କ୍ରାଇମବ୍ରାଞ୍ଚର ସତର୍କବାଣୀ: ହ୍ୟାକ୍ ହେଉଛି ବ୍ୟାଙ୍କ୍ ଆକାଉଣ୍ଟ

କଟକ: ନକଲି କୋ-ୱିନ୍‌ ଆପ୍ଲିକେସନ୍ ଭଳି ଏବେ ବ୍ୟାଙ୍କ ଗ୍ରାହକଙ୍କ କେୱାଇସି ଅପଡେଟ୍ ପାଇଁ ଖୋଲିଛି ନକଲି ୱେବ୍‌ସାଇଟ। କରୋନା କାଳରେ କେୱାଇସି ଅପଡେଟ୍ ପାଇଁ ଗ୍ରାହକ ବ୍ୟାଙ୍କ୍ ଯିବାକୁ ସୁରକ୍ଷିତ ମନେ କରୁନଥିବାରୁ ଏବେ ଏହାର ଫାଇଦା ନେଉଛନ୍ତି ସାଇବର ଅପରାଧୀ। ଅନଲାଇନ୍‌ରେ ଘରେ ବସି କେୱାଇସି ଅପଡେଟ୍ କରିବା ପାଇଁ ଗ୍ରାହକଙ୍କ ମୋବାଇଲକୁ ଆସୁଛି ମେସେଜ୍। ଅବିକଳ ବ୍ୟାଙ୍କ ୱେବ୍‌ସାଇଟ୍ ଭଳି ଦେଖାଯାଉଥିବା ଏକ ୱେବ୍‌ସାଇଟ୍ ଲିଙ୍କ୍ ଖୋଲିବାକୁ କୁହାଯାଉଛି। ଏହି ଲିଙ୍କ୍‌ ଖୋଲି ଗ୍ରାହକ ନିଜର ସମସ୍ତ ବ୍ୟାଙ୍କ ସଂକ୍ରାନ୍ତ ଗୋପନୀୟ ତଥ୍ୟ ଦାଖଲ କରିବା ପରେ ସମସ୍ତ ଟଙ୍କା ଗାଏବ ହୋଇଯାଉଛି। କରୋନା କାଳରେ ସାଇବର୍ ଅପରାଧୀଙ୍କ ଏ ପ୍ରକାର କୌଶଳରୁ ବର୍ତ୍ତିବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଏବେ ସତର୍କ ସୂଚନା ଜାରି କରିଛି।

ସୂଚନା ଅନୁଯାୟୀ, ବ୍ୟାଙ୍କରେ ଭିଡ଼ ହେଉଥିବାରୁ ଅନେକ ଗ୍ରାହକ କେୱାଇସି ଅପଡେଟ୍ ପାଇଁ କରୋନା ସମୟରେ ବ୍ୟାଙ୍କ ଯିବାକୁ ସୁରକ୍ଷିତ ଭାବୁ ନାହାନ୍ତି। ଏଭଳି ସୁଯୋଗର ହାତଛଡ଼ା କରୁନାହାନ୍ତି ସାଇବର୍ ଅପରାଧୀ। ଘରେ ବସି କେୱାଇସି ଅପଡେଟ୍ କରିବା ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଇ-ମେଲ, ମେସେଜ ଏବଂ ଫୋନ୍ କଲ୍ କରୁଛନ୍ତି ସାଇବର ଅପରାଧୀ। ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କ ନିକଟକୁ ଏପ୍ରକାର ଫୋନ୍ କଲ୍ ଅଧିକ ଆସୁଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏକ ୱେବସାଇଟ ଲିଙ୍କ୍ http://Pleasehelp.co.in”Pleasehelp.co.in ଖୋଲିବାକୁ ଫୋନ୍ କରିଥିବା ବ୍ୟକ୍ତି ଜଣକ କହୁଛି। ଏହି ଲିଙ୍କ୍ କ୍ଲିକ୍ କଲେ, ଅବିକଳ ଷ୍ଟେଟବ୍ୟାଙ୍କର୍ ‘ଅନଲାଇନ୍‌ କେୱାଇସି କେନ୍ଦ୍ର’ ନାଁରେ ଏକ ନକଲି ପେଜ୍ ଖୋଲୁଛି। ଏହି ପେଜ୍ ଖୋଲିବା ପରେ ଗ୍ରାହକଙ୍କ ମୋବାଇଲ୍ ନମ୍ବର, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଆଇଡି, ଲଗଇନ୍ ପାସୱାର୍ଡ ଓ ପ୍ରୋଫାଇଲ୍ ପାସ୍‌ୱାର୍ଡ ଦେବାକୁ କୁହାଯାଉଛି। ଏହାଜଣେ ବ୍ୟାଙ୍କ୍ ଗ୍ରାହକର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଗୋପନୀୟ ତଥ୍ୟ। କିନ୍ତୁ କେୱାଇସି ଅପଡେଟ୍ ନାଁରେ ସାଇବର ଅପରାଧୀ ଏଭଳି ଗୋପନୀୟ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ କ୍ରାଇମବ୍ରାଞ୍ଚରେ ପହଞ୍ଚିବା ପରେ ଗ୍ରାହକଙ୍କୁ ସତର୍କ କରିବା ପାଇଁ ଜିଲ୍ଲାସ୍ତରରେ ପୁଲିସ ଅଧିକାରୀଙ୍କୁ ଏ ନେଇ ପରାମର୍ଶ ଦିଆଯାଇଛି।

ଏହି ତଥ୍ୟ ନେବା ପରେ ସାଇବର ଅପରାଧୀ ଉକ୍ତ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ହ୍ୟାକ୍ କରି ନିଜ ନିୟନ୍ତ୍ରଣରେ ରଖି ଟଙ୍କା ଉଠାଉଛି। ବ୍ୟାଙ୍କ ତରଫରୁ କେୱାଇସି ଅପଡେଟ୍ ପାଇଁ କୌଣସି ପ୍ରକାର ଲିଙ୍କ୍ ଗ୍ରାହକଙ୍କୁ ଦିଆଯାଉନଥିବା ବେଳେ ଏଭଳି ଅଜଣା ଲିଙ୍କରେ ବ୍ୟାଙ୍କ୍ ସଂକ୍ରାନ୍ତ ବ୍ୟକ୍ତିଗତ ତଥ୍ୟ ନଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି। ଅନ୍ୟପଟେ କରୋନା ଟିକାକରଣ ପାଇଁ ସ୍ଲଟ୍ ବୁକିଂ ସମସ୍ୟା ହେଉଥିବାରୁ ସାଇବର୍ ଅପରାଧୀମାନେ ଅବିକଳ କୋ-ୱିନ୍ ଆପ୍ଲିକେସନ୍ ଭଳି ଏକ ନକଲି ଆପ୍ଲିକେସନ୍ ‘ଭାକ୍ସିନ୍ ରେଜିଷ୍ଟର୍’ରେ କମ୍ ସମୟ ଭିତରେ ସ୍ଲଟ୍ ବୁକିଂ କରାଇବା ନେଇ ମୋବାଇଲକୁ ମେସେଜ୍ ଆସୁଥିଲା। ଏହି ଆପ୍ଲିକେସନ୍ ମୋବାଇଲରେ ଡାଉନଲୋଡ୍ ହେବା ମାତ୍ରକେ ବ୍ୟାଙ୍କ୍ ଗ୍ରାହକଙ୍କ ଟଙ୍କା ଗାଏବ୍ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର