ରାଜଧାନୀ ସମେତ ଖୋର୍ଧା, ନୟାଗଡ଼ ଓ ଗଞ୍ଜାମରେ ଆତଙ୍କ ଖେଳାଇଥିଲା
୩ ମାସରେ ୩୦ରୁ ଊର୍ଧ୍ବ ମାମଲା
ଭୁବନେଶ୍ବର : ରାଜଧାନୀ ସମେତ ଖୋର୍ଧା, ନୟାଗଡ଼ ଓ ଗଂଜାମ ଜିଲ୍ଲାରେ ଆତଙ୍କ ଖେଳାଇଥିଲା ଦୁର୍ଦ୍ଦାନ୍ତ ଚକ୍ରଧର ବାରିକ ଓରଫ ଚକରା। ଗତ ୩ ମାସରେ ଲୁଟ୍, ବୋମାମାଡ଼, ଗୁଳିକାଣ୍ଡ ଭଳି ପ୍ରାୟ ୩୦ରୁ ସଂଗିନ୍ ଅପରାଧ ଘଟାଇଥିଲା। ରାତି ହେଉ କି ଦିନ, ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ସର୍ବସାଧାରଣ ସ୍ଥାନରେ ଲୋକଙ୍କଠାରୁ ଲୁଟ୍, ଛିନ୍ତାଇ କରୁଥିଲା। ଏପରିକି ଭୁବନେଶ୍ବରର ଡେଲ୍ଟା ଛକରେ ଥିବା ସୁନା ଦୋକାନକୁ ଲୁଟିବା ପାଇଁ ସେ ଯୋଜନା କରିଥିଲା। ଦୋକାନ ଉପରକୁ ବୋମାମାଡ଼ କରି ଲୁଟ୍ କରିବ ବୋଲି ପୂରା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଥିଲା। କିନ୍ତୁ ଦୁର୍ଭାଗ୍ୟକୁ ତା’ର ଦୁଇ ସହଯୋଗୀ ଜଙ୍କିଆ ପୁଲିସ ହାତରେ ଧରାପଡ଼ିଯିବା ପରେ ତା’ର ଏହି ଯୋଜନା ଫସର ଫାଟି ଯାଇଥିଲା ଓ ପୁଲିସ ତାକୁ କାବୁ କରିନେଇଥିଲା। ପୁଲିସ୍ ଏନ୍କାଉଣ୍ଟର୍ରେ ଆହତ ହୋଇ ଚିକିତ୍ସିତ ହେଉଥିବା ଚକରା ବିଷୟରେ ଏପରି ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସେ ଭୁବନେଶ୍ବର ଓ ଖୋର୍ଦ୍ଧାରେ ସର୍ବାଧିକ ୨୦ରୁ ଅଧିକ ଛିନ୍ତାଇ, ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ କରିଥିବା ଜଣାପଡ଼ିଛି। ତେଣୁ ଚକରାକୁ ଧରିବା ପାଇଁ କମିସନରେଟ୍ ପୁଲିସ୍ ଏକ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା। ଚକରାକୁ ଧରିବା ପାଇଁ ଦୀର୍ଘ ଦେଢ଼ ମାସ ଧରି ସ୍ପେସାଲ୍ ସ୍କ୍ବାଡ୍ ଓ ୪ ଥାନାର ପିଓପିଡି ଟିମ୍ ଉଦ୍ୟମ ଚଳାଇଥିଲେ। ସ୍ବତନ୍ତ୍ର ଭାବେ କେବଳ ଚକରା ଗୋଷ୍ଠୀର କାର୍ଯ୍ୟକଳାପକୁ ସ୍କାନରକୁ ଅଣାଯାଇଥିଲା।
ଏପରିକି ନୟାଗଡ଼ରେ ବୋମାମାଡ଼ କରିବା ପରେ ଭୁବନେଶ୍ବରର ଡେଲ୍ଟା ଛକରେ ଥିବା ସୁନା ଦୋକାନକୁ ଲୁଟିବା ପାଇଁ ସେ ଯୋଜନା କରିଥିଲା। ଏଥିପାଇଁ ଜଙ୍କିଆ ବନ୍ଧୁକ କାରଖାନାରୁ ଦେଶୀ ବନ୍ଧୁକ ମଗାଇଥିଲା। ଏଥିପାଇଁ ବିଦେଶୀ ଓ ତିଲୁଆ ତାକୁ ସହଯୋଗ କରିଥିଲେ। ଏପ୍ରିଲ୍ ୨୮ରେ ବିଦେଶୀ ଓ ତିଲୁଆ ଜଙ୍କିଆ ପୁଲିସ ହାତରେ ଧରାପଡ଼ିବା ପରେ ପୁଲିସକୁ ଚକରାର ଯୋଜନା ବାବଦରେ ସବୁ ତଥ୍ୟ ମିଳିଯାଇଥିଲା। ତେଣୁ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଯୋଜନା କରୁଥିବା ବେଳେ ପୁଲିସ ତାକୁ କାବୁ କରିନେଇଥିଲା। ଅପରପକ୍ଷେ ଚକରା ଏବେ ବି କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବାରୁ ପୁଲିସ ତାକୁ କୋର୍ଟଚାଲାଣ କରିନାହିଁ। ଆସନ୍ତା କିଛି ସପ୍ତାହ ମଧ୍ୟରେ ସୁସ୍ଥ ହେବା ପରେ ତାକୁ କୋର୍ଟ ଚାଲାଣ କରାଯିବ। ଏହା ପରେ ତାକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ।
ସୂଚନାଯୋଗ୍ୟ, ୨୦୧୩ ମସିହାରୁ ଅପରାଧ ଦୁନିଆରେ ପାଦ ଥାପିଥିବା ଚକରା ଗତ ୬ ବର୍ଷରେ ପ୍ରାୟ ୨୫ରୁ ଅଧିକ ଅପରାଧ କେବଳ କମିସନରେଟ୍ ପୁଲିସ ଅଞ୍ଚଳରେ ଘଟାଇଛି। ତେଣୁ ବାହାର ଜିଲ୍ଲା ସମେତ ଦ୍ବୈତନଗରୀର ଅପରାଧକୁ ମିଶାଇଲେ ଚକରାର ମାମଲା ସଂଖ୍ୟା ୬୦ ଟପିଯିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/chakara-m10-1.jpg)