ଭୁବନେଶ୍ବର: ରାଜଧାନୀରେ ବିଗିଡ଼ି ଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତିରେ ବ୍ୟାପକ ସୁଧାର ଆଣିବାକୁ କମିସନରେଟ୍ ପୁଲିସ ଗୁଣ୍ଡା ସୁଧାର ପରେଡ୍ ଚଳାଇଛି। ପ୍ରାୟ ତିନି ସପ୍ତାହ ହେଲା ଚାଲିଥିବା ପୁଲିସର ଏହି ଅଭିନବ ପ୍ରୟାସ ଆଗକୁ କେତେ ସଫଳ ହେବ, ତାହା ସମୟ କହିବ। କିନ୍ତୁ ଏହି ତିନି ସପ୍ତାହ ଭିତରେ ୨୨୬ଜଣ ଅସାମାଜିକତତ୍ତ୍ବ ଗୁଣ୍ଡା ସୁଧାର ପରେଡ୍ରେ ମୁହଁ ଦେଖାଇଲେଣି। ତେଣୁ ପ୍ରତି ରବିବାର ବିଭିନ୍ନ ଥାନାରେ ଅନୁଷ୍ଠିତ ହେଉଥିବା ଏହି ପରେଡ୍ ଯୋଗୁ କିଛି ଅସାମାଜିକତତ୍ତ୍ବଙ୍କ ଭିତରେ ଛନକା ପଶିଛି ବୋଲି ଜଣାପଡ଼ିଛି। ତଥାପି ବହୁ ପେସାଦାର ଅପରାଧୀ ଯେଉଁମାନେ ଏବେ ଜାମିନ ପାଇ ଜେଲ୍ ବାହାରେ ଅଛନ୍ତି, ସେମାନେ ପୁଲିସର ଏହି ପ୍ରୟାସକୁ ଫୁ’ କରି ଉଡ଼ାଇ ଦେଉଥିବା ମଧ୍ୟ ଜଣାପଡ଼ିଛି। କୋର୍ଟଙ୍କ ସ୍ବତନ୍ତ୍ର ଆଦେଶ ନ ଥିବା ବାହାନା କରି ସେମାନେ ଥାନାକୁ ଯାଇ ପରେଡ୍ରେ ଧାଡ଼ି ବାନ୍ଧିବାକୁ ରାଜି ହେଉନାହାନ୍ତି। ଯେଉଁ ଅପରାଧୀମାନଙ୍କ ନାମରେ ୨ରୁ ଅଧିକ ମାମଲା ରହିଛି, ପୁଲିସ ସେମାନଙ୍କୁ ପରେଡ୍ରେ ସାମିଲ ହେବାକୁ ଡାକୁଛି।
ମୁହଁ ଦେଖାଇଲେଣି ୨୨୬
ପୁଲିସ ସ୍କାନର୍ରେ ଦି ଡଜନେ ମାଫିଆ
ପ୍ରତି ରବିବାର ଏକ ନିର୍ଦିଷ୍ଟ ସମୟରେ ସେମାନେ ସମ୍ପୃକ୍ତ ଥାନାରେ ହାଜର ହେଉଛନ୍ତି। ସେମାନଙ୍କୁ ଏକ ଲାଇନ୍ରେ ଛିଡ଼ାକରାଯାଉଛି। ସେହି ସମୟରେ ଥାନାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ଦେଖି ଚିହ୍ନୁଛନ୍ତି। ଏହି ଅବସରରେ ସେମାନଙ୍କ ଗତିବିଧି, ନିୟମିତ କାର୍ଯ୍ୟକ୍ରମ, ସେମାନେ ବ୍ୟବହାର କରୁଥିବା ମୋବାଇଲ ନମ୍ବର ଓ ସେମାନଙ୍କ ଗୋଷ୍ଠୀ ବାବଦରେ ପୁଲିସ ଅଧିକାରୀମାନେ ହିସାବ ରଖୁଛନ୍ତି। ଏଥିସହିତ ସେମାନଙ୍କୁ ଅପରାଧ ଜଗତରୁ ବାହାରିଯିବା ପାଇଁ ପରାମର୍ଶ ଦିଆଯାଉଛି। ପୂର୍ବରୁ ହାଜିରା ବ୍ୟବସ୍ଥା ଥିଲା। ଏହି ବ୍ୟବସ୍ଥାରେ କେବଳ ପିଓପିଡି କିମ୍ବା ଆଇଆଇସି ସେମାନଙ୍କୁ ପଚରାଉଚରା କରି ଛାଡ଼ୁଥିଲେ। କିନ୍ତୁ ନୂଆ ପରେଡ୍ ବ୍ୟବସ୍ଥାରେ ଥାନାର ସବୁ ଅଧିକାରୀ ଓ କର୍ମଚାରୀ ଅପରାଧୀମାନଙ୍କୁ ଜାଣିବାର ମଉକା ପାଉଛନ୍ତି। ଏହି ବ୍ୟବସ୍ଥାରେ ଯେଉଁ ଅପରାଧୀ ଥାନାକୁ ଆସୁନାହିଁ, ତାକୁ ପୁଲିସ ଘରୁ ଉଠାଇବାର ବ୍ୟବସ୍ଥା କରିଛି। ତେଣୁ ବାଧ୍ୟହୋଇ କିଛି ଅସାମାଜିକତତ୍ତ୍ବ ଥାନାକୁ ଆସି ପରେଡ୍ରେ ଯୋଗ ଦେଉଛନ୍ତି। କିନ୍ତୁ ଯାହା ଖବର ଅଛି, ବହୁ ପେସାଦାର ତଥା ନାମୀ ଅପରାଧୀ ପୁଲିସର ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ବଡ଼ କଥା ହେଉଛି, ସମ୍ପ୍ରତି ରାଜଧାନୀରେ ଜମିବାଡ଼ି ମାମଲାରେ ବାହୁବଳୀ ସାଜୁଥିବା ଗୋଷ୍ଠୀ ଏଭଳି ବ୍ୟବସ୍ଥାରେ ନିଜକୁ ସାମିଲ କରି ନଥିବା ଜଣାପଡ଼ିଛି। ରାଜଧାନୀରେ ବଡ଼ ଗୁଣ୍ଡା ବା ମାଫିଆ ଭାବେ ପରିଚିତି ଲାଭ କରିଥିବା ଅସାମାଜିକତତ୍ତ୍ବଙ୍କୁ ପୁଲିସ ନୂଆ ନିୟମରେ ଯୋଡ଼ି ପାରିନାହିଁ। ଅପରାଧ ଜଗତର ଏହି ପୁରୁଣା ମୂଷାମାନେ ପୁଲିସ ଯନ୍ତାକୁ ବେଖାତିର କରୁଥିବା ଜଣାପଡ଼ିଛି। ତେବେ ରାଜଧାନୀରେ ମୋବାଇଲ୍, ଚେନ୍ ଛିନ୍ତାଇ କରୁଥିବା କିଛି ଅପରାଧୀ ଏହି ନିୟମରେ ବାନ୍ଧିହୋଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା ନୂଆନୂଆ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଗକୁ ଜୋର୍ଦାର୍ କରାଯିବ। ସବୁ ବର୍ଗର ଅପରାଧୀଙ୍କୁ ଏହି ପରେଡ୍ରେ ସାମିଲ କରାଯିବ।
ଅପରେସନ୍ ହ୍ବାଇଟ୍ ଵାସ୍ ୧.୦, ୪୮ଘଣ୍ଟାରେ ୭୪ ଗିରଫ
ରାଜଧାନୀର ଆଇନଶୃଙ୍ଖଳା ସୁରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଚାଲିଥିବା ଅପରେସନ୍ ହ୍ବାଇଟ୍ ଵାସ୍ ୧.୦କୁ ଜୋର୍ଦାର୍ କରାଯାଇଛି। ୪୮ଘଣ୍ଟା ମଧ୍ୟରେ ୭୪ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ପ୍ରପର୍ଟି ଅଫେଣ୍ଡର, ନିଶାମାଫିଆ, ଲୁଟେରା, ସିନ୍ଧିଚୋର ଆଦି ବିଭିନ୍ନ ବର୍ଗର ଅପରାଧୀ ଅଛନ୍ତି। ୨୯ଜଣ ପ୍ରପର୍ଟି ଅଫେଣ୍ଡର୍ଙ୍କୁ ଗିରଫ କରାଯାଇଛି। ସେହିଭଳି ଧରାପଡ଼ିଥିବା ଲୁଟେରାଙ୍କଠାରୁ ୩୭ଟି ମୋବାଇଲ, ତିନୋଟି ମଟରସାଇକେଲ, ଗୋଟିଏ ପାଣି ମଟର, ୪ ଗ୍ୟାସ୍ ସିଲିଣ୍ଡର, ୩ କ୍ୟାମେରା ଆଦି ଜବତ କରାଯାଇଛି। ସେହିଭଳି ୩ ମାଫିଆଙ୍କୁ ବାନ୍ଧି ସେମାନଙ୍କଠାରୁ ୨୫ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାଛଡ଼ା ୧୨୧ ଓଡ଼ିଶା ଅର୍ବାନ୍ ପୁଲିସ ଆଇନ ବଳରେ ୬୦ ହଜାର ୫୦୦ଟଙ୍କା ଜରିମାନା ଆଦାୟ କରାଯାଇଛି।