ଖଣ୍ଡଗିରି: ଦିନକୁ ଦିନ ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା-ବାହାଦଲପୁର ଗାଁ ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ଗତ କିଛି ବର୍ଷ ହେଲା ଏହି ଦୁଇ ଗାଁକୁ କ୍ୟାପିଟାଲ ସିଟି ଘେରିଯିବା ପରେ ଗାଁର ଯୁବପିଢ଼ି ନିଶା କାରବାର ଓ ଭାଇଗିରି ନିଶାରେ ପଡ଼ିଥିବା ଅଭିଯୋଗ ହୋଇଆସୁଛି। ଫଳରେ ହଣାମରା ଭଳି ସଂଗିନ ଘଟଣା ଏଠାରେ ସାଧାରଣ କଥାରେ ପରିଣତ ହେଲାଣି। ଗତ ୧୦ ବର୍ଷ ଭିତରେ ଗାଁରେ ତିନି ତିନିଟି ମୁଣ୍ଡ ଗଡ଼ିଲାଣି। ସେଥିରେ ପୁଣି ଦୁଇଟି ମାମଲାରେ ବନ୍ଧୁକ ଗର୍ଜିଛି। ଗୋଟିଏ ମାମଲାରେ ବ୍ରାଉନ୍ସୁଗାର କାରବାରକୁ ବିରୋଧ କରିବାରୁ ଗୁଳି ଫୁଟିଥିଲା ଏବଂ ଅନ୍ୟ ମାମଲାରେ ଘରଡିହ ବଣ୍ଟନ ବିବାଦରୁ ବଡ଼ବାପାଙ୍କ ପୁଅକୁ, କକାପୁଅ ଗୁଳି କଲା। ଗାଁର ଯୁବପିଢ଼ିଙ୍କ ଭିତରେ ଅପରାଧପ୍ରବଣତା ଏମିତି ଭୟଙ୍କର ରୂପ ନେଲାଣି ଯେ ସାମାନ୍ୟ ସମ୍ପତ୍ତି ପାଇଁ ଭାଇ ଭାଇକୁ ଗୁଳି କରିବାକୁ ପଛାଉନାହିଁ। ଗାଁର କିଛି ଯୁବକ ନିଶା କାରବାରରେ ଲିପ୍ତ ରହିବା ସହ ଭାଇଗିରି କରିବାକୁ ପସନ୍ଦ କରୁଥିବାରୁ ଏଭଳି ଅଭାବନୀୟ ଘଟଣା ସବୁ ଗାଁ ଲୋକଙ୍କୁ ବିବ୍ରତ କଲାଣି।
୨୦୧୪ ମସିହାରେ ସୋନୁ ହତ୍ୟାକାଣ୍ଡ
ସେତେବେଳେ ରାଜଧାନୀରେ ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସରକନ୍ତରା ଗାଁର ଭରତ ପରିଜାଙ୍କ ଏକମାତ୍ର ପୁଅ କୀର୍ତ୍ତିବାସ ଓରଫ ସୋନୁଙ୍କୁ ସେହି ଗାଁର ତିନି ଯୁବକ ବୀଭତ୍ସ ଭାବେ ହତ୍ୟା କରିଥିଲେ। ତିନି ବନ୍ଧୁ ବାପି, ଲାଲା ଓ ବାପୁନି ଭୋଜି କରିବାକୁ ଡାକି ନେଇ ସୋନୁଙ୍କୁ ହାଣି ହତ୍ୟା କରିଥିଲେ ଏବଂ ମୃତଦେହକୁ ଖଣ୍ଡଖଣ୍ଡ କରି ପଲିଥିନ ପ୍ୟାକେଟ୍ରେ ପୂରାଇ ଧଉଳି ନିକଟ ଦୟା ନଦୀରେ ଭସାଇ ଦେଇଥିଲେ। ଘରକୁ ନ ଫେରିବାରୁ ସୋନୁଙ୍କ ବାପା ଭରତ, ତିନି ବନ୍ଧୁଙ୍କୁ ପଚାରିଥିଲେ। କିନ୍ତୁ ସେମାନେ ସୋନୁକୁ ଦେଖି ନାହାନ୍ତି ବୋଲି ରୋକ୍ଠୋକ ମନା କରିଦେଇଥିଲେ। ତେଣୁ ପରିବାର ଲୋକେ ଖଣ୍ଡଗିରି ଥାନାରେ ନିଖୋଜ ଅଭିଯୋଗ କରିଥିଲେ ଏବଂ ସୋନୁ ନିଖୋଜ ପଛରେ ବାପିର ହାତ ରହିଛି ବୋଲି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ବାପିକୁ ପଚରାଉଚରା କରିଥିଲା, କିନ୍ତୁ ମୃତଦେହ ମିଳିବ ନାହିଁ ବୋଲି ନିଶ୍ଚିତ ଥିବା ବାପି ପୁଲିସକୁ ଭୁଆଁ ବୁଲାଇଥିଲା। ମାତ୍ର ଘଟଣାର ତିନି ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୧ ତାରିଖ ଦିନ ଧଉଳି ନିକଟ ଦୟା ନଦୀରୁ କଟା ହାତ ଓ ଗୋଡ଼ ଖଣ୍ଡ ଭର୍ତ୍ତି କିଛି ପଲିଥିନ ପ୍ୟାକେଟ୍ ଭାସିବା ପରେ ସୋନୁ ନିଖୋଜର ରହସ୍ୟ ଉନ୍ମୋଚିତ ହୋଇଥିଲା। ପରେ ପୁଲିସ ଖୋଜାଖୋଜା କରି ଆହୁରି କିଛି ପଲିଥିନ୍ ପ୍ୟାକେଟ୍ ପାଇଥିଲା ଏବଂ ସେଥିରୁ ସୋନୁର କଟାମୁଣ୍ଡ ଆଦି ଶରୀରର ଅନ୍ୟ ଅଂଶ ଜବତ କରିଥିଲା। ଏହାପରେ ପୁଲିସ ବାପି, ଲାଲା ଓ ବାପୁନିକୁ ବାନ୍ଧିଥିଲା।
୨୦୨୫ ସେପ୍ଟେମ୍ବର ୧୩ରେ ସୁଧାଂଶୁଙ୍କୁ ଗୁଳିମାଡ଼
ଆଜି ଏମ୍ସରେ କାର୍ଯ୍ୟରତ ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଆଜି ସକାଳୁ ସକାଳୁ ଘଟିଥିବା ଏହି ହତ୍ୟାକାଣ୍ଡ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସାମାନ୍ୟ କଥାକୁ ନେଇ ସୁଧାଂଶୁଙ୍କ ନିଜ କକା ପୁଅ ଶିବା ଏହି ଅଭାବନୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ସୁଧାଂଶୁଙ୍କ କକା ସୁକାନ୍ତ ଗାଁରେ ବାହା ହେବା ପରେ ଅଲଗା ରହୁଥିଲେ। ଶଶୁର ଘର ସମ୍ପତ୍ତିରେ ସେ ଭଲରେ ଚଳୁଥିଲେ। ଏପଟେ ସୁଧାଂଶୁଙ୍କ ବାପା ପଠାଣିଙ୍କ ପାଖରେ ପୈତୃକ ସମ୍ପତ୍ତି ହିସାବରେ କେବଳ ଛୋଟ ଘରଡିହ ଖଣ୍ଡେ ଥିଲା। ଜମିବାଡ଼ି କିଛି ନଥିଲା। ପଠାଣିଙ୍କ ମାଆ ନାତି ସୁଧାଂଶୁ ନାଁରେ ଘରଡିହ କରିଦେଲେ। ଏହାକୁ ନେଇ ସୁକାନ୍ତ ଅସନ୍ତୁଷ୍ଟ ଥିଲେ ଏବଂ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ନିଜେ ଭଲରେ ଚଳୁଥିବା ସୁକାନ୍ତ, ବଡ଼ଭାଇ ପଠାଣିଙ୍କଠାରୁ ଛୋଟ ଘରଡିହ ଖଣ୍ଡିକରୁ ଭାଗ ନେବା ପାଇଁ କୋର୍ଟରେ ପହଞ୍ଚିଥିଲେ। ମାତ୍ର କୋର୍ଟଙ୍କ ରାୟ ସୁଧାଂଶୁଙ୍କ ପକ୍ଷରେ ଯାଇଥିଲା। ଏଥିରେ ସୁକାନ୍ତର ପୁଅ ଶିବା ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ପୈତୃକ ସମ୍ପତ୍ତିରୁ ଭାଗ ନପାଇବା ରାଗରେ ସେ ଜଳୁଥିଲା। ଦଶହରା ଦିନ ସେ ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ସୁଧାଂଶୁଙ୍କୁ ହତ୍ୟା କରିବ ବୋଲି ଖୋଲା ଧମକ ଦେଇଥିଲା। ମାତ୍ର ଦୁର୍ଭାଗ୍ୟର କଥା ସୁଧାଂଶୁ ଏହାକୁ ଗୁରୁତ୍ବର ସହ ନେଇ ନଥିଲେ। ଶିବା ଯେ ସତକୁ ସତ ତାଙ୍କୁ ମାରିବ ବୋଲି ଯୋଜନା କରୁଛି, ତାହା ସୁଧାଂଶୁଙ୍କ କଳ୍ପନା ବାହାରେ ଥିଲା। କିନ୍ତୁ ଆଜି ଶିବା ସତକୁ ସତ ସୁଧାଂଶୁଙ୍କୁ ଗାଁ ଦାଣ୍ଡରେ ଗୁଳିକରିଛି।
୨୦୧୯ରେ ପପୁ ଜେନାଙ୍କୁ ଗୁଳିକରି ହତ୍ୟା
୨୦୧୯ ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ସରକନ୍ତରା ସଂଲଗ୍ନ ବାହାଦଲପୁରରେ ପପୁ ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ସଂଜବୁଡ଼ଟାରେ ପପୁ ଓ ତାଙ୍କ ବାପାଙ୍କୁ ତାଙ୍କ ନିଜ ଘର ଆଗରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ସେହି ମାମଲାରେ ମଧ୍ୟ ସୋନୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଜେଲ୍ ଫେରନ୍ତା ବାପିର ହାତ ଥିଲା। ବ୍ରାଉନ୍ସୁଗାର୍ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ବାପି, ହାପି ଓ ଆଲୋକକୁ ଗିରଫ କରିଥିଲା। ସୋନୁ ହତ୍ୟାକାଣ୍ଡର ଖଳନାୟକ ବାପି ଜାମିନରେ ଜେଲ୍ରୁ ମୁକୁଳିବା ପରେ ନିଜକୁ ଡନ୍ ବୋଲି ପ୍ରତିପାଦିତ କରିବାକୁ ସବୁବେଳେ ପାଖରେ ମାଉଜର୍ ରଖି ବୁଲୁଥିଲା ଏବଂ ବ୍ରାଉନ୍ସୁଗାର କାରବାର ଆରମ୍ଭ କରିଦେଇଥିଲା। ଫଳରେ ସରକନ୍ତରା ଓ ବାହାଦଲପୁର ଅଞ୍ଚଳରେ ନିଶାଡ଼ିଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଲା। ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରୁଥିବାରୁ ଗାଁ ଲୋକେ ବାପି ଉପରେ ଅସନ୍ତୁଷ୍ଟ ଥିଲେ। କିନ୍ତୁ ତା’ ମୁହଁରେ କହିବାକୁ କାହାର ଜୁ’ ନଥିଲା। ମାତ୍ର ପପୁ ଜେନା ଆଗକୁ ବାହାରିଥିଲେ। ପପୁଙ୍କ ସମ୍ପର୍କୀୟ ଭାଇ ବ୍ରାଉନ୍ସୁଗାର କବଳରେ ପଡ଼ିବା ପରେ ସେ ଆଗକୁ ବାହାରି ବାପିକୁ ବିରୋଧ କରିଥିଲେ। ପପୁ ଓ ତାଙ୍କ ବାପା ଅଭିମନ୍ୟୁ, ନିଶାମାଫିଆ ବାପି ଘରକୁ ଯାଇ ନିଶା ବେପାରରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଥିଲେ। ଏନେଇ ଗାଁରେ ଏକ ଜରୁରି ବୈଠକ ମଧ୍ୟ ବସିଥିଲା। ସେତେବେଳକୁ ଡନ୍ ପାଲଟିଯାଇଥିବା ବାପି, ପପୁଙ୍କ ଏଭଳି ଦୁଃସାହସର କଡ଼ା ଜବାବ ଦେବାକୁ ସ୍ଥିର କରିଥିଲା ଏବଂ ଘଟଣା ଦିନ ସନ୍ଧ୍ୟାରେ ସିଧାସଳଖ ପପୁଙ୍କ ଘରକୁ ଯାଇ ଗୁଳିମାଡ଼ କରିଥିଲା। ପପୁଙ୍କୁ ବଞ୍ଚାଇବାକୁ ବାପା ଅଭିମନ୍ୟୁ ବାହାରି ଆସିବାରୁ ବାପି ତାଙ୍କୁ ମଧ୍ୟ ଗୁଳି କରିଥିଲା। ଚିକିତ୍ସା ପରେ ଅଭିମନ୍ୟୁ ବଞ୍ଚିଯାଇଥିଲେ, ମାତ୍ର ବାପି ଟାର୍ଗେଟ୍ରେ ଥିବା ପପୁ ପ୍ରାଣ ହରାଇଥିଲେ।
ଗାଁକୁ ବନ୍ଧୁକ ଯୋଗାଉଛି କିଏ?
ଦୁଇ ଦୁଇଟି ଗୁଳିକାଣ୍ଡ ଘଟିବା ଓ ଦୁଇଜଣଙ୍କ ମୁଣ୍ଡ ଗଡ଼ିବା ପରେ ସରକନ୍ତରା ଅଞ୍ଚଳରେ ବହୁ ଅପରାଧୀଙ୍କ ହାତରେ ବନ୍ଧୁକ ଥିବା ଚର୍ଚ୍ଚା ହେଉଛି। ସେତେବେଳେ ବାପି ହାତରେ ବନ୍ଧୁକ ଥିଲା। ପରେ ବାପି ଓ ତା’ର କିଛି ସହଯୋଗୀ ଖଣି ମାଫିଆ ପାଲଟିଯାଇଥିଲେ। ବାପି ଗୋଷ୍ଠୀ ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଖଣି ବେପାରେ ମୁଣ୍ଡ ପୂରାଇଥିଲେ। ପରେ ସେହି ଗୋଷ୍ଠୀରେ ବିଭାଜନ ହୋଇଥିଲା ଏବଂ ଅନ୍ୟ ଗୋଷ୍ଠୀ ମୁଣ୍ଡ ଟେକିଥିଲେ। ଏହି ଅପରାଧୀମାନେ ବନ୍ଧୁକ ବେପାର କରୁଥିବା ଅଭିଯୋଗ ହୋଇଆସୁଛି। ଏବେ ଗାଁ ଓ ଆଖପାଖ ଅଞ୍ଚଳର ଯୁବକମାନେ ଗ୍ୟାଙ୍ଗ୍ ଗଢ଼ିଲେଣି ବୋଲି କୁହାଯାଉଛି। ଏମିତିକି କିଛି ଅସାମାଜିକତତ୍ତ୍ବ ଅସ୍ଥାୟୀ କ୍ଲବ୍ ଗଢ଼ି ଖଟି ଜମାଉଛନ୍ତି। ଆଜି ଗୁଳି କରିଥିବା ଯୁବକ ଶିବା ସେମିତି ଏକ ଗ୍ୟାଙ୍ଗ୍ର ସଦସ୍ୟ ବୋଲି ଜଣାପଡ଼ିଛି। ତେଣୁ ସୁଧାଂଶୁଙ୍କୁ ହତ୍ୟା କରିବା ପାଇଁ ତା’ ସାଙ୍ଗରେ ଥିବା ସହଯୋଗୀମାନେ ତାକୁ ବନ୍ଧୁକ ଯୋଗାଇଥିବା କୁହାଯାଉଛି। ଶିବା ଓ ତା ସହଯୋଗୀମାନେ ଧରାପଡ଼ିବା ପରେ ବନ୍ଧୁକ ଚାଲାଣର ପର୍ଦ୍ଦାଫାସ୍ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି।