ରାଜଧାନୀରେ ଅପରାଧ : ହତ୍ୟା, ଲୁଟ୍‌, ହେରୋଇନ୍ ଓ କୋକେନ୍ ଜବତ

ଗ୍ରାହକଙ୍କୁ କାଠଫାଳିଆରେ ପିଟି ହତ୍ୟା ପରିବା ବେପାରୀ ଗିରଫ

ଭୁବନେଶ୍ବର: ଜଣେ ଗ୍ରାହକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ପରିବା ବେପାରୀକୁ ଗିରଫ କରିଛି। ମୃତକ ହେ‌ଲେ ପାତ୍ରପଡ଼ା ଅଞ୍ଚଳର ଅକ୍ଷୟ କୁମାର ପ୍ରଧାନ(୪୦) ଓ ଅଭିଯୁକ୍ତ ବେପାରୀ ହେଲା ଗଣେଶ ବରାଳ(୩୩)। ଆଜି ପୁଲିସ ଗଣେଶକୁ କୋର୍ଟ ଚାଲାଣ କରିଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ପୁଲିସ ସୂଚନାନୁସାରେ ଗତ ୧୦ ତାରିଖ ସନ୍ଧ୍ୟାରେ ଅକ୍ଷୟ ପରିବା କିଣିବା ପାଇଁ କ୍ରିଷ୍ଣାବିହା‌ରସ୍ଥିତ ଗଣେଶଙ୍କ ପରିବା ଦୋକାନକୁ ଯାଇଥିଲେ। ପରିବା ଦରକୁ ନେଇ ଅକ୍ଷୟ ଓ ଗଣେଶଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବଚସାରୁ କଥା ହାତାହାତି ଯାଏ ଯାଇଥିଲା।

ହଠାତ୍ ଗଣେଶ ରାଗିଯାଇ ଦୋକାନରେ ଥିବା ଏକ କାଠଫାଳିଆରେ ଅକ୍ଷୟଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲା। କାଠଫାଳିଆ ମାଡ଼ରେ ଅକ୍ଷୟ ତଳେ ପଡ଼ିଯାଇଥିଲେ ଓ ସଂଜ୍ଞାହୀନ ହୋଇଯାଇଥିଲେ। ଖବର ପାଇ ଭରତପୁର ଥାନା ପୁଲିସ ସେଠାରେ ପହଞ୍ଚି ଚେତାଶୂନ୍ୟ ଅବସ୍ଥାରେ ଅକ୍ଷୟଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଅକ୍ଷୟଙ୍କ ପତ୍ନୀ ଶଶିରେଖା ପ୍ରଧାନ ଥାନାରେ ଅଭିଯୋଗ ପରେ ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଗଣେଶକୁ ଗିରଫ କରିଥିଲା।

ରାଜଧାନୀରେ କୋକେନ୍ ପରେ ହେରୋଇନ୍‌
ମହିଳାଙ୍କଠାରୁ ୫୬ ଗ୍ରାମ୍‌ ଜବତ

ଭୁବନେଶ୍ବର: ରାଜଧାନୀରେ କୋକେନ୍ ଭଳି ନିଷିଦ୍ଧ ବିଷାକ୍ତ ପାଉଡର କାରବାରକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଆଜି ପୁଣି ମିଳିଛି ହୋରୋଇନ୍‌ ଭଳି ଜହର। ଆଜି ଭୁବନେଶ୍ବର ଅବକାରୀ ଟିମ୍‌ ସାଲିଆସାହିରେ ଚଢ଼ଉ କରି ଜଣେ ମହିଳାଙ୍କୁ ଗିରଫ କରିଛି ଓ ତା’ ପାଖରୁ ୫୬ ଗ୍ରାମ୍ ହେରୋଇନ୍‌ ଜବତ କରିଛି। ଅଭିଯୁକ୍ତା ମହିଳା ହେଲେ ସାଲିଆସାହି ନୟାଗଡ଼ ବସ୍ତିର ଅନୁପମା ପ୍ରଧାନ ଓରଫ୍ ଝୁନି। ତା’ ନିକଟରୁ ଜବତ ହୋଇଥିବା ହେରୋଇନ୍‌ର ବଜାର ମୂଲ୍ୟ ପାଖାପାଖି ସାଢ଼େ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସୂଚନାନୁସାରେ ଝୁନି ହେରୋଇନ୍‌ ବିକ୍ରି କରୁଥିବା ନେଇ ଅବକାରୀ ଟିମ୍‌ ପାଖରେ ଖବର ପହଞ୍ଚିଥିଲା। ତେଣୁ ଅବକାରୀ ଇନ୍‌ସ୍ପେକ୍ଟର ବିକାଶ ନାୟକ ଓ ତାଙ୍କ ଟିମ୍‌ ନୟାଗଡ଼ ବସ୍ତି ହାତିଆସୁଣି ମଣ୍ଡପ ନିକଟରେ ଝୁନି ଘରେ ଚଢ଼ଉ କରିଥିଲା। ସତକୁ ସତ ଅବକାରୀ ଟିମ୍‌ ଝୁନି ପାଖରୁ ୫୬ ଗ୍ରାମ୍‌ ଓଜନର ହେରୋଇନ୍‌ ପାଇଥିଲା। ଆଜି ଝୁନିକୁ କୋର୍ଟ ଚାଲାଣ କରାଯାଇଛି। ତେବେ ସେ କେଉଁଠୁ ଏହି ଜହର ପାଇଲା ବା ଏହି ଜହର କାରବାର ପଛ‌ରେ ମାଷ୍ଟରମାଇଣ୍ଡ କିଏ, ତାହାକୁ ନେଇ ତଦନ୍ତ ଜାରି ରହିଛି ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ଘଟଣା ପରେ ରାଜଧାନୀରେ ବ୍ରାଉନ୍‌ସୁଗାର ସହ କୋକେନ୍ ଓ ହେରୋଇନ୍‌ ଭଳି ବିଷ କାରବାର ମାଡ଼ିଗଲାଣି ବୋଲି ସ୍ପଷ୍ଟ ହୋଇଛି।

ରାଜଧାନୀରୁ ୨ କୋଟିର କୋକେନ୍‌ ଜବତ ଘଟଣା: 
ବିଦେଶୀ ମାଫିଆ ଯୋଗାଯୋଗରେ ଥିଲେ

ଭୁବନେଶ୍ବର: ରାଜଧାନୀରୁ ଗିରଫ କୋକେନ୍‌ ମାଫିଆ ସନ୍ନି କୁମାର ଓ ରବି ସିଂ ନିୟମିତ ବିଦେଶୀ ମାଫିଆଙ୍କ ସହ ଫୋନ୍‌ରେ କଥା ହେଉଥିଲେ। କୋକେନ୍‌ ବ୍ୟବସାୟ ନେଟ୍‌ୱର୍କକୁ ବଢ଼ାଇବା ପାଇଁ ସୋସିଆଲ୍‌ ମିଡିଆ ଗ୍ରୁପ୍‌ ହେଉ କି ସାଧାରଣ ଭାବେ ସପ୍ଲାଏ ଚେନ୍‌ ଉପରେ ଗୁରୁତ୍ବ ଦେଉଥିଲେ। ସନ୍ନି ଓ ରବିଙ୍କ ମୋବାଇଲ୍‌ ଯାଞ୍ଚ ବେ‌ଳେ ଜଣାପଡ଼ିଛି ଯେ, ସେମାନେ ଚୀନ, ସ୍ବିଜର୍‌ଲ୍ୟାଣ୍ଡ, ଫ୍ରାନ୍ସ, ଥାଇଲାଣ୍ଡ, ଆମେରିକା ଏବଂ ସାଉଥ୍‌ ଆଫ୍ରିକା ଭଳି ୬ଟି ଦେଶର କୋକେନ୍‌ ମାଫିଆଙ୍କ ସହ ଯୋଗାଯୋଗରେ ଥିଲେ। ଆଗାମୀ ହକି ବିଶ୍ବ କପ୍ ସମୟରେ କୋକେନ୍‌ ଯୋଗାଣ ପାଇଁ ନେଟ୍‌ୱାର୍କ ତିଆରି କରୁଥିଲେ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ଏଥିପାଇଁ ୬ ଦେଶର ମାଫିଆଙ୍କ ପାଖରୁ ରବିକୁ କଲ୍‌ ଆସିଥିଲା; ରବି ମଧ୍ୟ ବାରମ୍ବାର ସେମାନଙ୍କ ସହ ଯୋଗାଯୋଗରେ ରହି ବ୍ଲୁ-ପ୍ରିଣ୍ଟ ପସ୍ତୁତ କରୁଥିଲା। ୪ଦିନିଆ ରିମାଣ୍ଡରେ ଆସିଥିବା ଦୁଇ ମାଫିଆଙ୍କୁ ଆଜି ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାତେଇଛି ଏସ୍‌ଟିଏଫ୍‌। ଏଦିଗରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଅଧିକ ତଦନ୍ତ କରୁଛି। ଦରକାର ପଡ଼ିଲେ ଆଗକୁ ଇଣ୍ଟରପୋଲ୍‌ର ସହଯୋଗ ନିଆଯାଇପାରେ ବୋଲି ଜଣାପଡ଼ିଛି।

କୋକେନ୍‌ ଚାଲାଣର ଚେର ପୁରୀକୁ ଲମ୍ବିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତମାନେ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ କୋକେନ ବିକ୍ରି କରିଥାଇପାରନ୍ତି। ବର୍ତ୍ତମାନ ପୁରୀ ଲିଙ୍କ୍‌ ସାମ୍ନାକୁ ଆସିବା ପରେ ସେଦିଗରେ ମଧ୍ୟ ଏସ୍‌ଟିଏଫ୍ ଖୋଳତାଡ୍‌ କରୁଛି। ଏହାଛଡ଼ା ଏନ୍‌ସିବି ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରିଛି।

ପ୍ରକାଶ ଥାଉ କି, ଗତ ୧୨ ତାରିଖ ଦିନ ଉଭୟ ସନ୍ନି ଓ ରବି ଭୁବନେଶ୍ୱର ଜାଭିୟର୍ସ ଛକରେ କୋକେନ୍‌ ଦେବା ପାଇଁ ଗ୍ରାହକଙ୍କୁ ‌ଅପେକ୍ଷା କରିଥିଲେ। ଖବରପାଇ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରି ଉଭୟଙ୍କୁ କାବୁ କରିବା ସହ ୨୦୨ ଗ୍ରାମ କେକେନ୍ ଜବତ କରିଥିଲା। ତେବେ ଏହି କୋକେନ୍‌ ଜବତ ଓଡ଼ିଶାର ପ୍ରଥମ ଘଟଣା ବୋଲି କୁହାଯାଉଛି।

ଅଟୋ ଡିକି ଭାଙ୍ଗି ଲୁଟ୍‌ ମାମଲା: 
ଲୁଟେରା ଗିରଫ, ୪୩ ହଜାର ଟଙ୍କା ଜବତ

ଭୁବନେଶ୍ବର: ଅଟୋ ଡିକି ଭାଙ୍ଗି ଲୁଟ୍‌ କରିଥିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଲୁଟେରାକୁ ଗିରଫ କରିଛି। ସେ ହେଲା ଭରତପୁର ହରପାର୍ବତୀ ବସ୍ତିରେ ରହୁଥିବା ନୟାଗଡ଼ ନୂଆଗାଁ ଅଞ୍ଚଳର ଆକାଶ ନାୟକ(୨୪)। ପୁଲିସ ତା’ଠାରୁ ୪୩ ହଜାର ଟଙ୍କା ଜବତ କରିଛି।

ସୂଚନା ମୁତାବକ, ଗତ ୧୭ ତାରିଖ ରାତି ପାଖାପାଖି ସାଢ଼େ ୯ଟା ସମୟରେ ଅଶୋକ ଜେନା ତାରିଣୀ ମାର୍କେଟ୍‌ ନିକଟ ଏକ ଗ୍ରୀଲ୍‌ ଦୋକାନ ସମ୍ମୁଖରେ ନିଜ ଅଟୋକୁ ରଖି ପରିବା କିଣିବା ପାଇଁ ଯାଇଥିଲେ। ଫେରିବା ବେଳକୁ ଅଟୋ ଡିକି ଭଙ୍ଗା ଯାଇଥିଲା ଓ ଭିତରେ ଥିବା ପ୍ରାୟ ୪୫ ହଜାର ଟଙ୍କା ଚୋରି ହୋଇଯାଇଥିଲା। ତୁରନ୍ତ ସେ ଭରତପୁର ଥାନା ପୁଲିସକୁ ଫୋନ୍‌ କରି ଲୁଟ୍‌ ବିଷୟରେ ଜଣାଇଥିଲେ। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସେଠାରେ ଥିବା ଏକ ସିସିଟିଭି ଯାଞ୍ଚ ପରେ ଫୁଟେଜ୍‌ରୁ ଲୁଟେରାକୁ ଚିହ୍ନଟ କରିଥିଲା। ଆଜି ପୁଲିସ ଟିମ୍‌ ହରପାର୍ବତୀ ବସ୍ତିରେ ଚଢ଼ଉ କରି ତାକୁ ଗିରଫ କରିବା ସହ ତା’ ଘରୁ ୪୩ ହଜାର ଟଙ୍କା ଜବତ କରିଥିଲା

ସମ୍ବନ୍ଧିତ ଖବର