ଭୁବନେଶ୍ୱର/ପୁରୁଣା ଭୁବନେଶ୍ୱର : ଜେଲ୍ ଫେରନ୍ତା ଦୁର୍ଦ୍ଦାନ୍ତ ଅପରାଧୀ ଅକ୍ଷୟ ସାହୁକୁ ପୁଣି ଏୟାର୍ ଫିଲ୍ଡ ଥାନା ପୁଲିସ ଗିରଫ କରିଛି। ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କଟୁରିରେ ହାଣିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ଅପରାଧର ଲମ୍ବା ତାଲିକା ମୁଣ୍ଡାଇଥିବା ଅକ୍ଷୟ ଆଜୀବନ ସଜା କାଟି ଜେଲ୍ରୁ ମୁକୁଳିବା ପରେ ବି ପୁଣି ଆତଙ୍କରାଜ୍ ଚଳାଇ ଆସୁଛି। କିନ୍ତୁ ପୁଲିସ ବାରମ୍ବାର ଗିରଫ କରୁଥିବାବେଳେ ତାକୁ ସହଜରେ ଜାମିନ୍ ମିଳିଯାଉଥିବାରୁ ସ୍ଥାନୀୟ ଲୋକେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏୟାର୍ ଫିଲ୍ଡ ଥାନା ପଞ୍ଚୁପଲ୍ଲୀ ମାଳିସାହିର କୁଖ୍ୟାତ ଅପରାଧୀ ହେଉଛି ଅକ୍ଷୟ ସାହୁ। ପୁଲିସ ସୂଚନାନୁସାରେ ଆଜି ସେ ଗାଁର ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ କଟୁରି ଧରି ଗୋଡ଼ାଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହାଣିବା ପାଇଁ ଗୋଡ଼ାଇଥିଲା। ସୌଭାଗ୍ୟବଶତଃ ମହିଳା ଜଣକ ପଡ଼ୋଶୀଙ୍କ ଘରେ ପଶିଯିବାରୁ ରକ୍ଷା ପାଇଯାଇଥିଲେ। ତଥାପି ତାଙ୍କୁ ହତ୍ୟା କରିବା ପାଇଁ ଅକ୍ଷୟ ବହୁ ସମୟ ପର୍ଯ୍ୟନ୍ତ ଗାଁ ଦାଣ୍ଡରେ କଟୁରି ଧରି ଜଗି ରହିଥିଲା। ଖବର ପାଇ ଏୟାର୍ ଫିଲ୍ଡ ଥାନା ପୁଲିସ ଗାଁରେ ପହଞ୍ଚି ତାକୁ କାବୁ କରିଥିଲା। ସୂଚନାଯୋଗ୍ୟ, ଡକାୟତି ମାମଲାଠାରୁ ଆରମ୍ଭ କରି ହତ୍ୟା ଉଦ୍ୟମ କରିବା ଭଳି ବହୁ ସଂଗିନ୍ ମାମଲା ତା ନାଁରେ ରହିଛି। ଟ୍ରେନ୍ରେ ଡକାୟତି କରି ସେ ଏକ ସମୟରେ ରେଳବାଇ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା। ୨୦୦୦ ମସିହା ବେଳେ ସେ ଭୁବନେଶ୍ବର ଓ ଖୋର୍ଦ୍ଧାରୋଡ୍ ରେଳବାଇ ପୁଲିସର ନିଦ ହଜେଇ ଦେଇଥିଲା। ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିବା ଭଳି କ୍ଷମତା ରଖିଥିବାରୁ ପୁଲିସ ତାକୁ ଗିରଫ କରିପାରୁନଥିଲା। ଏମିତିକି ଗହୀର ଭିତରେ ବାଇକ୍ ଚଳାଇ ସେ ବହୁଥର ପୁଲିସକୁ ଚକ୍ମା ଦେଇଥିଲା। ତେବେ ୨୦୦୩ ମସିହାରେ ତାକୁ ଭୁବନେଶ୍ବର ଷ୍ଟେସନରୁ ରେଳବାଇ ପୁଲିସ କାବୁ କରିଥିଲା। ଆଜୀବନ ସଜ୍ଜା ଭୋଗିବା ପରେ ସେ ୨୦୧୪ ମସିହାରେ ସେ ଜେଲ୍ରୁ ମୁକୁଳିଥିଲା। ଜେଲ୍ରୁ ଫେରିବା ପରଠାରୁ ରେତଙ୍ଗ ରେଳଷ୍ଟେସନ ଓ ପଞ୍ଚୁପଲ୍ଲୀ ଅଞ୍ଚଳରେ ଡକାୟତି କରିବା, ଦାଦାବଟି ପାଇଁ ବୋମାମାଡ଼ କରିବା ଓ ଗାଁରେ ଲୋକଙ୍କୁ ଆକ୍ରମଣ କରିବା ଭଳି ବହୁ ଅପରାଧିକ ମାମଲା ସେ ଘଟାଇ ଚାଲିଛି। ତେଣୁ ଏକଦା ଗ୍ରାମର କିଛି ଯୁବକ ତାକୁ ମରଣାନ୍ତକ ଆକ୍ରମଣ କରିଥିଲେ। କିନ୍ତୁ ସେ ବଞ୍ଚି ଯାଇଥିଲା। ତେଣୁ ତାକୁ ଏନ୍ଏସ୍ଏ ରେ ଗିରଫ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।