ଏନ୍‌କାଉଣ୍ଟର୍‌ ପରେ ଗଢ଼ି ଉଠିଥିଲା ଅପରାଧ ସାମ୍ରାଜ୍ୟ

କଟକ : ଚାଉଳିଆଗଞ୍ଜ ଥାନା ନୂଆବଜାର ମାଛ ମାର୍କେଟ୍‌ରେ ୨୦୦୯ ଡିସେମ୍ବରରେ ଡବଲ୍ ମର୍ଡରର ଶିକାର ହୋଇଥିଲେ ଅନିରୁଦ୍ଧ ସେଠୀ ଓରଫ୍ ଟିଟୁଆ ଓ ଲିଚୁଆ। ସେମାନେ ଧଳସାମନ୍ତ ଗ୍ୟାଙ୍ଗର ସଦସ୍ୟ ଥିଲେ। ଏହାପରେ ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ ଫେରାର ହୋଇ ଯାଇଥିଲେ। ଖଣ୍ଡଗିରି ଅଞ୍ଚଳରେ ସୁଶୀଲ ଆତ୍ମଗୋପନ କରିଥିବା ଜଣାପଡ଼ିଥିଲା। ୨୦୦୯ ଡିସେମ୍ବର ୩୧ ତାରିଖ ରାତିରେ କାରଗିଲ ରୋଡ୍‌ରେ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍‌ ଏନକାଉଣ୍ଟର୍‌ର ଶିକାର ହୋଇଥିଲା ସୁଶୀଲ। ସୁଶୀଲ ତଥ୍ୟକୁ ଆଧାର କରି ୨୦୧୦ ଜାନୁଆରି ୯ ତାରିଖରେ କଟକ ସ୍ପେସାଲ ସ୍କ୍ବାଡ୍ ପୁଲିସ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ସହଯୋଗୀ ବବୁଲ ଘରେ ଚଢ଼ଉ କରି ବିପୁଳ ପରିମାଣର ବନ୍ଧୁକ, ଗୁଳି ଜବତ କରିଥିଲା।

କିଛି ଦିନ ଜେଲରେ ରହିବା ପରେ ମୁକୁଳିଥିଲା ସୁଶୀଲ। ଦୁଇଭାଇ ପୁଣି ମିଶି ସକ୍ରିୟ ହୋଇ ଗ୍ୟାଙ୍ଗ ଚଳାଇଥିଲେ। ଦାଦାବଟି, ଟେଣ୍ଡର୍‌ ଫିକ୍ସିଂ, ହତ୍ୟା, ଅପହରଣ ଭଳି ୫୦ରୁ ଅଧିକ ମାମଲାରେ ସକ୍ରିୟ ହୋଇଉଠିଥିଲେ। ଡି’ ବ୍ରଦର୍ସ କଟକ ସମେତ କେନ୍ଦୁଝର, ଜଗତସିଂହପୁର, ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ସକ୍ରିୟ ରହିଥିଲେ। କିନ୍ତୁ ଏହା ଆଉ ଲୁଚାଛପା ନ ଥିଲା। ଅପରାଧ ଦୁନିଆରେ ଜଡ଼ିତ ରହି କଟକରେ ସଭା ସମିତିଠାରୁ ଆରମ୍ଭ କରି ଯୁବମୋର୍ଚ୍ଚା ତିଆରି କରିଥିଲେ ଦୁଇ ଭାଇ। ଅନେକ ରାଜନେତାଙ୍କ ସହ ସେମାନଙ୍କର ସମ୍ପର୍କ ମଧ୍ୟ ତିଆରି ହୋଇଥିଲା। କଳା ପରଦା ପଛରେ ରହି ଅପରାଧ ଜଗତର ବାଦଶାହା ପାଲଟି ଯାଇଥିଲେ। ଓଡ଼ିଶାରେ ବନ୍ଧୁକ କାରବାରର ମଙ୍ଗ ମଧ୍ୟ ଧରିଥିଲେ। ଦୁଇ ଭାଇ ଚଳାଉଥିବା ଗ୍ୟାଙ୍ଗର ସଦସ୍ୟମାନଙ୍କ ହାତରେ ରହୁଥିଲା ଅତ୍ୟାଧୁନିକ ମାଉଜର୍‌। କଟକ ସହ ଭୁବନେଶ୍ବର ପୋଖରୀପୁଟରେ ରହି ମଧ୍ୟ ଗ୍ୟାଙ୍ଗ ଚଳାଉଥିଲେ। ଡି’ ବ୍ରଦର୍ସଙ୍କ ବାପା ପୁଲିସ ଵୟାରଲେସ୍‌ ବିଭାଗର ଜଣେ ଅବସରପ୍ରାପ୍ତ ଏଏସ୍ଆଇ। ତେଣୁ ଦୁଇ ଭାଇଙ୍କର ପୁଲିସ୍‌ ବିଭାଗରେ ମଧ୍ୟ ଯଥେଷ୍ଟ ଦବ୍‌ଦବା ରହିଥିଲା। କାରଣ ୨୦୧୬ରେ ଗିରଫଦାରୀ ପୂର୍ବରୁ ଖୁଲମଖୁଲା ଅପରାଧ କରିବା ନେଇ ଦୁଇ ଭାଇଙ୍କ ବିରୋଧରେ ଅନେକ ଅଭିଯୋଗ ଥାନାରେ ପହଞ୍ଚିଥିଲା। କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା? ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୁଲିସ ସାହସ ଜୁଟାଇ ପାରୁ ନ ଥିଲା ନା ଚାପ ରହୁଥିଲା ନା ଆଉ କ’ଣ ଉଦ୍ଦେଶ୍ୟ ଥିଲା, ତାହାକୁ ନେଇ ମଧ୍ୟ ସେତେବେଳେ ଚର୍ଚ୍ଚା ଜୋର୍ ଧରିଥିଲା। ୨୦୧୬ ଜାନୁଆରିରେ ପୁଲିସ୍‌ ଚଢ଼ଉ କରି ଦୁଇଭାଇଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ତେବେ ଜେଲ୍ ଭିତରେ ଦୀର୍ଘ ୫ବର୍ଷ ଧରି ରହିବା ପରେ ମଧ୍ୟ ଗ୍ୟାଙ୍ଗ ସକ୍ରିୟ ରହିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର