ଭୁବନେଶ୍ବର : ରାଜ୍ୟରେ ବଢ଼ି ଚାଲିଥିବା ସାଇବର ଠକେଇରେ ରୋକ୍ ଲଗାଇବାକୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ସାଇବର ଠକମାନେ କିଭଳି ଲୋକଙ୍କୁ ସେମାନଙ୍କ ମାୟା ଜାଲରେ ଫସାଉଛନ୍ତି, ତା’ର ଚିତ୍ର ଏହି ଭିଡିଓରେ ପ୍ରଦର୍ଶିତ ହୋଇଛି। ଏଥିସହିତ କେହି ଠକେଇର ଶିକାର ହେଲେ, ତୁରନ୍ତ କ’ଣ କରିବାକୁ ହେବ, ସେନେଇ ମଧ୍ୟ ପରାମର୍ଶ ଦିଆଯାଇଛି। ଠକେଇର ଗୋଲ୍ଡେନ୍ ଆୱାର୍ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଠକେଇ ହେବାର ପ୍ରଥମ ଘଣ୍ଟାକୁ ଗୋଳ୍ଡେନ୍ ଆୱାର କୁହାଯାଉଛି। ଏହି ଅବଧି ଭିତରେ ଅଭିଯୋଗ ହେଲେ, ପୁଲିସ ଆକାଉଣ୍ଟକୁ ସିଜ୍ କରିବା ସହ ଟ୍ରାନ୍ସଫର୍ ହୋଇଥିବା ଟଙ୍କାକୁ ବନ୍ଦ ବା ଅଟକାଇପାରେ। ଫଳରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ପୁଣି ତାଙ୍କ ଟଙ୍କା ଫେରିପାଆନ୍ତି।
ଗତ ସପ୍ତାହରେ ପଳାସୁଣୀ ପ୍ରାଚୀ ବିହାରରୁ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ଝାଡ଼ଖଣ୍ଡର ୩ ସାଇବର ଠକଙ୍କୁ ଗିରଫ କରିଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯାଇଥିଲା। ସେମାନେ ଲୋକଙ୍କୁ ଫୋନ୍ କରି କିଭଳି ଫସାଉଥିଲେ, ତା’ର ସିନ୍ ରିକ୍ରିଏସନ୍ କରାଇଥିଲା। ଏହି ସିନ୍ ରିକ୍ରିଏସନ୍କୁ କ୍ରାଇମ୍ବ୍ରାଞ୍ଚ ଭିଡିଓ ସୁଟ୍ କରିଛି। ଏବେ ଏହି ଭିଡିଓକୁ ସର୍ବସାଧାରଣଙ୍କ ପାଇଁ ଜାରି କରାଯାଇଛି। ଫଳରେ ଲୋକେ ସିଧାସଳଖ ଦେଖି ପାରିବେ ସାଇବର ଠକ କିଭଳି ଲୋକଙ୍କୁ ଫସାଇ ଠକି ଚାଲିଛନ୍ତି। ଏହି ସିନ୍ ରିକ୍ରିଏସନ୍ର ଭିଡିଓ ଚଳଚ୍ଚିତ୍ର ପରି ହୋଇଛି। ଏଥିରେ ଠକ କିଭଳି ନିଜ ଘରେ ବସି ବ୍ୟାଙ୍କ ଅଧିକାରୀ ଭଳି କଥା କହୁଛି, କ’ଣ କ’ଣ କହି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି, ସେସବୁ ପୂରା ଫିଲ୍ମ୍ ଷ୍ଟାଇଲ୍ରେ ରହିଛି। ସେହିଭଳି ଲୋକଙ୍କୁ ଓଟିପି ମାଗି ବା କୌଣସି ଲିଙ୍କ୍ରେ କ୍ଲିକ୍ କରିବାକୁ କହି ସେମାନେ କିଭଳି ଲୋକଙ୍କ ଆକାଉଣ୍ଟକୁ ଖାଲି କରୁଛନ୍ତି, ତାହାର ଚିତ୍ର ଏହି ଭିଡିଓରେ ରହିଛି। ରିମାଣ୍ଡରେ ଆସିଥିବା ବେଳେ ଏହି ୩ ଝାଡ଼ଖଣ୍ଡ ଠକଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଭିଡିଓ ଏବେ ସାଧାରଣ ଲୋକଙ୍କ ଭିତରେ ଯଥେଷ୍ଟ ସଚେତନତା ସୃଷ୍ଟି କରିବ ବୋଲି କ୍ରାଇମ୍ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ସେହିଭଳି କୌଣସି ଅଜଣା ନମ୍ବର ବା ଅଜଣା ମେସେଜ୍ର ଉତ୍ତର ନ ଦେବାକୁ ଏଡିଜି ଶ୍ରୀ ପଣ୍ଡା ସତର୍କ କରାଇଛନ୍ତି। ଯଦି କେହି ଭୁଲ୍ବଶତଃ ଠକଙ୍କୁ ତଥ୍ୟ ପ୍ରଦାନ କରିଛନ୍ତି, ତେବେ ଗୋଲ୍ଡେନ୍ ଆୱାର ଅର୍ଥାତ ତଥ୍ୟ ପ୍ରଦାନର ଘଣ୍ଟାଏ ମଧ୍ୟରେ ହେଲ୍ପ ଲାଇନ୍ ନମ୍ବର ‘୧୫୫୨୬୦’ରେ କଲ୍ କରି ଜଣାଇବାକୁ ସେ କହିଛନ୍ତି। ଫଳରେ ଠକର ସମସ୍ତ ଆକାଉଣ୍ଟକୁ ବ୍ଲକ୍ କରାଯାଇପାରିବ ବୋଲି ସେ କହିଛନ୍ତି।