ଅପରାଧ/ଅଘଟଣ

୩ଶହ ଟଙ୍କା ପାଇଁ ହାଣିଦେଲା
ଭୁବନେଶ୍ବର : ମାତ୍ର ୩ ଶହ ଟଙ୍କା ପାଇଁ ଜଣେ ଯୁବକ ଜଣେ ଶ୍ରମିକଙ୍କୁ ହାଣି‌ ଗୁରୁତର କରିଛି। ମଞ୍ଚେଶ୍ୱର ଚକେଇସିଆଣି କେନାଲ ବନ୍ଧ ନିକଟରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଆହତ ଶ୍ରମିକ ହେଲେ, ମଞ୍ଚେଶ୍ବରରେ ରହୁଥିବା ସାଲେପୁରର ପ୍ରଶାନ୍ତ ପରିଡ଼ା। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ମଞ୍ଚେଶ୍ବର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରଶାନ୍ତ ଟ୍ରକ୍‌ରେ ମାଲ୍‌ ଲୋଡ୍‌-ଅନଲୋଡ୍‌ କାମ କରନ୍ତି। ଏହି କାମ ପାଇଁ ଅଧିକ ଶ୍ରମିକଙ୍କ ଆବଶ୍ୟକ ପଡ଼ିଲେ, ସେ ଚକେଇସିଆଣିର ପିଣ୍ଟୁ ନାମକ ଯୁବକକୁ ସାଙ୍ଗରେ ନେଇଥାନ୍ତି। ତେବେ ପୁରୁଣା ଏକ କାମର ମଜୁରି ବାବଦକୁ ପିଣ୍ଟୁ ପ୍ରଶାନ୍ତଙ୍କଠାରୁ ୩୫୦ ଟଙ୍କା ପାଇବାର ଥିଲା। ଆଜି ରାତି ପ୍ରାୟ ୮ଟା ବେଳେ ପିଣ୍ଟୁ ପୁଣି ଥରେ ଟଙ୍କା ମାଗିଥିଲା। କିନ୍ତୁ ପ୍ରଶାନ୍ତ ନ ଦେବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗି ଯାଇ ପିଣ୍ଟୁ ଏକ ଧାରୁଆ ଅସ୍ତ୍ରରେ ପ୍ରଶାନ୍ତଙ୍କୁ ହାଣି ଦେଇଥିଲା।

ଗୋଡ଼େଇ ହାଣିବା ମାମଲାରେ ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ବର : ସାମାନ୍ୟ କଥାକୁ କେନ୍ଦ୍ରକରି ଗୋଡ଼େଇ ଗୋଡ଼େଇ ହାଣିବା ଘଟଣାରେ ଫେରାର୍‌ ୩ ଅଭିଯୁକ୍ତଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ଲକ୍ଷ୍ମୀସାଗର ଥାନା ସାମଲ ସାହିର ଜ୍ଞାନଜିତ ସାମଲ, ଯାଜପୁର ବିଞ୍ଝାରପୁର ବାଲିକୁଳ ଗ୍ରାମର ବିଶ୍ୱଜିତ୍‍ ସାହୁ ଓ ସାମନ୍ତରାପୁରର ସନ୍ତୋଷ ବାରିକ। ଏହି ମାମଲାରେ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଥିବା ବେଳେ ଜଣେ କୋର୍ଟରେ ଆତ୍ମସର୍ମଣ କରିଥିଲା। ସୂଚନା‌ଯୋଗ୍ୟ, ୟୁନିଟ୍‍-୯ରେ ରହୁଥିବା ୩ ସାଙ୍ଗ ଚିତ୍ତରଂଜନ ନାୟକ, ବିଶ୍ୱଜିତ୍‍, ସନ୍ତୋଷ ଓ ଜ୍ଞାନଜିତଙ୍କ ମଧ୍ୟରେ ଗତବର୍ଷ କୌଣସି କାରଣରୁ ଫାଟ ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ସେପ୍ଟେମ୍ବର ୧୬ ତାରିଖରେ ଜ୍ଞାନଜିତଙ୍କ ସମେତ ୭ ଜଣ ଯୁବକ ଖଣ୍ଡା ଓ ଭୁଜାଲି ଧରି ଚିତ୍ତରଂଜନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏନେଇ ଚିତ୍ତରଂଜନ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ମଙ୍ଗଳସୂତ୍ର ଝାମ୍ପିନେଲେ ଦୁର୍ବୃତ୍ତ
ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ମନ୍ଦିରରୁ ପୂଜା କରି ଫେରୁଥିବା ଜଣେ ମହିଳା ଆଜି ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ ସନ୍‌ସାଇନ୍‌ ମିଲନ ପାରାଡାଇଜ୍‌ ଅଞ୍ଚଳରେ ରହୁଥିବା ଅମ୍ରିତା ସାମଲ(୩୦)। ଏକ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ତାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ହେଁ ଲୁଟେରାମାନଙ୍କ ପତ୍ତା ପାଇନାହିଁ। ସୂଚନାନୁସାରେ ଅମ୍ରିତା ସ୍ଥାନୀୟ ଶିବ ମନ୍ଦିରୁ ପୂଜା କରି ଫେରୁଥିଲେ। ପିଛା କରୁଥିବା ଦୁର୍ବୃତ୍ତଦ୍ବୟ ତାଙ୍କୁ ଏକୁଟିଆ ପାଇ ହଠାତ୍ ତାଙ୍କ ଆଗରେ ବାଇକ୍‌ ରଖି ଦେଇଥିଲେ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। କିନ୍ତୁ ଡରି ନଯାଇ ଅମ୍ରିତା ସେଠାରୁ ଦୌଡ଼ିବାକୁ ଲାଗିଲେ। ତେବେ ଦୁର୍ବୃତ୍ତଦ୍ବୟ ତାଙ୍କୁ ପଛରୁ ଟାଣି ଧରି ବେକରୁ ମଙ୍ଗଳସୂତ୍ର ଛିଡ଼ାଇ ଫେରାର୍ ହୋଇଯାଇଥିଲେ। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଛାନ୍‌ଭିନ୍ ଜାରି ରଖିଛି।

୩୦ କେଜି ଗଞ୍ଜେଇ ଜବତ, ୩ ମହିଳା ଗିରଫ
ଭୁବନେଶ୍ବର : ଭରତପୁର ଥାନା ପୁଲିସ୍‌ ଆଜି ୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ଜଣ ମହିଳାଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ କନ୍ଧମାଳରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ବୋଲି ପୁଲିସ୍‌ କହିଛି। ଅଭିଯୁକ୍ତମାନେ ହେଲେ, ପଶ୍ଚିମବଙ୍ଗର ମୋଜିନା ବିବି ଓ ସିୟା ଶର୍ମା ଏବଂ କନ୍ଧମାଳର ସରସ୍ବତୀ ନାୟକ। ଅଭିଯୁକ୍ତମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ‌‌‌ରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା।

୩ ଲୁଟେରା ଗିରଫ
ଭୁବନେଶ୍ବର : ଖଣ୍ଡଗିରି ଥାନା ପୁଲିସ୍ ଆଜି ଦୁଇ କୁଖ୍ୟାତ ଲୁଟେରାଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଲାପଟପ୍ ଓ ୬ଟି ମୋବାଇଲ୍ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେଏ ଭାଗ୍ୟବନ୍ତ ମିଶ୍ର ଓରଫ ରାହୁଲ, ମିହିର୍ ଆଶିକ୍ ଓରଫ୍ ମିଟୁ ଏବଂ ବାବୁ ବିଶ୍ବାଳ ଓରଫ୍ ବାବୁନି। ଗତ ୭ ତାରିଖରେ ପୋଖରୀପୁଟସ୍ଥିତ ମିସନ୍‌ ଶକ୍ତି କାର୍ଯ୍ୟାଳୟରୁ କାମ ସାରି ନିଶାନ୍ତ ନିହାରଵାସ୍ ନାମକ ଜଣେ ଯୁବକ ଘରକୁ ଫେରୁଥିବା ସମୟରେ ତିନି ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରି ୫୫୦୦ ଟଙ୍କା, ଲାପଟପ୍ ଓ ମୋବାଇଲ୍ ଝାମ୍ପିନେଇ ଫେରାର୍ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର