ବାରଙ୍ଗ/ମେଣ୍ଢାଶାଳ ଚନ୍ଦକା ଅଞ୍ଚଳରେ ବିଭିନ୍ନ ଗଣ୍ଡଗୋଳରେ ସମ୍ପୃକ୍ତ କଣ୍ଟାବାଡ଼ର କୁଖ୍ୟାତ ଅପରାଧୀ ପ୍ରମୋଦ ମାର୍ଥା ଓରଫ୍ କଣ୍ଟିଆକୁ ଚନ୍ଦକା ଥାନା ପୁଲିସ ଗିରଫ କରିଛି। ଚନ୍ଦକା ଥାନା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା କଣ୍ଟିଆ ଡେରାସ ଜଙ୍ଗଲରେ ଲୁଚିଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ କଣ୍ଟିଆର ୫ ଭାଇ ଫେରାର୍ ଅଛନ୍ତି।
ସୂଚନାନୁସାରେ ଗତ ୨ ତାରିଖରେ କଣ୍ଟିଆ ଓ ତା’ର ୫ ଭାଇ କୁନା, ଦିଲୁ, ମିଲୁ, ଲୁଲିଆ, କୁଲୁ କଣ୍ଟାବାଡ଼ ଗାଁର ଶ୍ରୀକାନ୍ତ ବାଘସିଂଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ରାଜନୈତିକ ଆକ୍ରୋଶରୁ କଣ୍ଟିଆ ଏହି ଆକ୍ରମଣ କରିଥିଲା ଏବଂ ଏଥିରେ ଶ୍ରୀକାନ୍ତ, ତାଙ୍କ ଦୁଇ ଭାଇ ସୁକାନ୍ତ ଓ ସୁଶାନ୍ତ ଗୁରୁତର ହୋଇଥିଲେ। କଣ୍ଟିଆ ନିଜେ ବିଅର୍ ବୋତଲ ଭାଙ୍ଗି ସୁକାନ୍ତଙ୍କ ମୁଣ୍ଡକୁ ଆଘାତ କରିଥିଲା। ସୁକାନ୍ତଙ୍କ ମୁଣ୍ଡ ଓ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସୁକାନ୍ତ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହିଦିନଠାରୁ କଣ୍ଟିଆ ଚନ୍ଦକା ଅଭୟାରଣ୍ୟ ଭିତରେ ଆତ୍ମଗୋପନ କରିଥିଲା। ଗତକାଲି ସେ ଡେରାସଠାରେ ଥିବା ଖବର ପାଇ ଚନ୍ଦକା ଥାନା ପୁଲିସ ଚଢ଼ଉ କରିଥିଲା ଓ ତାକୁ କାବୁ କରିଥିଲା। ପୁଲିସ ସୂଚନାନୁସାରେ ପୂର୍ବରୁ କଣ୍ଟିଆ ନାମରେ ବାଙ୍କୀ ଥାନା ଓ ଚନ୍ଦକା ଥାନାରେ ୭ରୁ ଅଧିକ ମାମଲା ରହିଛି। ବାଙ୍କୀରେ ସେ ଜଣେ ବନରକ୍ଷୀଙ୍କୁ ହାଣି ଗୁରୁତର କରିଥିଲା ଓ ସେହି ମାମଲାରେ ଫେରାର ଥିଲା।