‘ଟ୍ରାଫିକ୍‌’ ପଛରେ ପୁଲିସ, ଏପଟେ ମାତିଲେଣି ଅପରାଧୀ

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କମିସନରେଟ୍‌ ପୁଲିସ ଏକଦମ ଟ୍ରାଫିକ ପଛରେ ପଡ଼ି ଯାଇଛି। ଯାହାକୁ ପାରୁଛନ୍ତି ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରୁଛନ୍ତି। ତେବେ ପୁଲିସ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବାରେ ବ୍ୟସ୍ତ ଥିବା ବେଳେ ଏପଟେ ରାଜଧାନୀରେ ଘଟିଥିବା କେତୋଟି ବଡ଼ବଡ଼ ଅପରାଧ ଲୁଚି ଯିବାକୁ ବସିଲାଣି। ଯାହାର ଫାଇଦା ଏବେ ଅପରାଧୀମାନେ ମଧ୍ୟ ନେବା ଆରମ୍ଭ କଲେଣି। ପୁଲିସ ଟ୍ରାଫିକ ପଛରେ ଥିବା ବ୍ୟସ୍ତ ଥିବା କାରଣରୁ ଅପରାଧୀମାନେ ଖସି ଯିବାକୁ ସକ୍ଷମ ମଧ୍ୟ ହୋଇଛନ୍ତି। ଏପରିକି ଏହି ସମୟରେ ଜନପ୍ରତିନିଧି, ପ୍ରଶାସକଙ୍କ ଘରେ ପଶି ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି। ଦୁଇ ଦୁଇଟି ହତ୍ୟାକାଣ୍ଡ ମଧ୍ୟ ଘଟିଛି। ଥାନାରେ ମାମଲା ରୁଜୁ ହୋଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଛାନଭିନ୍‌ କରିଛନ୍ତି। କିନ୍ତୁ ଏଯାଏ କୌଣସି ଘଟଣାରେ ପୁଲିସକୁ ସଫଳତା ମିଳିନାହିଁ। ଗତ ମାସକ ମଧ୍ୟରେ ଘଟିଥିବା କେତେକ ଚର୍ଚିତ ଅପରାଧ ଏହାର ଜ୍ବଳନ୍ତ ଉଦାହରଣ।

ଅଗଷ୍ଟ ୧୯ ତାରିଖ। ଖାରବେଳନଗର ଥାନା ଅଧୀନ ବିଧାୟକ କଲୋନି ଭିତରେ କେତେକ ଦୁର୍ବୃତ୍ତ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦୁଇଟି ଦାମୀ କାର, ଦୁଇଟି ବାଇକ, ସାଇକେଲ ଓ ଆସବାବପତ୍ର ଆଦି ପୋଡ଼ି ଦେଇଥିଲେ। ଦୁର୍ବୃତ୍ତମାନେ ବିଧାୟକଙ୍କ ସମ୍ପର୍କୀୟଙ୍କୁ ବାହାର ପଟୁ ତାଲା ପକାଇ ଦେଇଥିଲେ। ଖବର ପାଇ ନିଜେ ଅତିରିକ୍ତ ପୁଲିସ କମିସନର ସଂଜୟ ସିଂହ, ଡିସିପି ଅନୁପ ସାହୁ, ସ୍ପେସାଲ ସ୍କ୍ବାଡ୍, ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାକୁ ଆଉ ୪ ଦିନ ପରେ ଏକ ମାସ ହୋଇଯିବ। କିନ୍ତୁ ପୁଲିସ ଏହି ଘଟଣାରେ ଏଯାଏ କାହାରିକୁ ଗିରଫ କରିନାହିଁ। ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିଧାୟକ ବ୍ୟମୋକେଶ ରାୟଙ୍କ କାର ଭିତରୁ ୫୦ ହଜାର ଟଙ୍କା ଚୋରି ହୋଇଥିଲା। ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା। ଘଟଣାକୁ ଦୁଇବର୍ଷ ବିତିଲାଣି। କିନ୍ତୁ ପୁଲିସ ଏହି ଘଟଣାରେ କାହାରିକୁ ଗିରଫ କରିନାହିଁ।

ସେହିପରି ଅଗଷ୍ଟ ୨୪ ତାରିଖ ରାତିରେ ନୂଆପଲ୍ଲୀ ଥାନା ଅଧୀନରେ ରହୁଥିବା ପ୍ରଶାସକ ରେଘୁଜୀଙ୍କ ଘରେ ପଶି କେତେକ ଦୁର୍ବୃତ୍ତ ୨ଟି ଲାପଟପ, ମୋବାଇଲ ଆଦି ଚୋରି କରିଥିଲେ। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ନିଜେ ଡିସିପି ଶ୍ରୀ ସାହୁ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ଏହି ଘଟଣାରେ ଏଯାଏ ପୁଲିସ କାହାରିକୁ ଗିରଫ କରିନାହିଁ। କେବଳ ଏହି ଦୁଇଟି ଘଟଣା ନୁହେଁ, ଏହା ମଧ୍ୟରେ ରାଜଧାନୀ ଓ ଉପକଣ୍ଠରେ ଦୁଇଦୁଇଟି ହତ୍ୟାକାଣ୍ଡ ମଧ୍ୟ ଘଟି ସାରିଲାଣି। ଗତ ୧୧ ତାରିଖରେ ମଞ୍ଚେଶ୍ବର ଥାନା ଅଧୀନ ରଙ୍ଗମାଟିଆ ଗାଁରେ ଦୀପକ ବେହେରା ଓରଫ ଲଣ୍ଡା ନାମକ ଜଣେ ଯୁବକଙ୍କୁ ହତ୍ୟା କରାଗଲା। ଏହି ଘଟଣାରେ ପୁଲିସ ଏଯାଏଁ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ। ସେହିପରି ବାରଙ୍ଗ ଥାନା ଅଧୀନ ପଞ୍ଚୁପାଳ ଗ୍ରାମ ତାରେଣୀଗଡ଼ାରେ ମଣ୍ଟୁ ମଣ୍ଡଳଙ୍କୁ ୫ ଦିନ ତଳେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ଏଯାଏ ସଫଳତା ପାଇନାହିଁ।

ଏ ସମ୍ପର୍କରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବିଧାୟକଙ୍କ ଘରେ ପଶି ଦୁର୍ବୃତ୍ତମାନେ ଅଗ୍ନିକାଣ୍ଡ ଘଟାଇବା ମାମଲା ଏକ ଚ୍ୟାଲେଞ୍ଜିଂ ମାମଲା। ଅପରାଧୀମାନଙ୍କ ସମ୍ପର୍କରେ କୌଣସି ସୁରାକ୍‌ ନାହିଁ। ଏହି ମାମଲାକୁ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ ତଦନ୍ତ କରୁଛି। ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତମାନେ ଚିହ୍ନଟ ହୋଇସାରିଛନ୍ତି। କିଛି ଅଭିଯୁକ୍ତ ଗିରଫ ହୋଇଛନ୍ତି, ଅନ୍ୟମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି। ତେବେ ଟ୍ରାଫିକ ଯାଞ୍ଚ ସହିତ ଅପରାଧର କୌଣସି ସମ୍ପର୍କ ନାହିଁ। ଯିଏ ଟ୍ରାଫିକ ନିୟମ ଉଲଂଘନ କରିବ ତା’ଠାରୁ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର