ଫେଲ୍ ମାରିଲା କ୍ରାଇମବ୍ରାଞ୍ଚ ସାଇବର ଥାନା, ଗତବର୍ଷ ଗୋଟିଏ ବି ମାମଲାର ହୋଇପାରିଲାନି ପର୍ଦ୍ଦାଫାସ୍

ଭୁବନେଶ୍ବର: ବର୍ଷ ତମାମ୍ ଆତଙ୍କ ଖେଳାଇଲେ ସାଇବର ଅପରାଧୀ। ଓକାକ୍ ସିଇଓଙ୍କଠାରୁ ଆରମ୍ଭ କରି ଆଇପିଏସ୍ ଅଫିସରଙ୍କ ପତ୍ନୀ, ଡାକ୍ତରଙ୍କୁ ଟାର୍ଗେଟ୍ କରି ଲୁଟିଲେ। କ୍ରାଇମବ୍ରାଞ୍ଚ ସାଇବର ଥାନା ବଡ଼ବଡ଼ ସାଇବର ଠକେଇ ମାମଲା ରୁଜୁ କଲା। କିନ୍ତୁ ବର୍ଷ ସରିଗଲା ଗୋଟିଏ ବି ମାମଲାର ପର୍ଦ୍ଦାଫାସ୍ କରିପାରିଲା ନାହିଁ। ୨୦୨୧ରେ ଜଣେ ହେଲେ ସାଇବର ଅପରାଧୀଙ୍କୁ କ୍ରାଇମବ୍ରାଞ୍ଚ ନିଜ କବ୍‌ଜାକୁ ଆଣିପାରି ନାହିଁ।

ସାଇବର ଅପରାଧୀମାନେ ଓକାକ୍ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ବାଟ୍‌ସଆପ୍ ହ୍ୟାକ୍ଆ କରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ତାଙ୍କ ହ୍ବାଟ୍‌ସଆପରେ ଆଇଟି ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ଓ ଗୋପନୀୟ ତଥ୍ୟର ଚାଟିଂ ରହିଥାଇପାରେ। ଯାହା ଠକଙ୍କ ହାତରେ ଲାଗିଲେ ଆହୁରି ବଡ଼ ଅପରାଧର ସମ୍ଭାବନା ମଧ୍ୟ ରହିଛି। କ୍ରାଇମବ୍ରାଞ୍ଚ ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ତତ୍ପରତା ଦେଖାଇଥିଲା। ଦିଲ୍ଲୀ ପୁଲିସ ହାତରେ ବେଙ୍ଗାଲୁରୁରୁ ଧରା ପଡ଼ିଥିବା ନାଇଜେରୀୟ ସାଇବର ଅପରାଧୀ ଏହି ମାମଲାରେ ସମ୍ପୃକ୍ତ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। କିନ୍ତୁ ମାଷ୍ଟରମାଇଣ୍ଡ ପାଖରେ ଏଯାଏ କ୍ରାଇମବ୍ରାଞ୍ଚ ପହଞ୍ଚି ପାରିନାହିଁ। ସେହିପରି ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥଙ୍କ ପତ୍ନୀ ଡାକ୍ତର ଅନୁଜା ତ୍ରିପାଠୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରହସ୍ୟଜନକ ଭାବେ ୧୦ ଲକ୍ଷ ଟଙ୍କା ଗାଏବ ଘଟଣାରେ ମଧ୍ୟ ଫେଲ୍ ମାରିଛି ସାଇବର ଥାନା।

OrissaPOST

କଟକର ଡାକ୍ତର ସନାତନ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୭୮ଲକ୍ଷ ଲୁଟ୍, ଇନସ୍ୟୁରାନ୍ସ ବୋନସ୍ ଲୋଭ ଦେଖାଇ ହାଲ୍ କର୍ମଚାରୀଙ୍କଠାରୁ ୭୫ ଲକ୍ଷ ୫୮ ହଜାର ଟଙ୍କା ଲୁଟ୍ ଭଳି ଏକାଧିକ ଘଟଣାରେ ଫେଲ୍ ମାରିଛି କ୍ରାଇମବ୍ରାଞ୍ଚ ସାଇବର ଥାନା।

ଆଇପିଏସ ପତ୍ନୀଙ୍କ ୧୦ ଲକ୍ଷ ଗାଏବ ଘଟଣାରେ ମିଳିଲାନି ସୁରାକ୍

ବର୍ଷକରେ ୮ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲା

ସୂଚନା ଅନୁସାରେ, ୨୦୨୧ରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ୨୭ଟି ଠକେଇ ମାମଲା ରୁଜୁ ହୋଇଛି। ୮ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି। ବିଶେଷକରି ଟାଵାର ବସାଇବା, ବିଭିନ୍ନ ନାମୀଦାମୀ କମ୍ପାନିର ଡିଲରସିପ୍, ବ୍ୟାଟେରି ଗାଡ଼ିର ଡିଲରସିପ୍, ଫେସବୁକରେ ବନ୍ଧୁତା କରି ଟଙ୍କା ଲୁଟ୍, ଇନସ୍ୟୁରାନ୍ସ ବୋନସ୍ ଲୋଭ ଦେଖାଇ ଠକେଇ ଘଟଣାରେ ଅଧିକାଂଶ ମାମଲା ରୁଜୁ ହୋଇଛି। କେତେକ ଘଟଣାରେ ବ୍ୟବସାୟିକ ପ୍ରତିଷ୍ଠାନ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଛି।

The Economic Times

ସେହିପରି ଇନସ୍ୟୁରାନ୍ସ ଠକେଇ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲାରେ ତଥ୍ୟ କେଉଁଠୁ ଲିକ୍ ହେଲା ତାହାର ମଧ୍ୟ ସାମାନ୍ୟତମ ସୁରାକ୍ ତଦନ୍ତକାରୀ ସଂସ୍ଥା ହାତରେ ଲାଗି ପାରିନାହିଁ। ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ସାଇବର ଅପରାଧୀଙ୍କ ପାଖରେ ପହଞ୍ଚି ପାରୁନାହିଁ ସାଇବର ପୁଲିସ? ଗତବର୍ଷ ସମ୍ବଲପୁର, କଳାହାଣ୍ଡି ସମେତ କେତେକ ଜିଲ୍ଲା ପୁଲିସ ସାଇବର ଅପରାଧୀଙ୍କୁ ଝାଡ଼ଖଣ୍ଡର ଜମତରା ଓ ଅନ୍ୟାନ୍ୟ ସ୍ଥାନରୁ ଗିରଫ କରିଛନ୍ତି। ଦିଲ୍ଲୀ, ବେଙ୍ଗାଲୁରୁ ପୁଲିସ ମଧ୍ୟ ଓଡ଼ିଶାରୁ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। କିନ୍ତୁ ସାଇବର ପୁଲିସ ହାତଗଣତି କେତେକ ଘଟଣାରେ ଟଙ୍କା ଫେରସ୍ତ ପାଇଁ ସକ୍ଷମ ହୋଇଛି।

ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଉନ୍ନତଧରଣର ଉପକରଣ ସହ ତାଲିମର ଆବଶ୍ୟକତା ରହିଛି। ସାଇବର ଅପରାଧୀ ଅପରେଟ୍ କରୁଥିବା ରାଜ୍ୟ ସହ ସମନ୍ବୟ ରକ୍ଷା କରି ପୁଲିସ କାମ କରିବା ଦରକାର। ଭିତ୍ତିଭୂମି ସୁଦୃଢ ସହ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଅଧିକରୁ ଅଧିକ ବ୍ୟବହାର କଲେ ସାଇବର ଅପରାଧୀଙ୍କ ପାଖରେ ପୁଲିସ ପହଞ୍ଚି ପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର