କାର୍ଗୋ ଟର୍ମିନାଲ୍ରେ ବୋମା ଗୁଜବ
ଭୁବନେଶ୍ବର: ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଟର୍ମିନାଲ୍ରେ ଖେଳିଯାଇଥିବା ବୋମା ଗୁଜବ ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା। ହକି ବିଶ୍ବକପ୍ ପୂର୍ବରୁ ଏଭଳି ଗୁଜବକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଡିସିପି ପ୍ରତୀକ ସିଂ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ଏଭଳି ଅପପ୍ରଚାର କରି ଲୋକଙ୍କୁ ଭ୍ରମିତ ନକରିବାକୁ ନିବେଦନ କରିଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ବେଳେ କାର୍ଗୋ ଟର୍ମିନାଲ୍ରେ ପାର୍ସଲ୍ ସ୍କାନିଂ ଚାଲିଥିଲା। ଏତିକିବେଳେ ଏକ ପାର୍ସଲରେ ବୋମା ଥିବା ଗୁଜବ ସୃଷ୍ଟି ହୋଇଥିଲା। ତୁରନ୍ତ ବିମାନବନ୍ଦରରେ ପହଞ୍ଚିଥିଲେ ବମ୍ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡ୍। କମିସନରେଟ୍ ପୁଲିସ ଓ ସିଆଇଏସ୍ଏଫ୍ ସତର୍କ ହୋଇ ଯାଞ୍ଚ କରିବାରେ ଲାଗିପଡ଼ିଥିଲେ। ଟିକିନିଖି ଯାଞ୍ଚ କରାଯିବା ପରେ ଏହା ଏକ ଗୁଜବ ବୋଲି ଜଣାପଡ଼ିଥିଲା।
୨୬୨ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
ଆଜି ଭୁବନେଶ୍ବର ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍ ଫରେଷ୍ଟ୍ ପାର୍କ ଅଞ୍ଚଳରେ ଚଢ଼ଉ କରି ଜଣେ ବ୍ରାଉନ୍ସୁଗାର ବେପାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ସତ୍ୟଜିତ୍ ସାମଲ(୨)। ତା’ ନିକଟରୁ ୨୬୨ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ଜବତ କରାଯାଇଛି। ଜବତ ଧଳାଜହରର ବଜାର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଆଜି ସକାଳେ ସେ ବ୍ରାଉନ୍ସୁଗାର ଧରି ଫରେଷ୍ଟ୍ ପାର୍କ ଅଞ୍ଚଳରେ ଏକ ନିଛାଟିଆ ସ୍ଥାନରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଅବକାରୀ ଟିମ୍ ତାକୁ ଘେରିଯାଇଥିଲା ଏବଂ ଯାଞ୍ଚ କଲା ବେଳେ ତା’ ବାଇକ୍ରୁ ବ୍ରାଉନ୍ସୁଗାର ପୁଡ଼ିଆ ମିଳିଥିଲା।
ମହିଳାଙ୍କୁ ଲୁଟ୍ ଉଦ୍ୟମ ବିଫଳ: ବନ୍ଧୁକ ଦେଖାଇ ମୁଖିଆ ଚମ୍ପଟ, ଖସି ପାରିଲାନି ସହଯୋଗୀ
ଜଣେ ମହିଳାଙ୍କୁ ଲୁଟ୍ କଲା ବେଳେ ଲୋକଙ୍କ ହାତରେ ଧରାପଡ଼ିଥିବା ଲୁଟେରାକୁ ଆଜି କ୍ୟାପିଟାଲ୍ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ସେ ହେଲା ବ୍ରହ୍ମପୁର ଗାନ୍ଧୀନଗର ଅଞ୍ଚଳର ଅଶୋକ ବେହେରା ଓରଫ ନନ୍ଦୁ(୩୨)। ପୁଲିସ ତା’ଠାରୁ ଗୋଟିଏ ସ୍କୁଟି ଓ ୫ଟି ମୋବାଇଲ୍ ଜବତ କରିଛି। ତେବେ ଘଟଣାସ୍ଥଳରୁ ଲୋକଙ୍କୁ ବନ୍ଧୁକ ଦେଖାଇ ଚମ୍ପଟ ମାରିଥିବା ସୀମାକୁ ପୁଲିସ ଧରିପାରିନାହିଁ। ପୁଲିସ ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ସମୟରେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ କିଛି ଦୂରରେ ସୀମା ଓ ନନ୍ଦୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଛିଡ଼ାଇ ଫେରାର୍ ହେବାକୁ ଉଦ୍ୟମ କରୁଥିଲେ। କିନ୍ତୁ ମହିଳାଙ୍କ ଚିତ୍କାର ଶୁଣି କିଛି ଯୁବକ ଦୁଇ ଲୁଟେରାଙ୍କୁ ପିଛା କରିବାରୁ ସେମାନେ ଭାରସାମ୍ୟ ହରାଇ ସ୍କୁଟି ସହ ତଳେ ପଡ଼ିଯାଇଥିଲେ। ଯୁବକମାନେ ନନ୍ଦୁକୁ କାବୁ କରିଥିବା ବେଳେ ସୀମା ବନ୍ଧୁକ ଦେଖାଇ ଫେରାର୍ ହୋଇଯାଇଥିଲା। ସୀମାକୁ ଧରିବା ପାଇଁ ପୁଲିସ ଚଢ଼ଉ ଚଳାଇଛି।