ଛିନ୍ତାଇ ମାମଲା, ଆଉ ଜଣେ ଗିରଫ
ଭୁବନେଶ୍ୱର: ଏକ ଛିନ୍ତାଇ ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସୂର୍ଯ୍ୟକାନ୍ତ ମହାସୁଆର(୩୦)କୁ ଗିରଫ କରିଛି। ଏହି ମାମଲାରେ ପୁଲିସ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିଲା। ପୁଲିସ ସୂଚନାନୁସାରେ ସ୍ଥାନୀୟ କଞ୍ଚସାହିର ଅଭୟ ବେହେରା ରସୁଲଗଡ଼ସ୍ଥିତ ଏସ୍ପ୍ଲାନେଡ୍ ମଲ୍ ସିନେପଲିସ୍ରୁ କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ସେ ବିଏମ୍ସି ମାର୍କେଟ କମ୍ପ୍ଲେକ୍ସ ନିକଟରେ ପହଞ୍ଚିଥିବା ବେଳେ ୩ଜଣ ଦୁର୍ବୃତ୍ତ ଏକ ବୁଲେଟ୍ରେ ଆସି ତାଙ୍କୁ ୨ହଜାର ଟଙ୍କା ଦେବା ନିମନ୍ତେ ବାଧ୍ୟ କରିଥିଲେ। କିନ୍ତୁ ଅଭୟ ଟଙ୍କା ନଦେବାରୁ ସେମାନେ ତାଙ୍କୁ ବହୁ ମାଡ଼ ମାରିଥିଲେ। ଅଭିଯୁକ୍ତମାନେ ତାଙ୍କ ପକେଟରୁ ୧୨ଶହ ଟଙ୍କା ଛଡ଼ାଇ ନେଇଥିଲେ।
ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା
ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ବୁଦ୍ଧିପଡ଼ା ଗ୍ରାମରେ ଆଶିଷ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଆଶିଷ ଜଣେ ଅଟୋ ମାଲିକ। ଦୀର୍ଘଦିନ ହେବ ସେ ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଉଥିଲେ। ଯୁବତୀଙ୍କୁ ବିବାହ ପାଇଁ ଆଶିଷ ବାରମ୍ବାର ପ୍ରସ୍ତାବ ଦେଇଥିଲେ। ମାତ୍ର ଯୁବତୀ ଜଣକ ରାଜି ହୋଇନଥିଲେ। ଶେଷରେ ମାନସିକ ଭାରସାମ୍ୟ ହରାଇ ସେ ଆଜି ସଂଧ୍ୟାରେ ନିଜ ଶୋଇବା ଘରେ ବେକରେ ରଶି ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଥିଲେ।
ଡକାୟତି ଉଦ୍ୟମ ବିଫଳ ମାମଲା
ଫେରାର୍ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ଚଢ଼ଉରୁ ଖସି ଯାଇଥିବା ଜଣେ ଅଭିଯୁକ୍ତକୁ ଆଜି ଶ୍ରୀଲିଙ୍ଗରାଜ ଥାନା ପୁଲିସ ଧରିଛି। ସେ ହେଲା ଜଗନ୍ନାଥ ପ୍ରଧାନ ଓରଫ୍ ଜଗା(୩୦)। ପୁଲିସ ସୂଚନାନୁଯାୟୀ ଗତ ୧୭ ତାରିଖ ରାତିରେ ଏକ ୫ଜଣିଆ ଡକାୟତ ଦଳ ବଶିଷ୍ଠନଗର କେନାଲ ବନ୍ଧରେ ଏକାଠି ହୋଇ ଡକାୟତି ଯୋଜନା କରୁଥିଲା। ସେମାନେ ନିୟମିତ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଡକାୟତି କରନ୍ତି। ପୁଲିସ ଚଢ଼ଉ କରି ୪ ଜଣଙ୍କୁ କାବୁ କରିଥିବା ବେଳେ ଧୂର୍ତ୍ତ ଜଗା ଚମ୍ପଟ ମାରିଥିଲା। ଜଗା ନାମରେ ପୂର୍ବରୁ ଶ୍ରୀଲିଙ୍ଗରାଜ ଥାନାରେ ୯ଟି ମାମଲା ଥିବା ବେଳେ ସହିଦନଗର, ଖଣ୍ଡଗିରି, ବଡ଼ଗଡ଼ ଓ କ୍ୟାପିଟାଲ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି।
୧୦ ବେଆଇନ ବିଦ୍ୟୁତ ଉପଭୋକ୍ତାଙ୍କ ଘରେ ଚଢ଼ଉ, ୩ ଲକ୍ଷ ଜରିମାନା
ବାଲିଅନ୍ତା: ବାଳକାଟି ବିଦ୍ୟୁତ ସେକ୍ସନ ଅଧୀନ ଗଡ଼କଣ୍ଟୁଣିଆ ଗ୍ରାମରେ ଆଜି ମଧ୍ୟାହ୍ନରେ ଭୁବନେଶ୍ବର ଟିପିସିଓଡିଏଲ ମୁଖ୍ୟ କାର୍ଯ୍ୟାଳୟର ଏନ୍ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି। ମିଟର ବାଇପାସ୍ କରି ବିଦ୍ୟୁତ ସେବା ଉପଭୋଗ କରୁଥିବା ୧୦ ଉପଭୋକ୍ତାଙ୍କ ଉପରେ ୩ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବଡ଼ କଥା ହେଉଛି, ଏହି ଉପଭୋକ୍ତାଙ୍କ ମଧ୍ୟରେ ଜଣେ ଏଏସଆଇ ପାହ୍ୟାର ପୁଲିସ ଅଧିକାରୀ ଅଛନ୍ତି। ତାଙ୍କ ଉପରେ କମ୍ପାନି ଦେଢ଼ଲକ୍ଷ ଟଙ୍କା ଜରିମାନା କରିଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଉପଭୋକ୍ତା ଏବଂ ଏନ୍ଫୋର୍ସମେଣ୍ଟ ଟିମ୍ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏନେଇ ବାଳକାଟି ଫାଣ୍ଡି ପୁଲିସ ନିକଟରେ ଅଭିଯୋଗ ପହଞ୍ଚିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ପୁଅର ଛୁରା ମାଡ଼ରେ ବାପା ଆହତ
ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ହୀରାପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ପୁଅ ବାପାକୁ ଛୁରିରେ ପ୍ରାଣାନ୍ତକ ଆକ୍ରମଣ କରିଛି। ଛୁରାମାଡ଼ରେ ୭୦ ବର୍ଷୀୟ ବୃଦ୍ଧ ବାପା ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଜଟିଳ ଥିବା ଜଣାଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଅଭିଯୁକ୍ତ ପୁଅ ଜଣେ ନିଶାଡ଼ି। ଗତକାଲି ସଂଧ୍ୟାରେ ଉଭୟ ବାପ ଏବଂ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପୁଅ ତାଙ୍କୁ ମାଡ଼ ମାରିବା ସହ ଛୁରାରେ ଆକ୍ରମଣ କରିଥିଲା।