ମହିଳାଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ଜଣେ ମହିଳାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ସୌଭାଗ୍ୟ ବଶତଃ ନିଆଁ ଲାଗିବା ଜାଣି ପାରି ମହିଳା ଓ ତାଙ୍କ ପରିବାରର ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିବାରୁ ଅଳ୍ପକେ ବର୍ତି ଯାଇଛନ୍ତି। ଏନେଇ ମହିଳା ଜଣକ ଆଜି ସକାଳ ପ୍ରାୟ ୭ଟା ସମୟରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଶା ମାଳି ନାମକ ଏହି ମହିଳା ତାଙ୍କ ପରିବାର ସହ ଗୌତମ ନଗର ବସ୍ତିରେ ଦୀର୍ଘ ବର୍ଷ ହେଲା ରହିଆସୁଛନ୍ତି। କିଛି ଦିନ ତଳେ ତାଙ୍କ ସାନ ଭାଇଙ୍କ ସହ ସେହି ବସ୍ତିର କିଛି ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା। ଏନେଇ ଯୁବକମାନେ ବିଭିନ୍ନ ସମୟରେ ତାଙ୍କ ପରିବାରକୁ ହଇରାଣ କରି ଆସୁଥିଲେ। ସେହି ରାଗରେ ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ କିଛି ଯୁବକ ତାଙ୍କ ଘର ଉପରକୁ କିରାସିନ ଫିଙ୍ଗି ନିଆଁ ଲଗାଇଥିଲେ। ସୌଭାଗ୍ୟ ବଶତଃ ମହିଳା ଜଣକ ନିଆଁ ଲାଗିବା ପୂର୍ବରୁ ଜାଣିବାକୁ ପାଇ ତାଙ୍କର ଓ ତାଙ୍କ ପରିବାରର ଜୀବନ ବଞ୍ଚାଇବାକୁ ପଦାକୁ ପଳାଇ ଆସିଥିଲେ।

ସମ୍ବନ୍ଧିତ ଖବର