ଅପରାଧୀଙ୍କ କବ୍‌ଜାରେ ସହର : ୨୪ ଘଣ୍ଟାରେ ଲୁଟ୍, ଡକାୟତି, ଗୁଳିକାଣ୍ଡରେ ଥରହର

ଫାଣ୍ଡି ସାମ୍ନାରୁ ଅଳଙ୍କାର ଦୋକାନ ଲୁଟିଲେ, ପୁଲିସ ପାଇଁ ଅପରାଧୀ ଏବେ ବି ଅପହଞ୍ଚ

ଭୁବନେଶ୍ବର/ ବାରଙ୍ଗ/ମେଣ୍ଢାଶାଳ : ରାଜଧାନୀରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପଛରେ ପଡ଼ିଛି କମିସନରେଟ୍ ପୁଲିସ। ଅପରାଧ କଥା ଭୁଲି ଯାଇଛି। ପୁଲିସର ଏପରି ବେପରୱା କାର୍ଯ୍ୟକଳାପକୁ ଦେଖି ସହରରେ ଅପରାଧୀ ଅଧିକ ସକ୍ରିୟ ହୋଇ ପଡ଼ିଛନ୍ତି। ସହରରେ ଦିନକୁ ଦିନ ଅପରାଧ ବି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ସଂଖ୍ୟାଧିକ ଲୁଟ୍, ଡକାୟତି, ଗୁଳିକାଣ୍ଡ ଘଟାଇ ଥରହର କରି ଦେଲେଣି ଅପରାଧୀ। ପରିସ୍ଥିତି ଏପରି ହୋଇଛି ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳ ଯେମିତି ଅପରାଧୀଙ୍କ କବଜାକୁ ଚାଲିଯାଇଛି। ବାରଙ୍ଗରେ ଗହଣା ଦୋକାନରୁ ଡକାୟତି, ଚନ୍ଦକା, ମେଣ୍ଢାଶାଳରେ ଅଳଙ୍କାର ଦୋକାନରୁ ଲୁଟ୍ ଓ ଆଜି ଜଣେ ଫ୍ୟାସନ ଡିଜାଇନ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି କି ରାଜଧାନୀ ଏବେ ଦୁର୍ଦାନ୍ତ ଲୁଟେରାଙ୍କ କବ୍‌ଜାରେ।

ବାରଙ୍ଗ ଗୋଡିସାହିରେ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ୍ ଘଟଣାକୁ ୨୪ ଘଣ୍ଟା ବିତି ଗଲାଣି। କିନ୍ତୁ ଅପରାଧୀଙ୍କ ଟେର୍ ପାଇପାରି ନାହିଁ କମିସନରେଟ୍ ପୁଲିସ। ବାରଙ୍ଗ ଥାନା ପୁଲିସ ଗହଣା ଦୋକାନରେ ପହଞ୍ଚି ଅଳଙ୍କାର ପରିମାଣ ଯାଞ୍ଚ କରିଛି। ଗତକାଲିର ଘଟଣା ସମ୍ପର୍କରେ ଦୋକାନୀ ଓ ଘର ମାଲିକଙ୍କୁ ପଚରାଉଚରା କରିଛି। ଡକାୟତି କରିବାକୁ ଆସିଥିବା ୬ ଜଣଙ୍କ ଭିତରୁ ୨ ଜଣଙ୍କ ହାତରେ ବନ୍ଧୁକ ଓ ୨ ଜଣଙ୍କ ହାତରେ ଚାପଡ଼ ରହିଥିବା ସେମାନେ ପୁଲିସକୁ କହିଛନ୍ତି। ପୂରା ଅଞ୍ଚଳକୁ କବଜାକୁ ନେଇ ଯାଇଥିଲେ ଦୁର୍ବୃତ୍ତ। ଘର ମାଲିକଙ୍କ ପୁଅ ବାହାରକୁ ଆସିବା ପରେ ତାଙ୍କ ମୁଣ୍ଡରେ ବି ବନ୍ଧୁକ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ଫିଲ୍ମ ଷ୍ଟାଇଲରେ ଘଟାଇଥିଲେ ଅପରାଧ। ସେମାନେ ହିନ୍ଦୀ ଏବଂ ଓଡ଼ିଆରେ କଥାବାର୍ତ୍ତା କରୁଥିବାରୁ ଡକାୟତ ଅଣଓଡ଼ିଆ ହୋଇଥିବା ସନ୍ଦେହ କରାଯାଉଛି। କିନ୍ତୁ ବିନା ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ତଦନ୍ତ କରି ଫେରି ଆସିଛି। ଗହଣା ଦୋକାନ ନିକଟରେ ଏକ ଘରେ ଲାଗିଥିବା ସିସିଟିଭି ହିଁ ଅଭିଯୁକ୍ତଙ୍କୁ ଧରାଇବ ବୋଲି ଆଶା ବାନ୍ଧିଛି ପୁଲିସ। ବାରଙ୍ଗ ଗୋଡିସାହି ବଜାରରୁ ଗହଣା ଦୋକାନ ଲୁଟ୍ ଘଟଣାକୁ କେଇ ଘଣ୍ଟା ନ ପୂରୁଣୁ ପୁଣି ମାତିଛନ୍ତି ଲୁଟେରା। ମେଣ୍ଢଶାଳ ଫାଣ୍ଡି ନିକଟରେ ଥିବା ବାସୁଦେବ ଗହଣା ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଦୋକାନର କବାଟ ତାଡି ସୁନା, କେଜିଏ ରୁପା ଓ ଟଙ୍କା ନେଇ ଯାଇଛନ୍ତି। ଆଜି ସକାଳୁ ଦୋକାନ ମାଲିକ ଗଣେଶ କୁମାର ସାହୁ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଲେ। ଏ ନେଇ ମେଣ୍ଢାଶାଳ ଫାଣ୍ଡିକୁ ଖବର ଦେବା ପରେ ଫାଣ୍ଡି ଅଧିକାରୀ ଅକ୍ଷୟ କୁମାର ନାୟକ ଘଟଣା ସ୍ଥଳକୁ ଯାଇ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ଫାଣ୍ଡି ନିକଟରେ ଦୋକାନ ଲୁଟି କମିସନରେଟ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା।

ପୁଲିସଠୁ ୨ ଲକ୍ଷ ଲୁଟ୍ ମାମଲାରେ ଏରାଗୋଲା ଗ୍ୟାଙ୍ଗର ହାତ!
ରାଜଧାନୀରେ ପୁଲିସ କନଷ୍ଟେବଳଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ମାମଲାକୁ ୪ ଦିନ ବିତି ଗଲାଣି। ଚାରି ଦିନ ପରେ ବି ପୁଲିସ ହାତ ଖାଲି। ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପୁଲିସ ଚଢାଉ କରି ବିଫଳ ହୋଇଛି। ଜେଲରେ ଯାଞ୍ଚ କରିବା ସହ ପୁରୁଣା ଅପରାଧୀଙ୍କ ରେକର୍ଡ ଲେଉଟାଇବା ଆରମ୍ଭ କରିଛି। ଏହି ଲୁଟ୍ ପଛରେ ଏରାଗୋଲା ଗ୍ୟାଙ୍ଗର ହାତ ରହିଥିବା ପୁଲିସ ସନ୍ଦେହ କରୁଛି। ଠିକ୍ ଏହାର ଗୋଟିଏ ଦିନ ପରେ ଏକାମ୍ର କଲେଜ ନିକଟରୁ ୩ଟି ଦୋକାନରୁ ସିରିଜ୍ ଲୁଟ୍ ଘଟଣାରେ ବି ପୁଲିସ ଟେର୍ ପାଇ ପାରି ନାହିଁ। ଥାନାଠାରୁ ଅଳ୍ପ ଦୂରରେ ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଥିଲେ ବି ପୁଲିସ ଜାଣିପାରି ନ ଥିଲା।

ସମ୍ବନ୍ଧିତ ଖବର