ଭୁବନେଶ୍ୱର : ଉତ୍ପାତ କଲେଣି ଅପରାଧୀ। ରାଜପଥରେ ଆଡ୍ଡା ଜମେଇଲେଣି। ଦୁଇ ଦିନ ତଳେ ତମାଣ୍ଡୋ ଛକରେ ଗାଡ଼ି ଚାଳକକୁ ହାଣି ଲୁଟ୍‌ କରିଥିବା ବେଳେ ଗତ ବିଳମ୍ବିତ ରାତିରେ ଦୁଇଜଣ ଛାତ୍ରଙ୍କୁ ଆଇଗିଣିଆ ଓଭରବ୍ରିଜ ଉପରୁ ଉଠାଇ ଆଣି ଖଣ୍ଡଗିରି ପାହାଡ଼ ପାଖରେ ନିର୍ଧୁମ ପିଟି ଲୁଟ୍‌ କରିଛନ୍ତି। ଛାତ୍ରଙ୍କୁ ଦୁର୍ବୃତ୍ତମାନେ କାମୁଡ଼ି ପକାଇଛନ୍ତି। ତାଙ୍କ ଠାରୁ ତିନି ହଜାର ଟଙ୍କା, ଚାବି ଓ ମୋବାଇଲ୍ ଆଦି ଲୁଟି ନେଇଛନ୍ତି। ଉଭୟ ଛାତ୍ର ହେଉଛନ୍ତି ଝାରସୁଗୁଡ଼ାର ତରଣୀସେନ ଧାରୁଆ ଓରଫ ସୋନୁ ଓ ତାଙ୍କ ସାଙ୍ଗ ଗୁଡୁ। ଉଭୟ ରସୁଲଗଡ଼ରେ ରୁହନ୍ତି।

Advertisment

ତରଣୀସେନଙ୍କ ମା’ଙ୍କ ଦେହ ଖରାପ ଥିବାରୁ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ରାତି ସାଢ଼େ ୧୨ଟା ସମୟରେ ଏକ ପଲସର ବାଇକ୍‌ରେ ଗୁଡୁ ଓ ତରଣୀସେନ ରସୁଲଲଗଡ଼ ଫେରୁଥିଲେ। ଆଇଗିଣିଆ ଫ୍ଲାଏ ଓଭର ନିକଟରେ ଏକ ସୁଇଫ୍ଟ ଡିଜାୟାରରେ ୪ ଜଣ ଯୁବକ ପହଞ୍ଚିଥିଲେ। ଗୁଡୁ ଓ ତରଣୀସେନଙ୍କୁ ଅଟକାଇ ଭରତପୁରକୁ ରାସ୍ତା କେଉଁ ଆଡ଼େ ବୋଲି ପଚାରିଥିଲେ। ଠିକଣା ପଚାରିବା ବାହାନାରେ ଓହ୍ଲାଇ ଉଭୟଙ୍କୁ କାର୍‌ ଭିରକୁ ଟେକି ନେଇ ପଳାଇଥିଲେ। ସେଠାରେ ମାଡ଼ ମାରି ଲୁଟିଥିଲେ। ଏତଲା ଦେବା ବେଳେ ଖଣ୍ଡଗିରି ଥାନା ପୁଲିସ ଏତଲାକରୀଙ୍କୁ ପରିହାସ କରିଥିବା ଅଭିଯୋଗ ହୋଇଥିଲା। କିନ୍ନରମାନେ ଗାଲ ଓ କାନକୁ କାମୁଡି ଥିବା ପୁଲିସ କର୍ମଚାରୀ କହିବାରୁ ଥାନାରେ ଉତ୍ତେଜନା ପ୍ରକାଶ ପାଇଥିଲା।