ଅପରାଧ ଖବର

ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା, ବର୍ଷେ ପରେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଫେରାର ଅଭିଯୁକ୍ତକୁ ବର୍ଷେ ପରେ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଅଭିଯୁକ୍ତ ହେଉଛି ଡୁମୁଡୁମାର ମନୋରଞ୍ଜନ ଦାସ। ଅଭିଯୁକ୍ତ ମନୋରଞ୍ଜନର ଅନ୍ୟତମ ସହଯୋଗୀ ଏବେ ବି ଫେରାର ଅଛି। ଅଭିଯୋଗ ମୁତାବକ, ୨୦୧୯ ମସିହା ନଭେମ୍ବର ୮ ତାରିଖରେ ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡାରେ ରହୁଥିବା ହରିଶଙ୍କର ଜେନା ପଞ୍ଚସଖାନଗର ଦେଇ ଆସୁଥିବା ବେଳେ ଏକ ବୁଲେଟ୍‌ରେ ମନୋରଞ୍ଜନ ଓ ତା’ର ସହଯୋଗୀ ଆସି ହରିଶଙ୍କରଙ୍କ ମୁଣ୍ଡରେ ଏକ ଆଜବେଷ୍ଟସ ଖଣ୍ଡ ପିଟିଦେଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ହେଲେ ଅଭିଯୁକ୍ତ ଦ୍ବୟ ଫେରାର ଥିଲେ। ଗତକାଲି ରାତିରେ ମନୋରଞ୍ଜନ ଘରେ ଥିବା ଖବର ପାଇ ପୁଲିସ ତାକୁ ଗିରଫ କରିଛି।

ସ୍କୁଟି ଚାଳକଙ୍କୁ ମାଡ଼ ମାରି ଲୁଟ୍‌ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ସ୍କୁଟି ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲୁଟିବା ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ। ଅଭିଯୁକ୍ତ ହେଉଛି ନୂଆପଲ୍ଲୀ ସାଲିଆସାହି ତାରିଣୀନଗର ବସ୍ତିର ରେହାନ ଖାଁ। ଗତବର୍ଷ ଅକ୍ଟୋବର ୨୩ ତାରିଖ ଦିନ ହିତେଶ ବାରିକକୁ ପୁଲିସ ଏହି ମାମଲାରେ ଗିରଫ କରିଥିଲା। ଏହି ମାମଲାରେ ଦେବୀ ଦାସ, ବାପି ଓ ବିକାଶ ସେଠୀ ଏବେ ବି ଫେରାର ଅଛନ୍ତି। ଗତବର୍ଷ ସେପ୍ଟେମ୍ବର ୧ ତାରିଖ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ନୂଆପଲ୍ଲୀର ନିରଙ୍କରୀ ନଗରରେ ରହୁଥିବା ସଞ୍ଜୟ ସେଠୀ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଦୁଇଟି ବାଇକ୍‌ରେ ଅଭିଯୁକ୍ତମାନେ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରି ସ୍କୁଟି ଓ ମୋବାଇଲ ସହ ୧୩ଶହ ଟଙ୍କା ଛଡ଼ାଇ ନେଇ ପଳାଇଥିଲେ। ଏ ନେଇ ସଞ୍ଜୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାର ୭ ଦିନ ପରେ ପୁଲିସ ହିତେଶକୁ ଗିରଫ କରିଥିଲା।

ଯୁବତୀଙ୍କୁ କମେଣ୍ଟ କରି ୨ ଗିରଫ
ଭୁବନେଶ୍ୱର : ଯୁବତୀଙ୍କୁ କମେଣ୍ଟ କରିବା ଅଭି‌ଯୋଗରେ ସହିଦନଗର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସାଇନ୍ସପାର୍କ ବସ୍ତିର ଲିଙ୍ଗରାଜ ନାୟକ ଓ ବିକାଶ ମଲ୍ଲିକ୍‌। ଗତ ୧ ତାରିଖରେ ଉଭୟ ଅଭିଯୁକ୍ତ ସ୍ଥାନୀୟ ବସ୍ତିର ଜଣେ ଯୁବତୀଙ୍କୁ କମେଣ୍ଟ କରିବା ସହ, ଅସଦାଚରଣ ଏବଂ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୁଲିସ ଉଭୟଙ୍କୁ ଗିରଫ କରିଛି।

ଫୋନ୍‌ ଲୁଟ୍‌ ଅଭିଯୋଗରେ ୨ ଗିରଫ
ଭୁବନେଶ୍ୱର : ଜଣେ ପଥଚା‌ରୀଙ୍କଠାରୁ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇଥିବା ଅଭିଯୋଗରେ ଆଜି ତମାଣ୍ଡୋ ଥାନା ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ତମାଣ୍ଡୋ ଥାନା ବାଲିଆପଡ଼ାର ବିଶାଲ୍‌ କୁମାର ଦାସ ଓ ଆକାଶ ସ୍ୱାଇଁ। ଉଭୟଙ୍କଠାରୁ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ଗତ ମାସ ୨୩ ତାରିଖରେ ଭଗବାନପୁରର ପ୍ରୀତିରଞ୍ଜନ ସାହୁ ବଜାରକୁ ଚାଲିଚାଲି ଆସୁଥିଲେ। ରାସ୍ତାରେ ଏକ ନିଛାଟିଆ ସ୍ଥାନରେ ସେ ପହଞ୍ଚିଥିବାବେଳେ ବିଶାଲ୍‌ ଓ ଆକାଶ ସେଠାରେ ପହଞ୍ଚି ତାଙ୍କ ବେକରେ ଛୁରି ଲଗାଇ ଡରାଇଥିଲେ ଓ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ତେବେ ପ୍ରୀତିରଞ୍ଜନ ସେମାନଙ୍କ ବାଇକ୍‌ ନମ୍ବର ମନେ ରଖି ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ଲୁଟ୍‌ ମୋବାଇଲ୍‌ ଫୋନ୍‌କୁ ଟ୍ରାକ୍‌ କରି ଅଭିଯୁକ୍ତଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର