କମୁନି ଅପରାଧ

ଭୁବନେଶ୍ୱର : ରାଜଧାନୀରେ ଚଳିତ ବର୍ଷର ଅପରାଧ ହାର ପୂର୍ବ ତିନିବର୍ଷର ଅପରାଧକୁ ଟପିଯାଇଛି। ଦ୍ବୈତନଗରୀରେ ଦୁଷ୍କର୍ମ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି। କଟକରେ କେବଳ ଡକାୟତି ଓ ଠକେଇ କମିଥିବା ବେଳେ ଅନ୍ୟ ସମସ୍ତ ଅପରାଧ ବଢ଼ିଥିବା ରେକର୍ଡ କହୁଛି। ଦୁର୍ଘଟଣାକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରୁନି। ସମସ୍ତ ଅପରାଧ ପଛରେ ‘ନିଶା’ ମୁଖ୍ୟ କାରଣ ବୋଲି କୁହାଯାଉଛି। ନିଶା ଉପରେ କାବୁ ଅଣାଯାଇ ପାରିଲେ ଅପରାଧ ହ୍ରାସ ପାଇବା ସମ୍ଭବ ହେବ ବୋଲି କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ତେବେ କମିସନରେଟ୍‌ ପୁଲିସ ଅଧୀନରେ କାର୍ଯ୍ୟକ୍ଷମ ପିସିଆର ଭ୍ୟାନ୍‌ ସେବା ତଥା ‘ଡାଏଲ ୧୦୦’ଚଳିତ ବର୍ଷ ସର୍ବକାଳୀନ ରେକର୍ଡ କରିଛି। ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚିବା‌ ସହ ଜୀବନ ରକ୍ଷା କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତି କହିଛନ୍ତି। କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ବୈତନଗରୀର ଅପରାଧ ସଂପର୍କରେ ସେ ଏପରି ସୂଚନା ଦେଇଛନ୍ତି।

ସିନ୍ଧି ଚୋରି କମିଛି

ସିନ୍ଧି ଚୋରି କମିଛି। ଏହାର ବାର୍ଷିକ ହାର ୨୪୬ ଥିବା ବେଳେ ୨୦୧୮ରେ ୨୨୯ଟି ମାମଲା ହୋଇଛି। ସେହିଭଳି ଦଙ୍ଗା ହାର ମଧ୍ୟ କମିଛି। ବାର୍ଷିକ ମାମଲା ସଂଖ୍ୟା ହାରାହାରି ୧୦୫ ଥିବା ବେ‌େଳ ୨୦୧୮ରେ ୧୦୫ଟି ମାମଲା ହୋଇଛି। ଚୋରି ମଧ୍ୟ କମିଛି। ବାର୍ଷିକ ମାମଲା ହାର ୧୫୯୪.୬ ଥିବା ବେଳେ ‌୨୦୧୮ରେ ୧୫୫୫ଟି ମାମଲା ରୁଜୁ ହୋଇଛି। ସେହିଭଳି ଠକେଇ ମାମଲା ମଧ୍ୟ କମିଛି। ବାର୍ଷିକ ଠକେଇ ମାମଲା ହାର ୬୦୭.୬ ରହିଥିବା ବେଳେ ୨୦୧୮ରେ ୫୮୪ଟି ମାମଲା ରୁଜୁ ହୋଇଛି। ତିନିବର୍ଷକୁ ନେଇ ହିସାବ କରାଯାଇଥିବା ମୋଟ ମାମଲା ହାର ୭୧୫୧.୩ ଥିବା ବେଳେ ୨୦୧୮ରେ ମୋଟ ୭୨୧୯ଟି ମାମଲା ରୁଜୁ ହୋଇଛି। ବର୍ଦ୍ଧିତ ମାମଲା ହାର ୦.୯ ରହିଥିବା ପୁଲିସ କମିସନର କହିଛନ୍ତି।

କମିସନରେଟ୍‌ ପୁଲିସ ପାଇଁ ଆହ୍ବାନ ଡକାୟତି ଓ ଦୁର୍ଘଟଣା

‘ଡାଏଲ ୧୦୦’ ହିରୋ
ସହରରେ ୨୪ ଘଣ୍ଟା ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଚାଲିଥିବା ପିସିଆର ସେବା ‘ଡାଏଲ-୧୦୦’ ସଫଳ ହୋଇଛି। ଭୁବନେଶ୍ବର ‘ଆଧୁନିକ ନିୟନ୍ତ୍ରଣ କକ୍ଷ’କୁ ୧୫ ଲକ୍ଷ ୬୪ ହଜାର ୧୨୫ କଲ୍‌ ଆସିଥିବା ବେ‌େଳ‌ ୬୬ ମୃତଦେହକୁ ସହରର ବିଭିନ୍ନ ସ୍ଥାନରୁ ହସ୍‌ପିଟାଲ ନିଆଯାଇଛି। ୨୧୪୭ ଆହତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ନିଆଯାଇଛି। ଘଟଣାସ୍ଥଳରୁ ୨୦୯୭ ଅଭିଯୁକ୍ତକୁ ଧରି ସମ୍ପୃକ୍ତ ଥାନାରେ ଜିମା ଦିଆଯାଇଛି। ୨୭୦ ଜଣ ଅବହେଳିତ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪୧୨ ମଦ୍ୟପଙ୍କୁ ଉଦ୍ଧାର କରାଯାଇଛି। ଏଭଳି ଏକ ପଦକ୍ଷେପକୁ ପୁଲିସ କମିସନର ପ୍ରଶଂସା କରିବା ସହ ଆଗକୁ ଏହା କିଭଳି ସାଧାରଣ ଲୋକଙ୍କର ଆହୁରି ନିକଟତର ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

ବନ୍ଧୁକ/ଗୁଳି/ନିଶାଦ୍ରବ୍ୟ
ଆର୍ମସ ଆକ୍ଟ ବଳରେ ଭୁବନେଶ୍ବରର ବିଭିନ୍ନ ଥାନାରେ ୬୯ ମାମଲା ରୁଜୁ ହୋଇଥିବା ବେଳେ ୭୯ଜଣ ବନ୍ଧା ହୋଇଥିଲେ। ସେମାନଙ୍କଠାରୁ ୨୩ ବନ୍ଧୁକ ସହ ୬୫ଗୁଳି ଜବତ କରାଯାଇଛି। ସେହିଭଳି ଭୁବନେଶ୍ବରରେ ନିଶାଦ୍ରବ୍ୟ କାରବାରକୁ ନେଇ ୪୧ ମାମଲା ରୁଜୁ ହୋଇଥିବା ବେଳେ ୬୭ ବନ୍ଧା ହୋଇଛନ୍ତି। ୬୫୫.୭୨୨ କେଜି ଗଞ୍ଜେଇ ସହ ୮୩୩ .୧୩ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ଗୋଟିଏ କାର୍‌, ନଗଦ ୬ଲକ୍ଷ ୪୩ହଜାର ୩୪୦ ଟଙ୍କା ଓ ୧୨ ମୋବାଇଲ ଫୋନ୍‌ ଜବତ ହୋଇଛି।

ଅପରାଧ ପଛରେ ନିଶା
ରାଜଧାନୀରେ ଅପରାଧ ବଢ଼ିବା ପଛରେ ନିଶା ମୁଖ୍ୟ କାରଣ ବୋଲି କମିସନର୍‌ ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି। ଏହା ମଧ୍ୟରେ ସହରରେ ଜନସଂଖ୍ୟା ମଧ୍ୟ ବଢ଼ିଥିବା ସେ ସୂଚନା ଦେଇଛନ୍ତି। ସେହି ହାରରେ ଥାନାକୁ ଅଧିକ ଅଭିଯୋଗ ଆସୁଛି। ଭାରତରେ ଅପରାଧ ବର୍ଦ୍ଧିତ ହାର (ଲକ୍ଷେ ଜନସଂଖ୍ୟାରେ ଅପରାଧ ସଂଖ୍ୟା) ୩୪୦ ଥିବା ବେଳେ ରାଜ୍ୟରେ ୨୫୦ ଓ କମିସନରେଟ୍‌ ପୁଲିସ ଅଧୀନରେ ଏହି ହାର ୨୦୦ ରହିଛି। ୮୦ ପ୍ରତିଶତ ଅପରାଧ ପଛରେ ବ୍ରାଉନ୍‌ ସୁଗାର ନିଶା ରହିଥିବାରୁ ଏହାକୁ ମୂଳୋତ୍ପାଟନ କରିବା ପାଇଁ ଯୋଜନା ଥିବା ସେ କହିଛନ୍ତି।

ଦୁର୍ଘଟଣା, ଦୁଷ୍କର୍ମ ବଢ଼ିଛି

ଦୁଷ୍କର୍ମ ଘଟଣାରେ ପୂର୍ବ ବର୍ଷ ତୁଳନାରେ ଭୁବନେଶ୍ବରରେ ୩ଟି ମାମଲା କମ୍‌ ରହିଥିଲେ ମଧ୍ୟ ହାରାହାରି ହିସାବରେ ବର୍ଦ୍ଧିତ ହାର ୨୬.୬ ରହିଛି। ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ବଢ଼ି ଚାଲିଛି। ସୁପ୍ରିମକୋର୍ଟ କମିଟିଙ୍କ ବାରମ୍ବାର ତାଗିଦ୍‌ ପରେ ବି ଏହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରିନି। ଗତବର୍ଷ ରାଜପଥ ଓ ରାଜ୍ୟ ରାଜପଥରେ ମୋଟ ୬୦୦ଦୁର୍ଘଟଣାରେ ୧୮୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୬୫୩ଦୁର୍ଘଟଣାରେ ୨୨୬ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଭାଙ୍ଗିଥିବା ୬୧ହଜାର ୬୭୬ଙ୍କଠାରୁ ୩ କୋଟି ୧୨ ଲକ୍ଷ ୪୭ ହଜାର ୫ଶହ ଜରିମାନା ଆଦାୟ ହୋଇଥିବା ବେଳେ ୧,୬୯, ୮୧୬ ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କଠାରୁ ୧ କୋଟି ୭୬ ଲକ୍ଷ ୧୮ ହଜାର ୯ଶହ ଟଙ୍କା ଜରିମାନା ଆଦାୟ ହୋଇଛି।

ଭୟ ସୃଷ୍ଟି କରିଛି ଛିନ୍‌ତାଇ, ଡକାୟତି
ସାଧାରଣ ଲୋକଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରୁଥିବା ଅପରାଧ ହେଉଛି ଛିନ୍‌ତାଇ, ଡକାୟତି। ଏହି ଦୁଇଟି ଅପରାଧ ଏବେ ବଢ଼ି ବଢ଼ି ଚାଲିଥିବାରୁ ଏହା ପୁଲିସ ପାଇଁ ଆହ୍ବାନ ହୋଇଛି। ୨୦୧୫ରୁ ୨୦୧୭ ମଧ୍ୟରେ ଭୁବନେଶ୍ବରରେ ବାର୍ଷିକ ୧୮୩ ଛିନ୍‌ତାଇ ମାମଲା ହେଇଥିବା ବେଳେ ୨୦୧୮ରେ ୧୯୩ଟି ଏହି ମାମଲା ହୋଇଛି। ସେହିଭଳି ଏହି ୩ ବର୍ଷରେ ଡକାୟତି ହାର ୨୧.୬ ରହିଥିବା ବେଳେ ଚଳିତ ବର୍ଷ ୨୭ଟି ଡକାୟତି ହୋଇଛି।

ସମ୍ବନ୍ଧିତ ଖବର