ଅପରାଧୀଙ୍କ କବ୍ଜାରେ ଟଙ୍କପାଣି ବ୍ରିଜ୍, ସପ୍ତାହରେ ୩ ଲୁଟ୍
ସୀମା ବିବାଦ ସୁହାଉଛି, ପୁଲିସ କହୁଛି ପିସିଆର୍ ବୁଲୁଛି
ବାଲିଅନ୍ତା : ଟଙ୍କପାଣି ବ୍ରିଜ୍ ଏବେ ଅପରାଧୀଙ୍କ କବ୍ଜାରେ। ଗୋଟିଏ ସପ୍ତାହରେ ତିନି ତିନିଟି ଲୁଟ୍ରୁ ଏହାର ପ୍ରମାଣ ମିଳିଛି। ଦୁର୍ବୃତ୍ତମାନେ ଏଠାରେ ଜଗି ରହି ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଫଳରେ ଏବେ ବ୍ୟବସାୟୀମାନେ ଏହି ରାସ୍ତାରେ ଯାତାୟତ କରିବା ସୁରକ୍ଷିତ ମଣୁନାହାନ୍ତି ଓ ମେଳିବାନ୍ଧି ଯାତାୟତ କରୁଛନ୍ତି। ବାଲିଅନ୍ତା ଓ ସହିଦନଗର ଥାନାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ପୁଲିସ ପାଟ୍ରୋଲିଂ ଦୁର୍ବଳ ହୋଇପଡ଼ିଛି ଓ ଦୁର୍ବୃତ୍ତମାନେ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହେଉଛି।
୨୮ ତାରିଖ ରାତି ପ୍ରାୟ ସାଢ଼େ ୩ଟା ସମୟରେ ବାଲିପାଟଣା ସାହେବନଗରର ମାଂସ ବେପାରୀ ଅହମ୍ମଦ ଖାଁଙ୍କୁ ୬ ଜଣ ଦୁର୍ବୃତ୍ତ ଏହି ବ୍ରିଜ୍ ଭୁଜାଲି ହାଣି ତାଙ୍କଠାରୁ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ସେ ୪ ନମ୍ବର ହାଟରୁ ଛେଳି କିଣିବାକୁ ଆସୁଥିବା ବେଳେ ଦୁର୍ବୃତ୍ତମାନଙ୍କ ଶିକାର ହୋଇଥିଲେ। ସେହିଭଳି ଗତ ୪ ଦିନ ତଳେ ଏଠାରେ ଜଣେ ଫୁଲ ବେପାରୀ ଲୁଟେରାଙ୍କ ଶିକାର ହୋଇଥିଲେ। ଲୁଟେରାମାନେ ତାଙ୍କୁ ମାରଣାସ୍ତ୍ରରେ ହାଣି ୬ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଅନୁରୂପ ଭାବେ ଭିଙ୍ଗାରପୁର ଗ୍ରାମର ଖବରକାଗଜ ବିତରକ ଅଶୋକ ପଣ୍ଡାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଅଢ଼େଇ ହଜାର ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏହି ସମସ୍ତ ଲୁଟ୍ ଭୋର୍ ସମୟରେ ହିଁ ହୋଇଛି। ଭୋର୍ ସମୟରେ ପୁଲିସ ପାଟ୍ରୋଲିଂ ହେଉନଥିବାରୁ ଦୁର୍ବୃତ୍ତମାନଙ୍କୁ ସୁହାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ବ୍ରିଜ୍ ଉଭୟ ବାଲିଅନ୍ତା ଓ ସହିଦନଗର ଥାନାର ସୀମାରେ ରହୁଛି। ତେଣୁ ଏଠାରେ ପୁଲିସ ପିସିଆର୍ କାଁ ଭାଁ ବୁଲୁଥିବା ଦେଖିବାକୁ ମିଳେ। ମାତ୍ର ବିଳମ୍ବିତ ରାତିରେ ପିସିଆର୍ ବୁଲିବା ମୋଟେ ଦେଖାଯାଏ ନାହିଁ। କିନ୍ତୁ ଏନେଇ ବାଲିଅନ୍ତା ଥାନା ପକ୍ଷରୁ କୁହାଯାଇଛି ଯେ ତାଙ୍କ ଥାନାର ପିସିଆର୍ ସବୁବେଳେ ଏହି ଅଞ୍ଚଳରେ ପଇଁତରା ମାରୁଛି। ମାତ୍ର ଏହା ଯେ ଧର୍ମକୁ ଆଖିଠାର ଭଳି କଥା ବା ଏକପ୍ରକାର ସଫେଇ ବୋଲି ଘଟୁଥିବା ଅଘଟଣରୁ ଜଳଜଳ ହୋଇ ଦେଖାଯାଉଥିବା ଲୋକେ ଆଲୋଚନା କରୁଛନ୍ତି।