ଭୁବନେଶ୍ବର: ରବିବାର ରାତିରେ ବଡ଼ଗଡ଼ ଥାନା ଗଧିଆଖାଲ ବସ୍ତିରେ ଘଟିଥିବା ଗଣ୍ଡଗୋଳ ପଛର ଅସଲ ରହସ୍ୟ ପଦାକୁ ଆସିଛି। ଘଟଣା ପରଠୁ ଫେରାର୍ ଥିବା କୁଖ୍ୟାତ ନରେଶ ଜେନା (୨୬) ଗିରଫ ହେବା ପରେ ଦାଦାବଟି ପାଇଁ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଘଟଣା ବେଳେ ବ୍ଲାଙ୍କ୍‌ ଫାୟାରିଂ କରି ବସ୍ତିଲୋକଙ୍କୁ ଡରାଇ ଚମ୍ପଟ ମାରିଥିବା ନରେଶକୁ ବଡ଼ଗଡ଼ ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିଛି। ତା’ଠାରୁ ବନ୍ଧୁକ ଜବତ କରାଯାଇଛି।

Advertisment

ଅକ୍ତାର ଅଲ୍ଲି ଖାଁ ଅରବିନ୍ଦନଗରରେ ଜମି କିଣିଛନ୍ତି। ସେଠାରେ ସେ ଘର ନିର୍ମାଣ କରୁଛନ୍ତି। ଗଧିଆଖାଲ ବସ୍ତିର ସାଗର ଜେନା ତାଙ୍କୁ ବଟି ମାଗିଥିଲା। ବଟି ନ ଦେଲେ ଘର ନିର୍ମାଣ କରାଇଦେବ ନାହିଁ ବୋଲି ଧମକାଇଥିଲା। କିନ୍ତୁ ଅକ୍ତାର ଏହି ଧମକରେ ଡରି ଯାଇ ନଥିଲେ। ତାଙ୍କୁ ବି ସ୍ଥାନୀୟ ଲୋକେ ସମର୍ଥନ କରିଥିଲେ। ତେଣୁ ଅକ୍ତାରଙ୍କ ଗୃହ ନିର୍ମାଣକୁ ନେଇ ସେଠାରେ ଗୋଷ୍ଠୀ ବିବାଦ ମୁଣ୍ଡ ଟେକିଥିଲା। ବଟି ନ ପାଇବା ସାଙ୍ଗକୁ ପତିଆରା କମିଯିବାରୁ ସାଗର ରାଗରେ ଜଳିଉଠିଥିଲା। ତେଣୁ ସେ ବାହାରର କିଛି କୁଖ୍ୟାତ ଅପରାଧୀଙ୍କୁ ତା’ ଗୋଷ୍ଠୀରେ ସାମିଲ କରିଥିଲା। କ୍ୟାପିଟାଲ ଥାନା ଝରଣାବସ୍ତିର କୁଖ୍ୟାତ ନରେଶକୁ ସାଗର ଗୋଷ୍ଠୀ ମୁଖିଆ କରିଥିଲେ। ରବିବାର ଦିନ ଅକ୍ତାରଙ୍କ ଗୋଷ୍ଠୀ ଗୃହ ନିର୍ମାଣସ୍ଥଳରେ ଏକାଠି ହୋଇଥିଲେ। ଏହି ସମୟରେ ସାଗର ଗୋଷ୍ଠୀ ଜନ୍ମଦିନ ପାଳନ ନାଁରେ ସେଠାରେ ପହଞ୍ଚିଥିଲେ। କିନ୍ତୁ ଅସଲ ଉଦ୍ଦେଶ୍ୟ ଥିଲା ଅକ୍ତାରଙ୍କୁ ଡରାଇବା। ତେଣୁ ନରେଶ ବନ୍ଧୁକ ଧରି ସେଠାରେ ପହଞ୍ଚିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ବନ୍ଧୁକ ଫୁଟିବାରୁ ଅକ୍ତାରଙ୍କ ସମର୍ଥକମା‌ନେ ଭୟରେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ସାଗର ଗୋଷ୍ଠୀ ସେଠାରେ ଗାଡ଼ି ଭଙ୍ଗାରୁଜା କରିଥିଲେ। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ସେଠ‌ାରେ ପହଞ୍ଚିବା ବେଳକୁ ନରେଶ ଚମ୍ପଟ ମାରିଥିଲା।