ଧଉଳି: ଧଉଳି ଥାନା ପୁଲିସ୍‌ ଆଜି ଗଂଜେଇ ଚାଲାଣ ମାମଲାରେ ୩ ବେପାରୀଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଗଞ୍ଜାମ ଗଙ୍ଗାପୁର ଥାନା ବଡ଼ସଦର ଗ୍ରାମର ନିରାକାର ସ୍ବାଇଁ (୨୬), କନ୍ଧମାଳ ଫିରିଙ୍ଗିଆ ଥାନା ଲମ୍ବପଦର ଗ୍ରାମର କାମିଲ କହଁର (୩୦) ଏବଂ ଗଞ୍ଜାମ ବଡ଼ବ୍ରୋଇଙ୍ଗ ଗ୍ରାମର ଚନ୍ଦନ ପ୍ରଧାନ(୨୦)। ପୁଲିସ୍‌ କାର୍‌ ଡିକି ଓ ସିଟ୍‌ ତ‌ଳୁ ୬୦ କେଜି ଗଂଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଛି।

Advertisment

ଯୁବକଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର: ବାପୁଜୀନଗର‌ରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀଙ୍କ ମୃ୍ତଦେହ ଗତକାଲି ରାତି‌ରେ କ୍ୟାପିଟାଲ ଥାନା ପୁଲିସ ଉଦ୍ଧାର କରିଛି। ଯୁବକ ଜଣକ ହେଲେ ପିପିଲି ଅଞ୍ଚଳର ସୁଦର୍ଶନ ମଲ୍ଲିକ(୪୭)। ସେ ବାପୁଜୀନଗରସ୍ଥିତ ସ୍ପେକ୍ଟ୍ରା ଭିଜନରେ କାର୍ଯ୍ୟ କରୁଥିଲେ। ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ମିନତି ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

୫ ହାଇୱାରୁ ୧.୩ ଲକ୍ଷ ଜରିମାନା ଆଦାୟ

ବାଲିପାଟଣା: ଗତକାଲି ସଂଧ୍ୟାରେ ବାଲିପାଟଣା ତହସିଲ ପ୍ରଶାସନ ପକ୍ଷରୁ ଜବତ କରାଯାଇଥିବା ୭ ବାଲି ବୋଝେଇ ହାଇୱା ମଧ୍ୟରୁ ଆଜି ୫ ଗାଡ଼ି ମାଲିକ ୧ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଗଣିଛନ୍ତି। ଅନ୍ୟ ୨ ଗାଡ଼ିର ମାଲିକ ଆସି ନ ଥିବାରୁ ସେମାନଙ୍କଠାରୁ ଜରିମାନା ଆଦାୟ ହୋଇପାରିନାହିଁ। ଏହି ଗାଡ଼ିଗୁଡ଼ିକ ବେଆଇନ ବାଲିଘାଟରୁ ବାଲି ଚାଲାଣ କରୁଥିବା ସହ ଓଭରଲୋଡ୍‌ କରି ଯାଉଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନାବାଳିକା ଅପହରଣ ମାମଲା: ଜେଲଗଲା ଅପହର୍ତ୍ତା

ବାଲିଅନ୍ତା: ନାବାଳିକା ଅପହରଣ ମାମଲା‌ରେ ବାଲିଅନ୍ତା ଥାନା ପୁଲିସ୍‌ ଆଜି ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ବାଲିପାଟଣା ଥାନା ଅଧୀନ ସରିପୁର ଗ୍ରାମର ବିକାଶ କୁମାର ଭୋଇ (୨୫)। ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ପୁଲିସ ସରିପୁରରେ ଚଢ଼ଉ କରି ବିକାଶକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା। ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁହିଁଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପୁଲିସ ନାବାଳିକାଙ୍କୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନାନୁସାରେ, ବିକାଶ ସହ ବାଳକାଟି ଫାଣ୍ଡି ଅଞ୍ଚଳର ଉକ୍ତ ୧୭ ବର୍ଷୀୟ ନାବାଳିକାଙ୍କର ଏକ ବିବାହ ଭୋଜିରେ ଜଣାଶୁଣା ହୋଇଥିଲା‌। ପରେ କଥାବାର୍ତ୍ତାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ନାବାଳିକାଙ୍କ ପରିବାରଲୋକ ଏକଥା ଜାଣିବା ପରେ ବିରୋଧ କରିଥିଲେ। ତେଣୁ ବିକାଶ ଗତ ୧୮ ତାରିଖ ସଂଧ୍ୟାରେ ନାବାଳିକାଙ୍କୁ ନେଇ ଫେରାର୍‌ ହୋଇଯାଇଥିଲା। ବିକାଶ ନାବାଳିକାଙ୍କୁ ନେଇ ପ୍ରଥମେ ବାଲିପାଟଣା ଥାନା ଅଧୀନ କିଆଯୋଡ଼ି ଗ୍ରାମରେ ଜଣେ ସଂପର୍କୀୟଙ୍କ ଘରେ ରଖିଥିଲା। ଏ ସଂପର୍କରେ ନାବାଳିକାଙ୍କ ମା’ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିଆଯୋଡ଼ିରେ ଦୁଇଦିନ ରହିବା ପରେ ଉଭୟ ସରିପୁରରେ ରହୁଥିଲେ।