ଗଳିକକନ୍ଦିରେ ଅସାମାଜିକଙ୍କ ଆଡ଼ା: କଥା କଥା‌ରେ ଆକ୍ରମଣ, ବିଗିଡ଼ି ଗଲାଣି ଆଇନଶୃଙ୍ଖଳା

ଭୁବନେଶ୍ବର: ରାଜଧାନୀରେ ଜାରି ରହିଛି ଲକ୍‌ଡାଉନ୍। ଛକ ଛକ‌ରେ ପୁଲିସ୍‌ ଚେକିଂ। ରାଜରାସ୍ତାରେ ବୁଲୁଛି ପୁଲିସ୍‌ ଗାଡ଼ି। କିନ୍ତୁ ପୁଲିସ୍‌କୁ ଖାତିର କରୁନାହାନ୍ତି ଅପରାଧୀ। ଗଳିକନ୍ଦିରେ ଆଡ଼ା ଜମାଉଛନ୍ତି। ଆଉ ସେହିଠାରୁ ଅପରାଧର ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି। ଗତ ୭୨ ଘଣ୍ଟାରେ ରାଜଧାନୀର ତିନୋଟି ଅଞ୍ଚଳରେ ରାଜରାସ୍ତା‌‌‌ରେ ମାରଣାସ୍ତ୍ରରେ ଆକ୍ରମଣ କରି ଆତଙ୍କ ଖେଳାଇବା‌ ଘଟଣାରୁ ଏହା ସ୍ପଷ୍ଟ ହେଉଛି। ପୁଲିସ୍‌ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି କରିବାରେ ମାତିଥିବା ବେଳେ ଏପଟେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି।

ରାସ୍ତା ଉପରେ ଅପରାଧୀ ମାରଣାସ୍ତ୍ର ଧରି ବୁଲିବା ଘଟଣା ଏବେ ସହରରେ ଭୟର ବାତାବରଣ ସୃଷ୍ଟି କରିଛି। ଗତ ୨୨ ତାରିଖ ଦିନ ଭୋଇନଗର ଅଞ୍ଚଳରେ ପୋଷ୍ଟମ୍ୟାନ୍ ରାକେଶ ମିଶ୍ରଙ୍କୁ ଆକ୍ରମଣ କରାଯାଇଥିଲା। ଅପରାହ୍‌ଣରେ ଡିସିପି ଅଫିସଠାରୁ ମାତ୍ର କେଇ ହାତ ଦୂରରେ ଏହି ଘଟଣା ଘଟିଥିଲା। ଭୋଇନଗରରେ ଅପରାଧୀମାନେ ମାରଣାସ୍ତ୍ର ଧରି ବସିଥିଲେ। ସେହି ବାଟ ଦେଇ ରାକେଶ ଯାଉଥିବା ବେଳେ ସେମାନଙ୍କ ଉପରେ ନଜର ପଡ଼ି ଯାଇଥିଲା। କାହିଁକି ଚାହିଁଲୁ ବୋଲି କହି ଅପରାଧୀମାନେ ରାକେଶଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳି ଯାଇଥିଲା। ତାହା ଏକ ଜନବସତି ଅଞ୍ଚଳ ହୋଇଥିବାରୁ ଅପରାଧୀ ମାରଣାସ୍ତ୍ର ଧରି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାର ଦୃଶ୍ୟ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଥିଲେ। ଏହାର ପୂର୍ବଦିନ ଅର୍ଥାତ୍‌ ଗତ ମଙ୍ଗଳବାର ରାଜମହଲ ଓଭରବ୍ରିଜ୍ ନିକଟରେ ରାଜରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବୀଭତ୍ସ ଭାବେ କଟୁରିରେ ହାଣିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ବଡ଼ କଥା ହେଲା, ମାତ୍ର ଶହେ ମିଟର ଦୂରରେ ରାଜମହଲ ଓଭରବ୍ରିଜ୍‌ ତଳେ ପୁଲିସ୍‌ର କଡ଼ା ଚେକିଂ ରହିଥିଲା। କିନ୍ତୁ ଅପରାଧୀ ସେ ସବୁକୁ ଖାତିର କରି ନ ଥିଲେ। ପୂରା ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ରାସ୍ତାରେ ଯାଉଥିବା ଲୋକ ଏହି ଘଟଣାକୁ ଦେଖି ଆତଙ୍କିତ ହୋଇ ପଡ଼ିଥିଲେ। ସତେଯେପରି ସହରରେ ପୁଲିସର ଉପସ୍ଥିତି ନ ଥିବା ସେହି ବାଟ ଦେଇ ଯାଉଥିବା ଲୋକ ଅନୁମାନ କରିଥିଲେ।

ଅପରପକ୍ଷେ ପୋଷ୍ଟମ୍ୟାନଙ୍କୁ ଆକ୍ରମଣର କେଇଁ ଘଣ୍ଟା ନ ପୂରୁଣୁ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଏକ ପେସାଦାର ଅପରାଧୀ ହାଣିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଅପରାଧୀ ଟୁଟୁ ରାଉତ ଖଣ୍ଡା ଚୋଟରେ ଚିନ୍ତାମଣିଶ୍ବର ଅଞ୍ଚଳର ଦୟାଲହରି ମଜୁମଦାର ଗୁରୁତର ଆହତ ହୋଇଥି‌ଲେ। ଏହି ସବୁ ଘଟଣା କମିସନରେଟ୍‌ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ରାଜମହଲ ଛକରେ ପୁଲିସର ଉପସ୍ଥିତି ଥିଲେ ମଧ୍ୟ ଏହାର ଶହେ ମିଟର ଦୂରରେ ଅପରାଧୀ କେମିତି ଗୋଡ଼ାଇ ଗୋଡ଼ାଇ ହାଣିଥିଲେ, ଡିସିପି ଅଫିସଠାରୁ ମାତ୍ର ଅଳ୍ପ ଦୂରରେ ଅପରାଧୀ ମାରଣାସ୍ତ୍ର ଧରି ବୁଲିବା ଓ ପୋଷ୍ଟମ୍ୟାନଙ୍କୁ ହାଣିବା ପାଇଁ କେମିତି ସାହସ କରୁଛନ୍ତି, କାହିଁକି ପୁଲିସ ପ୍ରତି ଅସାମାଜିକଙ୍କ ଭୟ ରହୁ ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଦୁଇଟି ଘଟଣାରେ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି। ଅନ୍ୟ ଘଟଣାରେ ଗିରଫ ପାଇଁ ଉଦ୍ୟମ ଜାରି ରହିଛି। ଏବେ କରୋନା ମୁକାବିଲା ପୁଲିସ ପାଇଁ ମୁଖ୍ୟ ଆହ୍ବାନ।

ଗତ ୫ ଦିନ ଭିତରେ ରାଜଧାନୀରେ ଘଟିଥିବା ଅପରାଧ
ଜୁଲାଇ ୨୧: ବାପୁଜୀନଗର ଚିକେନ୍ ଦୋକାନ ନିକଟରେ ରାଜରାସ୍ତାରେ ଯୁବକ ପି. ନରସୀମାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ।
ଜୁଲାଇ ୨୨: ସହିଦନଗର ଥାନା ଭୋଇନଗରରେ ପୋଷ୍ଟମ୍ୟାନ୍ ରାକେଶ ମିଶ୍ରଙ୍କୁ ଆକ୍ରମଣ।
ଜୁଲାଇ ୨୨: ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ବଙ୍ଗାଳିସାହିରେ ଦୟାଲହରି ମଜୁମଦାରଙ୍କୁ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ।
ଜୁଲାଇ ୨୨: ସହିଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳରେ ୫ଟି ଦୋକାନରୁ ୭ ଲକ୍ଷ ଟଙ୍କାର ଚୋରି ଅଭିଯୋଗ।
ଜୁଲାଇ ୨୨: ଖଣ୍ଡଗିରି ଥାନା ବରମୁଣ୍ଡାରେ ମହିଳା କଲ୍ୟାଣୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି।
ଜୁଲାଇ ୨୩: ଜଟଣୀରେ ଆଇଓସିଏଲ୍ ଡିପୋ ମ୍ୟାନେଜର ନୃସିଂହଚରଣ ସେଠୀଙ୍କ କାର ଉପରକୁ ବୋମାମାଡ଼।

ଠପ୍ ହୋଇଗଲାଣି ପାଟ୍ରୋଲିଂ
କରୋନା ମୁକାବିଲା ପାଇଁ ପୁଲିସକୁ ପ୍ରଂଶସା ମିଳିଛି। କିନ୍ତୁ ଅପରାଧୀଙ୍କୁ ମୁକାବିଲା କରିବାରେ କମିସନରେଟ ପୁଲିସ ଏକପ୍ରକାର ଫେଲ୍ ମାରିଛି। ଚୋରି, ଲୁଟ୍, ରାହାଜାନି, ରାଜରାସ୍ତାରେ ଆକ୍ରମଣ ଘଟଣା ଦିନକୁ ଦିନ ବଢି ଚାଲିଛି। ଯାହା ଏବେ କମିସନରେଟ ପୁଲିସ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ହୋଇଛି। ପୁଲିସ ପାଟ୍ରୋଲିଂ ଏକପ୍ରକାର ଠପ୍ ହୋଇଯାଇଛି। ରାଜରାସ୍ତାରେ ଅପରାଧୀ ମାରଣାସ୍ତ୍ର ଧରି ବୁଲିବା ଓ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ରାତିରେ ମଧ୍ୟ ପୁଲିସ ପାଟ୍ରୋଲିଂ ଦେଖିବାକୁ ମିଳୁ ନାହିଁ। ଯେଉଁଥି ପାଇଁ ଅପରାଧୀ ସକ୍ରିୟ ହୋଇଥିବା କୁହାଯାଉଛି। ବିଶେଷକରି ଗଳିକନ୍ଦିରେ ଅସାମାଜିକଙ୍କ ଆଡ଼ା ଜମିଛି। ନିଶାସେବନ କରୁଥିବା ନଜରକୁ ଆସୁଛି। ସେହିପରି ଜାତୀୟ ରାଜପଥରେ ମଧ୍ୟ ପାଟ୍ରୋଲିଂ ଠପ୍ ହୋଇଯାଇଛି। ପାତ୍ରପଡ଼ା ନିକଟରେ ମୋବାଇଲ ଛଡ଼ାଇବା ବେଳେ ବାଇକରୁ ପଡ଼ିଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇବା ଘଟଣା ଏହାର ଜ୍ବଳନ୍ତ ଉଦାହରଣ।

ସମ୍ବନ୍ଧିତ ଖବର