ଗୁଣ୍ଡା ଶୂନ୍ୟ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ଭରତ ଗିରଫ ପରେ ଗୁମର ଖୋଲୁଛି

ବସ୍‌ ହକର୍‌ରୁ ମାଲିକ ହୋଇଥିଲା

ଭୁବନେଶ୍ୱର: ‘ଦାଦାବଟିକୁ ନା’ ଅଭିଯାନ ଚାଲିଥିବାବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଗୁଣ୍ଡାଙ୍କ କଳା କାର୍‌ନାମା ପଦାକୁ ଆସିଛି। ବସ୍‌ଷ୍ଟାଣ୍ଡରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇଥିବା ବସ୍‌ ମାଲିକ ଭରତ ପ୍ରଧାନ ସମେତ ୪ ଜଣ ଗିରଫ ହେବା ପରେ ଗୁଣ୍ଡାଗିରିର ଗୁମର ଖୋଲିବାରେ ଲାଗିଛି। ଏବେ ଭରତ ଗିରଫ ହେବା ପରେ ବି ତା’ ସହଯୋଗୀମାନଙ୍କ ଦବ୍‌ଦବା ଥମିବା ନାଁ ଧରୁନାହିଁ। ଅଭିଯୋଗକାରୀଙ୍କୁ ଭରତ ସହଯୋଗୀମାନେ ଖୋଜି ବୁଲୁଛନ୍ତି ବୋଲି ଅଭିଯୋଗ ହେଲାଣି। ପୁଲିସ ପାଟ୍ରୋଲିଂ କରୁଥିଲେ ବି ଭରତ ସହଯୋଗୀମାନଙ୍କ ପତ୍ତା ମିଳିନାହିଁ।

ବସ୍‌ ହକର୍‌ରୁ ବେପାର ଆରମ୍ଭ କରିଥିବା ଭରତ ପରେ ବସ୍‌ ମାଲିକ ହୋଇ ପାରିଥିଲା। ଦାଦାବଟି ଆଦାୟ କରି ସେ ଭଲ ଆୟ କରୁଥିଲା। ଭୟ‌ରେ କେହି ତା’ ବିରୋଧରେ ଅଭିଯୋଗ କରୁନଥିଲେ। କିନ୍ତୁ କମିସନରେଟ୍‌ ପୁଲିସର ନୂତନ ମିସନ୍ ଯୋଗୁଁ ଦୁଇ ଜଣ ବସ୍‌ ମାଲିକ ମୁହଁ ଖୋଲିଥିଲେ। ବସ୍‌ ମାଲିକ ସୁରେଶ ଜେନା ଅଭିଯୋଗ କରିଛନ୍ତି କି, ଏଠାରେ ଭରତ ଦୀର୍ଘ ଦିନ ହେବ ଗୁଣ୍ଡାରାଜ୍‌ ଚଳାଇଥିଲା। ତାକୁ ବଟି ନ ଦେଲେ ବେପାର କରିବା ସମ୍ଭବ ହେଉନଥିଲା। ଦାଦାବଟି ସହିତ ଯାତ୍ରୀଙ୍କୁ ଆକ୍ରମଣ କରିବା, ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିବା ଭଳି କୁକର୍ମ ମଧ୍ୟ କରୁଥିଲା। ସେ ଗିରଫ ହେବା ପରେ ମଧ୍ୟ ସେଠାରେ ତା’ର କେତେକ ସହଯୋଗୀ ଧମକଚମକ ଦେଉଛନ୍ତି। ମୁଖାପିନ୍ଧା ଯୁବକମାନେ ବାଇକ୍‌ରେ ବୁଲି ବୁଲି ଧମକ ଦେଉଛନ୍ତି। ଏକ ବସ୍‌ର ମ୍ୟାନେଜର କାନ୍ତା ପ୍ରସାଦ ଦାସ କହିଛନ୍ତି ଯେ ସେ ପ୍ରଥମେ ବସ୍‌ ହକର୍‌ ଥିଲା। ଯାତ୍ରୀଙ୍କୁ ବସ୍‌ରେ ଉଠାଇ କମିସନ ନେଉଥିଲା। ଏଠାରେ ଦାଦାଗିରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରିଥିଲା। ଜଣେ କଣ୍ଡକ୍ଟର ଚନ୍ଦ୍ରଭାନୁ ଜେନା କହିଛନ୍ତି, ଭରତ ତାଙ୍କ ବସ୍‌ରୁ ଜୋର ଜବରଦସ୍ତ ଯାତ୍ରୀ ଛଡ଼ାଇ ନିଅନ୍ତି। ପ୍ରତିବାଦ କଲେ ମାଡ଼ ମାରନ୍ତି। ପୁଲିସ ସୂଚନା ମୁତାବକ, ଭରତ ତା’ର ସହଯୋଗୀଙ୍କୁ ଲଗାଇ ବସ୍‌ ମାଲିକମାନଙ୍କ ଠାରୁ ମୁଣ୍ଡ ପିଛା ମାସକୁ ୨୦ରୁ ୩୦ ହଜାର ଦାଦାବଟି ଆଦାୟ କରିଥାଏ। ଦାଦାବଟି ନ ଦେଲେ, ବସ୍‌ରେ ଯାତ୍ରୀ ଚଢ଼ାଇ ଦିଆଯାଉ ନଥିଲା। ଅନେକ ଭରତର ଗୁଣ୍ଡାରାଜ ଭୟରେ ଥାନାକୁ ନ ଆସି ବଟି ଦେଇ ଚୁପ୍ ରହିବାକୁ ପସନ୍ଦ କରୁଥିଲେ। ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ବରମୁଣ୍ଡା ବସଷ୍ଟାଣ୍ଡକୁ ଗୁଣ୍ଡା ଶୂନ୍ୟ କରିବା ପାଇଁ ଯୋଜନା ରହିଛି ଏବଂ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର