ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି: ରେଳ ରୋକିଲେ ଫୌଜଦାରୀ ମାମଲା
ଅପରାଧରେ ସାମିଲ ପୁଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାଓ ଇଲାକାରେ ପାଟ୍ରୋଲିଂ କଡ଼ାକଡ଼ି
କଟକ: ଏଣିକି କୌଣସି କାରଣରୁ ରେଳ ରୋକ୍ କଲେ ଆନ୍ଦୋଳନକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ। ରେଳ ଭିତରେ ଅଥବା ରେଳ ଷ୍ଟେସନରେ ଅପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତ ଥିବାର ସୂଚନା ମିଳିଲେ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନକ୍ସଲ ପ୍ରଭାବିତ ଇଲାକାରେ ଥିବା ରେଳ ଷ୍ଟେସନ୍ ଚିହ୍ନଟ କରାଯାଇ ଷ୍ଟେସନ୍ରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ରେଳ ସୁରକ୍ଷାକୁ ନେଇ ରାଜ୍ୟସ୍ତରୀୟ ସୁରକ୍ଷା କମିଟିର ପ୍ରଥମ ବୈଠକରେ ଆଜି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ କ୍ୟାମ୍ପ ଅଫିସର୍ରେ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶରେ ଏହି ସୁରକ୍ଷା କମିଟି ଗଠିତ ହୋଇଥିବା ବେଳେ ଏଥିରେ ଆରପିଏଫ୍, ଗୁଇନ୍ଦା ଏବଂ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟରେ ଗଲା କିଛ ବର୍ଷ ହେବ ବିଭିନ୍ନ ଧର୍ମଘଟ ଓ ଆନ୍ଦୋଳନ ସମୟରେ ବାରମ୍ବାର ରେଳ ରୋକ କରାଯାଉଛି। ଏହାଦ୍ୱାର ଯାତ୍ରୀ ସମସ୍ୟାରେ ପଡ଼ୁଥିବା ବେଳେ ସରକାର ମଧ୍ୟ ଆର୍ଥିକ କ୍ଷତି ସହୁଛନ୍ତି । କୋର୍ଟ ମଧ୍ୟ ରେଳ ରୋକ୍ରେ ସାମିଲ ଆନ୍ଦୋଳନକାରୀଙ୍କ ବିରୋଧରେ ଦଣ୍ଡ ଶୁଣାଣି କରିବାର ନଜିର ରହିଛି । ଏସବୁ ସ୍ଥିତି ଏଡାଇବାକୁ ପୁଲିସ ଡିଜି ଆର୍.ପି. ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଆର୍ପିଏଫ୍ ଆଇଜି ଅତୁଲ ପାଠକ୍ ରେଳରୋକ୍ କରୁଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ଶୁଣାଇଥିଲେ। ସେହି କ୍ରମରେ ପୁଲିସ ଡିଜି ମଧ୍ୟ ଜିଆର୍ପି ପୁଲିସକୁ ଅନୁରୂପ କାର୍ଯ୍ୟାନୁଷ୍ଠାନ ଆନ୍ଦୋଳନକାରୀଙ୍କ ବିରୋଧରେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳ ରୋକ୍ ଦ୍ୱାରା ହେଉଥିବା ଆର୍ଥିକ କ୍ଷତି ମଧ୍ୟ ଆନ୍ଦୋଳକାରୀଙ୍କ ନିକଟରୁ ରେଳବାଇ ଆଇନ ଅନୁଯାୟୀ ଭରଣା କରାଯିବ ।
ବୈଠକରେ ରେଳ ଷ୍ଟେସନ୍ରେ ପର୍ଯ୍ୟାପ୍ତ ସିସି କ୍ୟାମେରା ଖଞ୍ଜିବାକୁ ମଧ୍ୟ ଆଲୋଚନା ହୋଇଥିଲା । ଏବେ କଟକ, ଭୁବନେଶ୍ୱର, ପୁରୀ, ରାଉର୍କେଲା ଏବଂ ଝାରସୁଗୁଡ଼ା ଷ୍ଟେସନ୍ରେ ସିସି କ୍ୟାମେରା ଖଞ୍ଜା ହୋଇଛି । କ୍ୟାମେରା ଖଞ୍ଜା ହେବା ଦ୍ୱାରା ବିଭିନ୍ନ ଅପରାଧୀକ କାର୍ଯ୍ୟକାଳାପରେ ନଜର ରଖିବା ଏବଂ ସମ୍ପୃକ୍ତ ଅପରାଧୀଙ୍କୁ ଠାବ କରିବାରେ ପୁଲିସକୁ ସହଜ ହେଉଛି । ତେଣୁ ଏବେ ପ୍ରାଥମିକତା ଭିତ୍ତିରେ ସମ୍ବେଦନଶୀଳ ରେଳ ଷ୍ଟେସନ୍ଗୁଡ଼ିକ ଚିହ୍ନଟ କରାଯିବ। ଉକ୍ତ ଷ୍ଟେସନ୍ରେ ରେଳ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ କ୍ୟାମେରା ଖଞ୍ଜିବାକୁ ନିଷ୍ପତ୍ତି ହୋଇଛି । ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସମୟରେ ସିପିଆଇ ମାଓବାଦୀଙ୍କ ଦ୍ୱାରା ରେଳବାଇ ସମ୍ପତ୍ତି ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ସେହି ଅଞ୍ଚଳରେ ମାଓବାଦୀ ଅଧିକ ସକ୍ରିୟ ଥିବାରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼କଡ଼ା କରାଯିବାକୁ ଉଭୟ ଜିଆର୍ପି ଏବଂ ଆର୍ପିଏଫ୍ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ରାଜ୍ୟର ସମସ୍ତ ରେଳ ଷ୍ଟେସନ୍ଗୁଡ଼ିକ ଅପରାଧ ମୁକ୍ତ ହେବା ସମ୍ପର୍କରେ ପୁଲିସ ଡିଜି ଗୁରୁତ୍ୱ ଦେଇଛନ୍ତି। ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ୍ରେ ବାରମ୍ବାର ପୁଲିସ ଅଧିକାରୀମାନେ ଅପରାଧୀକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହେବା ଏବଂ ନିଲମ୍ବନ ଘଟଣା ସାମ୍ନାକୁ ଆସୁଥିବାରୁ ଏଣିକି ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଆୟୋଜିତ ବୈଠକରେ ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ସମେତ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନିଲ ରଏ, ରେଳବାଇ ଆଇଜି ଅରୁଣ ବୋଥ୍ରା, ରାଜ୍ୟ ଗୁଇନ୍ଦା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭିନିତ୍ ଶର୍ମା, ପୂର୍ବ ତଟ ରେଳବାଇର ଆଇଜି ଅତୁଲ ପାଠକ, କଲିକତା ରେଳବାଇର ଆଇଜି ଏସ୍.କେ. ସିହ୍ନା, ଓଡ଼ିଶା ଗୁଇନ୍ଦା ବିଭାଗ ଡିଆଜି ଏନ୍. ଭୋଳ, କଟକ ରେଳବାଇ ଏସ୍ପି ସଂଜୟ କୌଶଲ ଏବଂ ରାଉରକେଲା ରେଳବାଇ ଏସ୍ପି କେ.ଏସ୍. କଓ୍ଵଁର ପ୍ରମୁଖ ଉପସ୍ଥିତ ଥିଲେ ।