ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମ୍‌ ବ୍ରାଞ୍ଚ, କଡ଼ ଲେଉଟାଇଲା ଅଜିତ ନିଖୋଜ ମାମଲା

ବାଲିଅନ୍ତା/ବାଲିପାଟଣା: ପୁଣି ଚର୍ଚ୍ଚାକୁ ଆସିଛି ସୁରବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମ। ମୁଖିଆ ସୁରବାବାଙ୍କ ମୃତ୍ୟୁ ପରେ ବି ସଂଗିନ୍‌ ଅପରାଧିକ ମାମଲା ଆଶ୍ରମର ପିଛା ଛାଡ଼ୁନି। ୧୦ ବର୍ଷ ତଳର ଅଜିତ ସେନାପତି ନିଖୋଜ ମାମଲା ପୁଣି କଡ଼ ଲେଉଟାଇଛି। ଆଜି ଛାନ୍‌ଭିନ୍ ଆରମ୍ଭ କରିଛି କ୍ରାଇମ୍‌ ବ୍ରାଞ୍ଚ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଆଜି ବାଲିଅନ୍ତା ବ୍ଲକ ଅଧୀନ ଝିଣ୍ଟିଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ଖୋଳତାଡ୍‌ ଆରମ୍ଭ କରିଛି। ଡିଏସ୍‌ପି ଦେବଦତ୍ତ ଚକ୍ରଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ୍‌ ଆଶ୍ରମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ପ୍ରଥମେ ସ୍ବର୍ଗତ ସୁରବାବାଙ୍କ ବାସଭବନରେ ପହଞ୍ଚି ବଡ଼ ପୁଅ ତ୍ରିଲୋଚନ ମିଶ୍ରଙ୍କୁ ଅଜିତ ନିଖୋଜ ସଂପର୍କରେ ଦୀର୍ଘ ସମୟ ଧରି ପଚରାଉଚରା କରିଛି। ଏହା ପରେ ଆଶ୍ରମର କିଛି ଅନ୍ତେବାସୀଙ୍କୁ ମଧ୍ୟ ପଚରାଉଚରା କରିଛି। ତଦନ୍ତକାରୀ ଅଧିକାରୀମାନେ ସନ୍ଦିଗ୍ଧ ପୋଥି ଗୃହ, ମୁଖ୍ୟ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର ଏବଂ ଶିବ ମନ୍ଦିର ପରିସର ବୁଲି ଖୋଳତାଡ୍‌ କରିଛନ୍ତି।

ସୂଚନାନୁସାରେ ୨୦୧୧ ମସିହାରେ ଏହି ଆଶ୍ରମର ଅନ୍ତେବାସୀ ଅଜିତ ସେନାପତି ହଠାତ୍ ନିଖୋଜ ହୋଇ ଯାଇଥିଲେ। ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳର ମାୟାଧର ସେନାପତିଙ୍କ ପୁଅ ଅଜିତ ଏହି ଆଶ୍ରମର ଅନ୍ତେବାସୀ ଥିଲେ। ୨୦୧୦ ମସିହା ଡିସେମ୍ବର ୧୦ରେ ଗାଁକୁ ଚାଲିଯାଇଥିଲେ। ତେବେ ୨୦୧୧ ମସିହାରେ ସେ ପୁଣି ଆଶ୍ରମକୁ ଫେରି ଆସିଥିଲେ ଓ ଏହା ପରେ ସନ୍ଦେହଜନକ ଭାବେ ସେ ଆଶ୍ରମରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ସେତେବେଳେ ପୁଲିସ ମାମଲାକୁ ପୂରା ହାଲୁକା ଭାବେ ନେଇଥିଲା। ସୁର ବାବାଙ୍କ ପ୍ରଭାବ ଲାଗି ଅଜିତଙ୍କ ପରିବାରର ଅଭିଯୋଗ ପୁଲିସ ଫାଇଲ୍‌ରେ ଚାପି ହୋଇଯାଇଥିଲା। ତେଣୁ ଅଜିତଙ୍କ ବଡ଼ ଭାଇ ଜିତେନ୍ଦ୍ର ଏନେଇ କ୍ରାଇମ୍‌ ବ୍ରାଞ୍ଚରେ ମଧ୍ୟ ଅଭିଯୋଗ କରିଥିଲେ। ତେବେ ପୁଲିସ ତଦନ୍ତରେ ବିଳମ୍ବ ହେବାରୁ ଅଜିତଙ୍କ ବାପା ଓ ଭାଇ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ମାମଲାକୁ ଗ୍ରହଣ କରି ତଦନ୍ତଭାର କ୍ରାଇମ୍‌ ବ୍ର‌ାଞ୍ଚକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜିଠାରୁ ପୁଣି ଏହି ମାମଲାର ଛାନ୍‌ଭିନ୍ ଆରମ୍ଭ ହୋଇଛି। ଫଳରେ ଅଜିତ ନିଖୋଜ ମାମଲା ପୁଣି ସତେଜ ହୋଇଛି ଓ କ୍ରାଇମ୍‌ ବ୍ରାଞ୍ଚ ଏହି ମାମଲାରୁ କି ଫଳାଫଳ ପାଉଛି, ତାହାକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ୨୦୧୫ ଅଗଷ୍ଟରେ ଏହି ଆଶ୍ରମ ବିରୋଧରେ ସ୍ଥାନୀୟ ଲୋକେ ମାତି ଉଠିଥିଲେ। ଲୋକଙ୍କ ଭିତରେ ଥିବା ଦୀର୍ଘ ଦିନର ପୁଞ୍ଜିଭୂତ କ୍ରୋଧ ପ୍ରତିଫଳିତ ହୋଇଥିଲା ଓ ଲୋକେ ଆଶ୍ରମରେ ପଶି ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଆଶ୍ରମରେ କୁଖ୍ୟାତ ଅପରାଧୀମାନଙ୍କୁ ଆଶ୍ରୟ ଦିଆଯାଉଥିବା, ଅନ୍ତେବାସୀଙ୍କୁ ହତ୍ୟା କରି ଚପେଇ ଦିଆଯାଉଥିବା ଓ ଜମି ହଡ଼ପ କରାଯାଉଥିବା ଭଳି ବହୁ ସଂଗିନ୍ ଅଭିଯୋଗ ଆଣି ସ୍ଥାନୀୟ ଲୋକେ ଗଣ୍ଡଗୋଳ କରିଥିଲେ। ହତ୍ୟା, ଜମି ଠକେଇ ଓ ମହିଳାଙ୍କୁ ଯୌନ ନିର୍ଯାତନା ଦିଆ ଯାଇଥିବା ଅଭିଯୋଗ ଆସିଥିଲା। ତେଣୁ ରାଜ୍ୟ ସରକାର ତଦନ୍ତଭାର କ୍ରାଇମ୍‌ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ତେଣୁ ସେତେବେଳେ ଆଶ୍ରମ ମୁଖିଆ ସୁରବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ରଙ୍କ ସମେତ ତାଙ୍କର ଦୁଇ ପୁଅ ତ୍ରିଲୋଚନ ମିଶ୍ର ଏବଂ ବିରଞ୍ଚି ନାରାୟଣ ମିଶ୍ରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ୨୦୧୭ ମସିହା ଡିସେମ୍ବରରେ ସୁରବାବାଙ୍କୁ ଜାମିନ୍‌ ମିଳିଥିଲା ଓ ୨୦୨୦ ମସିହା ଡିସେମ୍ବର ୬ରେ ସେ ପ୍ରାଣତ୍ୟାଗ କରିଥିଲେ। ସୁରବାବାଙ୍କ ମୃତ୍ୟୁ ପରେ ବହୁ ମାମଲା ସେମିତି ରହସ୍ୟ ହୋଇ ରହିଯିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଏବେ ଅଜିତ ନିଖୋଜ ମାମଲା ଫାଇଲ୍‌ ପୁଣି ଖୋଲିଛି। ତେଣୁ ତାଙ୍କ ପତ୍ତା ମିଳିଗଲେ, ଆଶ୍ରମରେ ଚାଲିଥିବା ଅନେକ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଆଶା କରାଯାଉଛି। କିନ୍ତୁ ଦୀର୍ଘ ୧୦ ବର୍ଷ ବିତି ସାରିଥିବାରୁ ଅଜିତଙ୍କୁ ଠାବ କରିବା କ୍ରାଇମ୍‌ ବ୍ରାଞ୍ଚ ପାଇଁ ସହଜ ହେବ ନାହିଁ ବୋଲି କୁହାଯାଉଛି। ଆଜି କ୍ରାଇମ୍‌ ବ୍ରାଞ୍ଚ ଟିମ୍‌କୁ ଏସିପି ରଜତ ରାୟ, ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଓ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର