ନାବାଳିକା ଗଣଦୁଷ୍କର୍ମ ମାମଲା ହାଜର ହେଲେ କ୍ରାଇମବ୍ରାଞ୍ଚ ଏଡିଜି, ଷ୍ଟାଟସ୍ ରିପୋର୍ଟ ଦାଖଲ

କଟକ: ଲକ୍‌ଡାଉନ ସମୟରେ ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତର ଅଗ୍ରଗତି ନେଇ ଆଜି ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ତଦନ୍ତର ଷ୍ଟାଟସ୍ ରିପୋର୍ଟ ବନ୍ଦ ଲଫାପାରେ ହାଇକୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ତଦନ୍ତ ଜାରି ରହିଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି।

ମାମଲାର ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ। ମାମଲାର ଶୁଣାଣି ସମୟରେ ଜନସ୍ବାର୍ଥ ମାମଲାର ଆବେଦନକାରୀ ଆଇନଜୀବୀ ଗୌତମ ସିଦ୍ଦିକି ଦର୍ଶାଇଥିଲେ ଯେ ତାଙ୍କ ଘର ନିକଟରେ କେତେକ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବୁଲୁଛନ୍ତି। ପରିବାରର ସୁରକ୍ଷାକୁ ନେଇ ଚିନ୍ତିତ ବୋଲି ସେ ଦର୍ଶାଇଥିଲେ। ଆଇନଜୀବୀ ଗୌତମଙ୍କୁ ସୁରକ୍ଷା ପ୍ରଦାନ ଲାଗି ବ୍ୟବସ୍ଥା କରିବାକୁ ହାଇକୋର୍ଟ ଆଜି ଆଡଭୋକେଟ ଜେନେରାଲଙ୍କୁ କହିଥିଲେ। ଏ ନେଇ ଆଇନଜୀବୀ ଗୌତମ ସୂଚନା ଦେଇଛନ୍ତି। ଏଥିସହିତ ଏ ସଂପର୍କିତ ଦୁଇ ଆବେଦନର ଆସନ୍ତା ଜାନୁଆରି ୧୩ରେ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୯ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ନଭେମ୍ବର ୧୮ରେ ପୁଲିସ ଡିଜିଙ୍କୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୧୮ରେ ପୁଲିସ ଡିଜି ଅଭୟ ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତର ଅଗ୍ରଗତି ସଂପର୍କରେ ସତ୍ୟପାଠ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର