କମିସନରେଟ୍‌ ପୁଲିସ ହାଜତରୁ ପୁଣି ଜଣେ ଅଭିଯୁକ୍ତ ଚମ୍ପଟ, ୧୦ ଦିନରେ ଦ୍ବିତୀୟ ଘଟଣା

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : କମିସନରେଟ୍‌ ପୁଲିସ ହାଜତରୁ ପୁଣି ଚମ୍ପଟ ମାରିଛି ଜଣେ ଅଭିଯୁକ୍ତ। ଗତ ୧୦ ତାରିଖରେ ଏୟାରପୋର୍ଟ ଥାନା‌ ପୁଲିସକୁ ଚକ୍‌ମା ଦେଇ ଚମ୍ପଟ ମାରିଥିବା ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଧରା ପଡ଼ି ନ ଥିବା ବେଳେ ଆଜି ଚନ୍ଦ୍ରଶେଖରପୁର ଥାନାରୁ ଚମ୍ପଟ ମାରିଛି ଆଉ ଜଣେ ଅଭିଯୁକ୍ତ। ୧୦ ଦିନ ମଧ୍ୟରେ ପୁଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ମାରିବା ଏହା ହେଉଛି ଦ୍ବିତୀୟ ଘଟଣା। କରୋନା ମୁକାବିଲାରେ ପୁଲିସ ନିଜ କର୍ତ୍ତବ୍ୟରୁ ଅନେକ ପାଦ ଆଗକୁ ଯାଇ ଯୋଦ୍ଧାର ପ୍ରମାଣ ଦେଇଛି। ଏଥିପାଇଁ ପୂର୍ବତନ ପୁଲିସ ଡିଜିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନେକେ ପ୍ରଶଂସା କରିଛନ୍ତି। ହେଲେ କମ୍‌ ସମୟ ବ୍ୟବଧାନରେ ଏହି ଦୁଇ ଘଟଣା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି। ଏୟାରପୋର୍ଟ ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଅବହେଳା କରିଥିବା କୌଣସି କର୍ମଚାରୀଙ୍କ ଉପରେ ଅଦ୍ୟାବଧି କିଛି ବି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।

ଅନ୍ୟପଟେ ଚନ୍ଦ୍ରଶେଖରପୁର ଥାନାରୁ ଫେରାର ଅଭିଯୁକ୍ତ ଏକ ଗାଡ଼ି ଚୋରି ରୢାକେଟ୍‌ର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ। ରୢାକେଟ୍‌ର ମୁଖିଆକୁ ସ୍ପେଶାଲ ସ୍କ୍ବାଡ୍‌ ଧରିବା ପରେ ଚନ୍ଦ୍ରଶେଖରପୁର ଥାନାକୁ ହସ୍ତାନ୍ତର କରିଥିଲା। ମୁଖିଆର ସୂଚନା ବଳରେ ଅନ୍ୟ ଦୁଇ ଜଣଙ୍କୁ ପୁଲିସ ଧରିଥିଲା। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଖସି ଯାଇଛି। ଆଗରୁ ଗାଡ଼ି ଚୋରି ରୢାକେଟ୍‌ରେ ପୁଲିସର ସମ୍ପୃକ୍ତି ନେଇ ବିବାଦ ରହିଛି। ଏଣୁ ଏହି ଗାଡ଼ି ଚୋରକୁ ଖସାଇ ଦିଆଯାଇଛି କି ଖସି ଯାଇଛି ସେ ନେଇ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ଗତ ୭ ତାରିଖ ରାତିରେ ଚନ୍ଦ୍ରଶେଖରପୁର ବିଡିଏ ଏମ୍ଆଇଜି କଲୋନିରୁ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ବାଇକ୍ (ଓଡି୦୨ବିଏଫ୍-୫୮୪୧) ଚୋରି ହୋଇଥିଲା। ସ‌ନ୍ତୋଷ ବାଇକ୍‌ଟିକୁ ଘର ବାହାରେ ପାର୍କିଂ କରି ଭିତରକୁ ଯାଇଥିବା ବେଳେ ଜଣେ ଯୁବକ ବାଇକ୍‌ର ତାଲା ଭାଙ୍ଗି ଚୋରି କରି ଚମ୍ପଟ ମାରିଥିଲା। ବାଇକ୍‌ ଚୋରିର ଏହି ଦୃଶ୍ୟ ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ଚୋରକୁ ଚିହ୍ନଟ କରି ସ୍ପେଶାଲ୍ ସ୍କ୍ବାଡ୍‌ ରବିବାର ବିଳମ୍ବିତ ରାତିରେ ଡମଣା ଅଞ୍ଚଳରୁ ଗ୍ୟାଙ୍ଗ ମୁଖିଆକୁ ଧରିଥିଲା। ମୁଖିଆକୁ ଧରିବା ପରେ ଆଉ ୨ଜଣ ଅଭିଯୁକ୍ତଙ୍କୁ ଧରା ଯାଇଥିଲା। ସେମାନଙ୍କଠାରୁ ୪ଟି ବାଇକ୍, ଗୋଟିଏ ‌ଲାପ୍‌ଟପ୍ ଓ ୬ଟି ମୋବାଇଲ୍ ଜବତ କରିଥିଲା। ଏହା ସହିତ କିଛି ଚୋରା ଗାଡ଼ି କିଣିଥିବା ଗ୍ରାହକଙ୍କୁ ମଧ୍ୟ ପୁଲିସ୍ ଧରିଥିଲା। ଗତକାଲି ଦୁଇ ଜଣ ଅଭିଯୁକ୍ତ କୋର୍ଟ ଚାଲଣ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଘଡ଼େଇ ଓରଫ ଡିକେକୁ ଥାନାରେ ରଖି ପଚରା ଉଚରା କରୁଥିଲା। ପଚରାଉଚରା ପରେ ସୁଯୋଗ ଉଣ୍ଡି ଅଭିଯୁକ୍ତ ଜଣକ ବିଳମ୍ବିତ ରାତିରେ ହାଜତ ଭିତରୁ ବାହାରି ଯାଇଥିଲା। ବାହାରିବା ବେଳେ ବାରଣ୍ଡାରେ ପହରା ଦେଉଥିବା ଦୁଇଜଣ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଥାନାରେ ଥିବା ପୁଲିସ୍ ଅଭିଯୁକ୍ତକୁ ଅଟକାଇ ପାରି ନ ଥିଲେ। ସାରା ରାତି ଥାନା ଆଇଆଇସି ଓ ତାଙ୍କ ଦଳ ଭ୍ୟାନ୍ ଧରି ଆଖପାଖ ଅଞ୍ଚଳ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତର ପତ୍ତା ପାଇ ନ ଥିଲେ। ରବିବାର ଠାରୁ ଘଟଣା ଘଟିଥିଲେ ମଧ୍ୟ ୪୮ ଘଣ୍ଟା ପରେ ଯାଇ ସୂଚନା ବାହାରକୁ ଆସିଥିଲା।

ସମ୍ବନ୍ଧିତ ଖବର