ରାଜଧାନୀରେ ଅପରାଧ: ନିଶା ଦେଇ ଲୁଟିଲେ, ପାର୍କରେ ଫିଙ୍ଗିଦେଲେ

ଭୁବନେଶ୍ୱର: ଆଜି ସକାଳେ ଖାରବେଳନଗର ପାର୍କରୁ ଜଣେ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ଖାରବେଳନଗର ଥାନା ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ନିକଟରୁ ପର୍ସ, ମୋବାଇଲ୍‌ ଫୋନ୍‌ କିମ୍ବା ଅନ୍ୟ କୌଣସି କାଗଜପତ୍ର ମିଳିନାହିଁ। ତେଣୁ ଟ୍ରେନ୍‌ରୁ ଓହ୍ଲାଇଥିବା ଏହି ଯୁବକଙ୍କୁ ନିଶାଦିଆ ଲୁଟେରାମାନେ ଲୁଟିବା ପରେ ପାର୍କରେ ଫୋପାଡ଼ି ଚାଲିଯାଇଛନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ତାଙ୍କ ସଂଜ୍ଞା ଫେରିବା ପରେ ପ୍ରକୃତ ସତ ଜଣାପଡ଼ିବ।

ପ୍ରଥମ ପତ୍ନୀଙ୍କୁ ନିର୍ଯାତନା, ସ୍ବାମୀ ଗିରଫ

ଯୌତୁକ ନିର୍ଯାତନା ଓ ଦ୍ବିତୀୟ ବିବାହ କରିବା‌ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ସେ ‌ହେଲେ କେନ୍ଦ୍ରାପଡ଼ାର ଅନୁଜ କୁମାର ଜେନା(୩୪)। ପୁଲିସ ସୂଚନା ମୁତାବକ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଅନୁଜ ବିବାହିତ ହେଲେ ବି ଜଣେ ଯୁବତୀଙ୍କୁ ଭଲପାଇ ଦ୍ବିତୀୟ ବିବାହ କଲେ। ଏହାପରେ ସେ ପ୍ରଥମ ପତ୍ନୀ ରଶ୍ମିତା ଜେନାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଲେ। ଗତକାଲି ଅନୁଜ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଯୌତୁକ ଆଣିବାକୁ ବାଧ୍ୟ କରିଥିଲେ। ଏନେଇ ରଶ୍ମିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା

Mid-Day

ନୂଆପଲ୍ଲୀ ରେଣ୍ଟାଲ୍‌ କଲୋନିରେ ଜଣେ ପୁଲିସ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ବାଲିପାଟଣା ଥାନା ଅଭୟମୁଖୀର କୃଷ୍ଣଚନ୍ଦ୍ର ଶତପଥୀ ଓରଫ୍ ଦାସିଆ। ସେ ପୁଲିସ ବାଟାଲିୟନ୍‌ରେ ୪ର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ଗତକାଲି ରାତିରେ ସେ ଘର ଭିତର ପଟୁ କବାଟ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଋଣ ଟଙ୍କାକୁ ନେଇ ସେ ଦୀର୍ଘ ଦିନ ହେଲା ମାନସିକ ଚାପରେ ଥିଲେ ଏବଂ ଏହି କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ ନମି ଶତପଥୀ କହିଛନ୍ତି। ନୂଆପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଜାତିଆଣ ଆକ୍ଷେପ ସହ ଆକ୍ରମଣ, ଜଣେ ଗିରଫ

ବାରଙ୍ଗ: ବାଇକ୍‌ ମରାମତି ବାବଦ ବାକି ଟଙ୍କା ମାଗିବାକୁ କେନ୍ଦ୍ର କରି ଜଣେ ଗ୍ୟାରେଜ୍‌ ମାଲିକଙ୍କ ଜାତିକୁ ଆକ୍ଷେପ କରି ଗାଳି କରିବା ଓ ହତ୍ୟା ଧମକ ଦେବା ଅଭିଯୋଗରେ ଆଜି ନନ୍ଦନକାନନ ଥାନା ପୁଲିସ କଣ୍ଟୁଣିଆ ଗାଁର ସନାତନ ସାସମଲକୁ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁସାରେ କଣ୍ଟୁଣିଆର ଜ୍ୟୋତିରଞ୍ଜନ ଭୋଇଙ୍କ ଗ୍ୟାରେଜ୍‌ରେ ସନାତନ ବାଇକ୍‌ ମରାମତି କରାଇଥିଲେ। କିନ୍ତୁ ବାକି ଥିବା ଟଙ୍କା ଦେବାକୁ ସନାତନ ଦିନ ଗଡ଼ାଇଚାଲିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସନାତନ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଦୁଇ ପୁଅ ସୁଜିତ୍ ଓ ମୁଗୁଙ୍କୁ ଧରି ଗତ ୧୧ତାରିଖ ରାତିରେ ଜ୍ୟୋତିରଞ୍ଜନଙ୍କ ଘରକୁ ଯାଇ ଜାତିଆଣ ଆକ୍ଷେପ କରି ଗାଳି କରିବା ସହ ମାଡ଼ ମାରିଥିଲେ। ଏନେଇ ଜ୍ୟୋତିରଞ୍ଜନ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ଏମିତିକି ପରେ ସେ ସମ୍ପୃକ୍ତ ଜୋନ୍‌ ଏସିପିଙ୍କୁ ଭେଟିଥିଲେ। ଏହା ପରେ ବି ପୁଲିସ ନିରବ ରହିବାରୁ ସେମାନେ ଏସିପିଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ବସିଥିଲେ। କିନ୍ତୁ ଏହା ପୂର୍ବରୁ ନନ୍ଦନକାନନ ଥାନା ପୁଲିସ ସନାତନକୁ ଗିରଫ କରିଥିଲା।

ଯୁବକଙ୍କୁ‌ ବାନ୍ଧି ନିର୍ଘାତ ମାଡ଼, ବନ୍ଦ ଘରୁ ଉଦ୍ଧାର କଲା ପୁଲିସ୍

Mid-Day

ଚନ୍ଦ୍ରଶେଖରପୁର: ଜଣେ ଏଲ୍‌ଆଇସି ଏଜେଣ୍ଟଙ୍କୁ ଏକ ଘରେ ବନ୍ଦୀ କରି ଲୁହା ପାଇପ୍‌ରେ ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରିଛନ୍ତି ତିନି ଜଣ ଦୁର୍ବୃତ୍ତ। ତେବେ ଇନ୍‌ଫୋସିଟି ଥାନା ପୁଲିସ୍ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଗୁରୁତର ଯୁବକ ସ୍ମୃତିରଞ୍ଜନ ମହାନ୍ତିଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି। ସୂଚନାନୁସାରେ ଲିଙ୍ଗରାଜ ଥାନା ଗ୍ୟାରେଜ୍‌ ଛକରେ ରହୁଥିବା ସ୍ମୃତିରଞ୍ଜନ ଜଣେ ଏଲ୍‌ଆଇସି ଏଜେଣ୍ଟ। ଆଜି ମଧ୍ୟାହ୍ନରେ ତାଙ୍କୁ ଚନ୍ଦକା ଅଞ୍ଚଳର ପ୍ରଦୀପ୍ତ ନାମକ ଜଣେ ଯୁବକ ଏଲ୍‌ଆଇସି ପ୍ରିମିୟମ୍‌ ଦେବା ପାଇଁ ଫୋନ୍‌ କରି ଡାକିଥିଲେ। ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ପ୍ରଦୀପ୍ତଙ୍କର ଏକ କମ୍ପାନି ଠିକଣାରେ ସ୍ମୃତିରଞ୍ଜନ ପହଞ୍ଚିଥିଲେ। ମାତ୍ର ପ୍ରଦୀପ୍ତ ତାଙ୍କୁ ଏକ ପରିତ୍ୟକ୍ତ ଘରେ ବନ୍ଦୀ କରି ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରିଦେଇଥିଲେ। ସ୍ମୃତିରଞ୍ଜନଙ୍କ ଅଭିଯୋଗ ଅନୁସାରେ ପ୍ରଦୀପ୍ତ ଓ ଅନ୍ୟ ଦୁଇ ଜଣ ତାଙ୍କୁ ବାନ୍ଧି ପକାଇ ଲୁହା ପାଇପ୍‌ରେ ପିଟିପିଟି ରକ୍ତା‌କ୍ତ କରିବା ସହ ତାଙ୍କ ଟଙ୍କା, ସୁନାଚେନ୍, ମୁଦି, ପର୍ସ ଓ ବ୍ୟାଗ୍ ଛଡ଼ାଇନେଇଥିଲେ। ଏହା ପରେ ସେମାନେ ବାହାର ପଟୁ ଘରର କବାଟ କିଳି ଫେରାର୍ ହୋଇଯାଇଥିଲେ।

 

ସମ୍ବନ୍ଧିତ ଖବର