ଅପରାଧ ସମୀକ୍ଷାରେ ଅଧିକାରୀଙ୍କୁ ଗୁରୁମନ୍ତ୍ର, ତଡ଼ିପାର ହେବେ ‘ଭାଇ’, ନଚେତ୍‌ ଏନ୍‌ଏସ୍‌ଏ

ଭୁବନେଶ୍ୱର: ରାଜଧାନୀରେ ବଢ଼ି ବଢ଼ି ଚାଲିଛି ଭାଇଗିରି। ଏହା ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ଭାଇଗିରି ପାଇଁ ଗ୍ୟାଙ୍ଗ୍‌ୱାର ହେଉଥିବା ବେଳେ ହତ୍ୟାକାଣ୍ଡ ଘଟୁଛି। ୮ ବର୍ଷ ତଳର ଘାଟିକିଆ ସନ୍ଦୀପ ନନ୍ଦ ହତ୍ୟା ଘଟଣା ହେଉ ବା ଦୀପାବଳି ରାତି ଅମରେଶ ହତ୍ୟାକାଣ୍ଡ, ଉଭୟ ଘଟଣା ପଛର କାରଣ ଏହି ଦିଗକୁ ଇଙ୍ଗିତ କରୁଛି। ଆଜି କମିସନରେଟ୍‌ ପୁଲିସ କନ୍‌ଫରେନ୍ସ ହଲ୍‌ରେ ବସିଥିବା ତ୍ରୟମାସିକ ଅପରାଧ ସମୀକ୍ଷା ବୈଠକରେ ଏହି ଦାଦାଗିରି ତଥା ଭାଇଗିରିକୁ ନେଇ ତନାଘନା ହୋଇଛି। ‘ଭାଇ’ଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ତଡ଼ିପାର କରିବା ପାଇଁ ଚିନ୍ତା କରାଯାଇଛି। ଅଭ୍ୟାସଗତ ଅପରାଧୀଙ୍କୁ ଖୋଜି ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ବାନ୍ଧିବା ପାଇଁ ସ୍ଥିର କରାଯାଇଛି। ଏତଦ୍‌ ବ୍ୟତୀତ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କଟକ ଓ ଭୁବନେଶ୍ବରର ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଅପରାଧ ଦମନ ଉପରେ ଗୁରୁମନ୍ତ୍ର ଦେଇଛନ୍ତି।

ସ‌ର୍ବେକ୍ଷଣ ମୁତାବକ, ରାଜଧାନୀର ବିଭିନ୍ନ ଅଞ୍ଚଳ ସ୍ଥାନୀୟ ଭାଇମାନଙ୍କ କବଜାରେ ରହିଛି। କେଉଁଠି କିଏ ଘର କଲେ, ସରକାରୀ ନିର୍ମାଣ ହେଲେ, ଦାଦାଙ୍କ ଆଶୀର୍ବାଦ ଲୋଡ଼ା ହେଉଛି। ମୋଟା ଅଙ୍କର ଚାନ୍ଦା ନ ଦେଲେ ବୋମା ଫୁଟୁଛି। ନିଜର ସୁରକ୍ଷା ଦୃଷ୍ଟିରୁ ଲୋକମାନେ ଅନେକ ଅଭିଯୋଗ ଆଣୁ ନ ଥିବା ବେଳେ କେତେକ ଥାନା ପାଖରେ ପହଞ୍ଚି ରଫାଦଫା ହେଉଛି। ଯଦି ଆଉ କେହି ସେହି ସ୍ଥାନରେ ଦାଦା ଭାବେ ମୁଣ୍ଡ ଟେକୁଛି ତେବେ ନୂଆ ଓ ପୁରୁଣା ଗୋଷ୍ଠୀ ମଧ୍ୟରେ ପତିଆରା ଲଢ଼େଇ ହେଉଛି। ପରେ ଏହା ଗ୍ୟାଙ୍ଗ୍‌ୱାରର ରୂପ ନେଉଛି ଓ ମୁଣ୍ଡ ଗଡ଼ୁଛି। ଘାଟିକିଆ ସନ୍ଦୀପ ନନ୍ଦ ଓ ଅମରେଶଙ୍କ ନାଁରେ ଏକାଧିକ ମାମଲା ରହିଥିବା ବେଳେ ଉଭୟ ହତ୍ୟାର ଶିକାର ହୋଇଛନ୍ତି। ରଙ୍ଗମାଟିଆରେ ରଂଜନ ବେହେରାଙ୍କୁ ମଧ୍ୟ ନିକଟ ଅତୀତରେ ହତ୍ୟା କରାଯାଇଛି। ସମସ୍ତ ହତ୍ୟାକାଣ୍ଡ ପଛରେ ଭାଇଗିରି ରହିଥିବା ଅନୁମାନ କରାଯ‌ାଉଛି। କେବଳ ଏହି ଦୁଇ ତିନି ଘଟଣା ନୁହଁ, ଏପରି ଅନେକ ଘଟଣା ରହିଛି। ଡୁମୁଡୁମା ଅଂଚଳରେ ଦୁଇ ଭାଇ ଅପରାଧ ଘଟାଇ ଲୋକଙ୍କୁ ଆତଙ୍କିତ କରି ରଖିଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ନିଜକୁ ଭାଇ ବୋଲି ପ୍ରତିପାଦିତ କରି ସ୍ଥାନୀୟ ଲୋକଙ୍କୁ ଡରାଇ ରଖିଛନ୍ତି।

ଏଭଳି ଭାଇ ତଥା ଦାଦାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ କମିସନର ସମସ୍ତ ଥାନା ଇନ୍‌ସ୍‌ପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ସେହି ଅଞ୍ଚଳରୁ ବା ଭୁବନେଶ୍ବରରୁ ତଡ଼ିପାର କରିବାକୁ ଯୋଜନା ହୋଇଛି। ତା ସହିତ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ବାନ୍ଧିବା ନିର୍ଦେଶ ଦିଆଯାଇଛି। ବୈଠକରେ ସରକାରୀ ଓକିଲଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ପୁଲିସର ତଦନ୍ତରେ କେଉଁଠି ଦୋଷ ଦୁର୍ବଳତା ରହୁଛି ଯାହା ଫଳରେ ଦୋଷୀ ସାବ୍ୟସ୍ତ ହାର କମ୍‌ ହେଉଛି ଜାଣିବା ପାଇଁ ଓକିଲମାନଙ୍କ ସହ ଆଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର