ଖଣ୍ଡଗିରି : ଆଜି ସଂଧ୍ୟାରେ ଖଣ୍ଡଗିରି ଥାନା ପୁଲିସ ଓ ସ୍ପେସାଲ ସ୍କ୍ବାଡ୍ ମିଳିତ ଭାବେ ଭରତପୁରର ରବି ରାଓକୁ ଏନ୍କାଉଣ୍ଟର୍ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସ୍ସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଦୁଇ ମାସ ହେଲା ଖଣ୍ଡଗିରି ଅଞ୍ଚଳରେ ଲୁଟ୍ପାଟ୍ କରୁଥିବା ରବି ଓ ତା’ର ୩ ସହଯୋଗୀ ପୁଲିସର ନିଦ ହଜାଇ ଦେଇଥିଲେ। ଆଜି ଭରତପୁର ଜିଏ କଲୋନି ନିକଟରେ ରବି ଓ ତାର ସହଯୋଗୀମାନେ ଏକାଠି ହୋଇଛନ୍ତି ବୋଲି ପୁଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା।
ଏକ ବଡ଼ଧରଣର ଡକାୟତି କରିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି ବୋଲି ଖଣ୍ଡଗିରି ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍କୁ ଖବର ଯାଇଥିଲା। ତୁରନ୍ତ ସ୍ପେସାଲ୍ ସ୍କ୍ବାଡ୍, ଖଣ୍ଡଗିରି ଥାନା ପୁଲିସ ଓ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଚାରିପଟୁ ଘେରି ଯାଇଥିଲେ। ପୁଲିସକୁ ଦେଖି ରବିର ସହଯୋଗୀମାନେ ଦାସପୁର ଜଙ୍ଗଲ ଭିତରକୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ଉପରକୁ ଗୁଳି ଚଳାଇ କାର୍ ସହ ଚମ୍ପଟ ମାରିବ ବୋଲି ରବି ଉଦ୍ୟମ କରିଥିଲା। ରବି ଗୁଳି ଚଳାଇବା ଦେଖି ପୁଲିସ ପାଲଟା ଗୁଳି ମାଡ଼ କରିଥିଲା। ଏଥିରେ ରବିର ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା ଓ ସେ ସେହିଠାରେ ମାଟି କାମୁଡ଼ି ତଳେ ପଡ଼ିଥିଲା। ପୁଲିସ ରବିଠାରୁ ଏକ ବନ୍ଧୁକ ଓ କାର୍ ଭିତରୁ ବୋମା ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ସହଯୋଗୀମାନଙ୍କୁ ଧରିବା ପାଇଁ ପୁଲିସ ଟିମ୍ ଦାସପୁର ଜଙ୍ଗଲକୁ ଘେରି ରହି ଖୋଜୁଛି।
ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ରେ ରବି ଗ୍ୟାଙ୍ଗ୍ ଆମ୍ରି ହସ୍ପିଟାଲ ନିକଟରୁ ବନ୍ଧୁକ ଦେଖାଇ ଦୁଇ ଦୁଇଟି କାର୍ ଲୁଟ କରିଥିଲା। ଜୁନ୍ ୧୦ ତାରିଖରେ ଘାଟିକିଆରେ ରହୁଥିବା ଇନୋଭା ଚାଳକ ଦିଲ୍ଲୀପ ଦେହୁରି ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ସହ ଅପହରଣ କରି ନେଇଥିଲେ ଓ ଫୁଲନଖରା ନିକଟରେ ତାକୁ ଗାଡ଼ିରୁ ଠେଲି ଦେଇ ଚମ୍ପଟ ମାରିଥିଲେ। ସେହିଭଳି ୨୦ ତାରିଖରେ ଅନୁଗୋଳରୁ ଆମ୍ରି ହସ୍ପିଟାଲକୁ ରୋଗୀ ନେଇ ଆସିଥିବା କାର୍ ଚାଳକ ଅଜୟ ସାହୁକୁ ଏହି ଗ୍ୟାଙ୍ଗ୍ ଆକ୍ରମଣ କରି ତାଙ୍କଠାରୁ ସ୍ବିଫ୍ଟ ଡିଜାୟାର୍ କାର୍ ଛଡ଼ାଇ ନେଇଥିଲେ। ଏହାବାଦ୍ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ବହୁ ଡକାୟତି ଓ ଲୁଟ୍ ମାମଲରେ ରବି ଗ୍ୟାଙ୍ଗ୍ର ହାତ ଥିବା ପୁଲିସ ନିକଟରେ ପ୍ରମାଣ ଥିଲା।