ଧରାପଡ଼ିଲା ନର, ୩ ଥାନାରେ ୧୩ ମାମଲା

ଯୁବତୀଙ୍କୁ ବ୍ଲାକମେଲିଂ, ‌ଅଟୋ ଚାଳକ ଗିରଫ, ଯୁବକଙ୍କଠାରୁ ଲୁଟ୍‌, ଜଣେ ଗିରଫ

ଭୁବନେଶ୍ୱର : ହତ୍ୟା ଉଦ୍ୟମ, ଆକ୍ରମଣ, ଦାଦାବଟି, ଛିନ୍‌ତାଇ ଭଳି ସଂଗିନ୍‌ ମାମଲାରେ ଜଡ଼ିତ ନରସିଂହ ରାଓ ଓରଫ ନରକୁ ଗତରାତିରେ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ଦୀର୍ଘ ଦିନ ହେବ ସେ ଫେରାର୍ ଥିଲା। ତା’ ନାମରେ ବଡ଼ଗଡ଼, ଶ୍ରୀଲିଙ୍ଗରାଜ, ଏୟାରଫିଲ୍ଡ ଥାନାରେ ୧୩ରୁ ଊର୍ଦ୍ଧ୍ବ ମାମଲା ରହିଛି। ସୂଚନା ମୁତାବକ, ନରସିଂହ ବଡ଼ଗଡ଼ ଥାନା ଗୌତମ ନଗର ବସ୍ତିରେ ରହୁଥିଲା। ହାଟ ସମେତ ବିଭିନ୍ନ ଜାଗାରୁ ଦାଦାବଟି ଆଦାୟ କରିବା ସହ ରାସ୍ତାରେ ଲୋକଙ୍କୁ ହାଣି ଲୁଟ୍‌ କରୁଥିଲା। ଗତକାଲି ସେ ତା’ ଘରକୁ ଆସିଥିବା ଖବର ପାଇ ପୁଲିସ ସଦଳବଳେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ଯୁବତୀଙ୍କୁ ବ୍ଲାକମେଲିଂ, ‌ଅଟୋ ଚାଳକ ଗିରଫ
ଭୁବନେଶ୍ବର : ଫଟୋ ଭାଇରାଲ୍‌ କରିବାକୁ ଧମକ ଦେଇ ଯୁବତୀଙ୍କଠାରୁ ସୁନା ଓ ଟଙ୍କା ଲୁଟ୍‌ କରୁଥିବା ଜଣେ ଅଟୋ ଚାଳକକୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା, କଟକ ମହଙ୍ଗପଡ଼ା ଅଞ୍ଚଳର ନିହାର ରଂଜନ ଭୂୟାଁ(୪୦)। ଏଠାରେ କେଶୁରା ଆଶୁତୋଷ ନଗର ଅଞ୍ଚଳରେ ରୁହେ। ନିହାର ସ୍ଥାନୀୟ ଅଞ୍ଚଳରେ ଅଟୋ ଚଳାଇ ପିଲାଙ୍କୁ ସ୍କୁଲ୍‌ ନେବା ଆଣିବା କରୁଥିଲା। ଏହି ଭିତରେ ସେ ଜଣେ ଯୁବତୀଙ୍କୁ ଭଲ ପାଇବାର ନାଟକ କରିଥିଲା। ଚତୁରତାର ସହ ଯୁବତୀଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲା। ଏହାପରେ ଫଟୋ ଭାଇରାଲ୍‌ କରିବାକୁ ଧମକ ଦେଇ ଯୁବତୀଙ୍କଠାରୁ ସୁନା, ଟଙ୍କା ନେଇ ଚାଲିଥିଲା। ଦିନକୁ ଦିନ ନିହାରର ଦାବି ବଢ଼ି ଚାଲିବାରୁ ଯୁବତୀଜଣକ ଘରେ ଏ ବିଷୟରେ କହିଥିଲେ। ଯୁବତୀଙ୍କ ପରିବାର ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ମଙ୍ଗଳବାର ରାତିରେ ପୁଲିସ ନିହାର ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ଯୁବକ ଗିରଫ, ୧୩ ମୋବାଇଲ ଜବତ
ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି। ତା’ ଠାରୁ ୧୩ଟି ଚୋରା ମୋବାଇଲ ଜବତ କରାଯାଇଛି। ସେ ହେଉଛି ପୁରୀ ଟାଉନ ଥାନା ମାର୍କଣ୍ଡେଶ୍ବର ସାହିର ଦୀପୁ ଦାସ ଓରଫ ଭୋଳା। ସେ ସହିଦ ନଗର ଥାନା ତାରେଣି ବସ୍ତିରେ ରହୁଥିଲା। ଗତ ବିଳମ୍ବିତ ରାତିରେ ସେ ଚନ୍ଦକା ଏସ୍‌ବିଆଇ ଶାଖା ପାଖରେ ଛିଡ଼ା ହୋଇଥିଲା। ପାଟ୍ରୋଲିଂ ଭ୍ୟାନ୍‌ ଦେଖି ଦଉଡ଼ିବାରୁ ପୁଲିସ ଗୋଡ଼ାଇ ଗୋଡ଼ାଇ ତାକୁ କାବୁ କରିଥିଲା।

ଯୁବକଙ୍କଠାରୁ ଲୁଟ୍‌, ଜଣେ ଗିରଫ
ଭୁବନେଶ୍ବର : ଲୁଟ୍‌ପାଟ୍‌ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ନୟା‌ଗଡ଼ ଜିଲ୍ଲା କଇଁଥପାଲି ଅଞ୍ଚଳର ମହେଶ୍ବର ନାୟକ(୨୧)କୁ ଗିରଫ କରିଛି। ସେ ୟୁନିଟ୍‌-୩ ହରିଜନ ବସ୍ତିରେ ରୁହେ। ମଙ୍ଗଳବାର ସନ୍ଧ୍ୟାରେ କିସାନ ସାହୁ ନାମକ ଜଣେ ଯୁବକ ଜୟଦେବ ବିହାରରୁ ଅଟୋରେ ମାଷ୍ଟରକ୍ୟାଣ୍ଟିନ୍‌ ଆସୁଥିଲେ। ହେଲେ ଭୁଲ୍‌ବଶତଃ ଶ୍ରୀୟା ଛକରେ ଓହ୍ଲାଇ ପଡ଼ିଥିଲେ। କିସାନ ଭୁବନେଶ୍ବରରେ ନୂଆ ବୋଲି ଜାଣିପାରି ସେଠାରେ ଜଣେ ଯୁବକ ତାଙ୍କୁ ଶ୍ରୀୟାଛକ ନିକଟ ଏକ ଘରକୁ ନେଇଯାଇଥିଲେ। ସେଠାରେ ମହେଶ୍ବର ଓ ତାଙ୍କ ୨ ସହଯୋଗୀ ତାଙ୍କଠାରୁ ଟଙ୍କା ଓ ମୋବାଇଲ୍‌ ଛଡ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର