ହୋଇପାରେ। ତଥ୍ୟ ମିଛ ହେଉ କି ସତ, ଆମକୁ ତାହା ଉପରେ ତର୍ଜମା କରିବା ଦରକାର। ତା’ ହେଲେ ଆମ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଚିହ୍ନଟ କରି ସୁଧାର ଆଣିପାରିବା। ଆଜି ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାରେ ରାଜ୍ୟ ଅପରାଧ ଓ ପୁଲିସିଂ ବ୍ୟବସ୍ଥାର ଗବେଷଣା ତଥ୍ୟକୁ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

Advertisment

ଏହି ଅବସରରେ ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇର ମିଳିତ ଉଦ୍ୟମରେ ୨୦୧୭ ମେ’ରୁ ୨୦୧୮ ମଧ୍ୟରେ କଟକ, ଯାଜପୁର, କନ୍ଧମାଳ ଓ ଭୁବନେଶ୍ବର ପୁଲିସ ଜିଲ୍ଲାର ଥାନାଗୁଡ଼ିକରେ ଅପରାଧ ସଂଖ୍ୟା ଓ ପୁଲିସିଂ ବ୍ୟବସ୍ଥାକୁ ନେଇ ତଥ୍ୟ ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବରେ ଯୋଗ ଦେଇ ବିଧାୟକ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଥାନାଗୁଡ଼ିକରେ ମାମଲା ବଢ଼ି ଯାଇଛି। ଏହାର ଅର୍ଥ ପୁଲିସ ସେତିକି ସଚେତନ ଓ ଦାୟିତ୍ବବାନ ହୋଇଛି। ଲୋକମାନଙ୍କର ପୁଲିସ ଉପରେ ଭରସା ବଢ଼ିଛି। ରାଜ୍ୟ ସରକାର ‘୫-ଟି’ ଲାଗୁ କରିଛନ୍ତି। ଥାନାରେ ଅଭିଯୋଗ କଲେ ନିଶ୍ଚିତ ପୁଲିସ ମାମଲା ରୁଜୁ କରିବ। ଆମେ ନ୍ୟାୟ ପାଇବୁ। ପୂର୍ବରୁ ଲୋକଙ୍କର ଭରସା ନଥିଲା ଯେ ପୁଲିସ ଏତଲା ଦାୟର୍‌ କରିବ କି ନାହିଁ। ଏହାଛଡ଼ା ଥାନାକୁ ଯିବା ପାଇଁ ଲୋକମାନଙ୍କ ପାଖରେ ସେତିକି ସମୟ ନଥିଲା। ହେଲେ ଏବେ ଲୋକମାନଙ୍କ ପାଖରେ ସମୟ ଅଛି। ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ଥାନାରେ ଅଭିଯୋଗ କରୁଛନ୍ତି। ଏହା ବିରୋଧୀଙ୍କ ପାଇଁ ଏକ ଉପଯୁକ୍ତ ସମୟ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଆହ୍ବାନର ସହ ନେବା ଦରକାର ଯେ ପୁଲିସ ପ୍ରକୃତରେ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖୁଛି ନା ନାହିଁ। ଲୋକମାନେ ଥାନା‌ରୁ ନ୍ୟାୟ ପାଉଛନ୍ତି ନା ନାହିଁ। ସେମାନେ ଏହାର ତର୍ଜମା କରିପାର‌ବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟପଟେ ଉଭୟ ସଂସ୍ଥା ପକ୍ଷରୁ ୪ଟି ଜିଲ୍ଲାର ଥାନାଗୁଡ଼ିକୁ ନେଇ କରାଯାଇଥିବା ଗବେଷଣା ତଥ୍ୟରେ ଦର୍ଶାଯାଇଛି ଯେ ୨୦୧୭ରେ ୧୭୦୮୨ଟି ଅଭିଯୋଗ ଏବଂ ୨୦୧୮ ଜାନୁଆରି-ମେ’ ମଧ୍ୟରେ ୬୯୯୯ଟି ଅଭିଯୋଗ ଦାଖଲ ହୋଇଛି। ଚୋରି, ଦୁଷ୍କର୍ମ, ନାରୀ ନିର୍ଯାତନା, ଅପହରଣ ଭଳି ବହୁ ସଂଗିନ୍‌ ମାମଲା ରହିଛି। ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ବହୁ ଅଭି‌ଯୋଗ ରହିଛି। ତେ‌ବେ ଥାନା ଅଧିକାରୀଙ୍କ ବିରୋଧରେ ସବୁଠାରୁ ଅଧିକ ଅଭିଯୋଗ ରହିଛି। ସେହିପରି ଥାନାଗୁଡ଼ିକରେ ଭିତ୍ତିଭୂମି ଦୁର୍ବଳ ରହିଛି। ସାଧାରଣ ଲୋକଙ୍କ ପାଇଁ ଶୌଚାଳୟ ନାହିଁ। ଏଭଳି ଅନେକ ତଥ୍ୟ ରହିଛି। ୨୦୧୭ ମସିହାରେ ଭୁବନେଶ୍ବରରେ ସର୍ବାଧିକ ୭୩୩୦ଟି ଏବଂ ୨୦୧୮ ଜାନୁଆରି-ମେ’ ମଧ୍ୟରେ ୩୦୨୮ଟି ଆପରାଧିକ ଅଭିଯୋଗ ଦାୟର୍‌ ହୋଇଛି। ସହିଦନଗର ଥାନାରେ ସର୍ବାଧିକ ୮୬୧ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ଖଣ୍ଡଗିରି ଥାନାରେ ସର୍ବାଧିକ ୬ଟି ହତ୍ୟା ଓ ୪୩ଟି ଲୁଟ୍‌ ଏବଂ କ୍ୟାପିଟାଲ୍‌ ଥାନାରେ ୨୩୨ଟି ଚୋରି ମାମଲା ରୁଜୁ ହୋଇଛି। ଏହା ପଛକୁ ରହିଛି ଯାଜପୁର। ୨୦୧୭ ମସିହାରେ ସର୍ବାଧିକ ୪୫୪୬ଟି ଏବଂ ୨୦୧୮ ଜାନୁଆରି-ମେ’ ମଧ୍ୟରେ ୧୭୧୧ଟି ଆପରାଧିକ ମାମଲା ରୁଜୁ ହୋଇଛି। ଧର୍ମଶାଳା ଥାନାରେ ସର୍ବାଧିକ ୮୧୬ଟି ଏବଂ ବିଞ୍ଝାରପୁର ଥାନାରେ ୫୫୬ଟି ଆପରାଧିକ ମାମଲା ରୁଜୁ ହୋଇଛି। ସେହିପରି ୨୦୧୭ ମସିହାରେ କଟକରେ ସର୍ବାଧିକ ୩୮୭୯ଟି ଏବଂ ୨୦୧୮ ଜାନୁଆରି-ମେ’ ମଧ୍ୟରେ୧୬୯୩ଟି ଆପରାଧିକ ମାମଲା ରୁଜୁ ହୋଇଛି। ଚୌଦ୍ବାର ଥାନାରେ ସର୍ବାଧିକ ୭୨୮ଟି ଓ ବାଦାମବାଡ଼ି ଥାନାରେ ୫୧୦ଟି ଆପରାଧିକ ମାମଲା ରୁଜୁ ହୋଇଛି। ସବୁଠୁ ନିମ୍ନରେ ରହିଛି କନ୍ଧମାଳ। ୨୦୧୭ ମସିହାରେ ସର୍ବାଧିକ ୧୩୨୭ଟି ଏବଂ ୨୦୧୮ ଜାନୁଆରି-ମେ’ ମଧ୍ୟରେ ୫୬୭ଟି ଆପରାଧିକ ଅଭିଯୋଗ ଦାଖଲ ହୋଇଛି। ଟାଉନ୍‌ ଥାନାରେ ସର୍ବାଧିକ ୪୯୭ ଓ ବାଲିଗୁଡ଼ା ଥାନାରେ ୨୨୯ଟି ଆପରାଧିକ ମାମଲା ରହିଛି।

ସିଏସ୍‌ଏନ୍‌ଆରର ନିର୍ଦେଶକ ଧୀରେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତଥ୍ୟ ଉନ୍ମୋଚନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀକ୍ରିଷ୍ଣା ଦେବ ରାଓ ଯୋଗଦେଇ ମତ ରଖିଥିଲେ। କାର୍ଯ୍ୟକ୍ରମରେ ସିଏଚ୍‌ଆର୍‌ଆଇର ଦେବିକା ପ୍ରସାଦ ଯୋଗଦେଇ ତଥ୍ୟ ଉପରେ ଆଲୋଚନା କରିଥିଲେ। ସେହିପରି ସିଏସ୍‌ଏନ୍‌ଆର୍‌ର କାର୍ଯ୍ୟକ୍ରମ ସଂଯୋଜକ ପ୍ରଜ୍ଞାପାରମିତା ଜେନା ଓ ସୂଚନ ଅଧିକାର ଆଇନ ବିଶେଷଜ୍ଞ ପ୍ରକାଶ କୁମାର ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିାଚଳନା କରିଥିଲେ। ଏହି ଦୁଇ ସଂସ୍ଥା ପକ୍ଷରୁ ୨୦୧୫ ଏପ୍ରିଲ୍‌ରୁ ୨୦୧୬ ମାର୍ଚ୍ଚ ମଧ୍ୟରେ ଭୁବନେଶ୍ବର ଓ କଟକ ସହରାଞ୍ଚଳ ପୁଲିସ୍‌ ଥାନାଗୁଡ଼ିକରେ ଅପରାଧ ଏବଂ ପୁଲିସିଂ ବ୍ୟବସ୍ଥା ଉପରେ ଏକ ଶ୍ବେତପତ୍ର ଜାରି ହୋଇଥିଲା।