ଭୁବନେଶ୍ୱର : ରାତି ଅଧିଆ ଉତ୍ପାତ; ଦୋକାନ ଓ ଗାଡ଼ି ଭାଙ୍ଗିଲେ, ‘ସାକ୍ଷୀ ହେଲେ ଆଖି ତାଡ଼ି ଦବୁ’

ଭୁବନେଶ୍ବର : ଗତକାଲି ରାତିରେ ନୂଆପଲ୍ଲୀ ବେହେରାସାହିରେ ୧୦/୧୫ ଜଣ ଦୁର୍ବୃତ୍ତ ଆତଙ୍କ ଖେଳାଇଥିଲେ। ଦୁର୍ବୃତ୍ତମାନେ ହାତରେ ଖଣ୍ଡା, କଟୁରି, ଲୁହା ଛଡ଼ ଭଳି ମାରଣାସ୍ତ୍ର ଧରି ବେହେରାସାହିରୁ ଗଡ଼ସାହି ପର୍ଯ୍ୟନ୍ତ ରାସ୍ତାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆଖି ଆଗରେ ଯାହା ପଡ଼ିଲା, ବାଡ଼େଇ ପିଟି ଭାଙ୍ଗିଲେ। ଦୋକାନ, ହୋଟେଲ ଓ ରାସ୍ତା କଡ଼ରେ ଥିବା ଗାଡ଼ିଗୁଡ଼ିକୁ ଖଣ୍ଡା ଓ କଟୁରିରେ ହାଣି ପକାଇଲେ। ରାସ୍ତା କଡ଼ରେ ପାର୍କିଂ ହୋଇଥିବା ୭ଟି ଦାମୀ କାର୍‌ ପିଟି ପିଟି ଭାଙ୍ଗି ପକାଇଲେ। ଦୁର୍ବୃତ୍ତମାନଙ୍କ ରାତି ଅଧିଆ ଉତ୍ପାତକୁ କିଛି ଲୋକ ଦେଖୁଥିଲେ ବି ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରିନଥିଲେ।

ଘଟଣାଟି ଥିଲା ଏମିତି। ମଙ୍ଗଳବାର ରାତି ସାଢ଼େ ୧୦ଟା ବେଳେ କେତେକ ଯୁବକ ବେହେରାସାହି ଛକରେ ଥିବା ସୁବାସ ବେହେରାଙ୍କ ହୋଟେଲ ଶୁଭଲକ୍ଷ୍ମୀ ସାମ୍ନାରେ ଗାଳି ଗୁଲଜ କରୁଥିଲେ। ଏହାକୁ ଦୋକାନ ମାଲିକଙ୍କ ସହ ଅନ୍ୟ କେତେକ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। ତେଣୁ ସେମାନେ ଫେରି ଯାଇଥିଲେ। ତେବେ ରାତି ପ୍ରାୟ ୧ଟାବେଳେ ୧୦ରୁ ୧୫ ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ମାଡ଼ି ଆସିଥିଲେ। ବାଟରେ ଗାଡ଼ି, ଦୋକାନ, ହୋଟେଲ ଯାହା ପଡ଼ିଲା ତାକୁ ହାଣିବା ସହ ପିଟି ପିଟି ଭାଙ୍ଗି ପକାଇଥିଲେ। କିଛି ସ୍ଥାନୀୟ ଲୋକ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଯୁବକମାନଙ୍କ ଉଗ୍ର ରୂପ ସାଙ୍ଗକୁ ହାତରେ ମାରଣାସ୍ତ୍ର ଦେଖି ଭୟରେ ଲୋକେ ଛତ୍ରଭଙ୍ଗ ଦେଲେ। ଶେଷରେ ସେମାନେ ଶୁଭଲକ୍ଷ୍ମୀ ହୋଟେଲର କବାଟକୁ କଟୁରିରେ ହାଣି ଭିତରେ ପଶିଥିଲେ। ହୋଟେଲ କର୍ମଚାରୀମାନେ ବିକଳରେ ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ। ଦୁର୍ବୃତ୍ତମାନେ କ୍ୟାସ୍‌ବକ୍ସକୁ ହାଣି ସେଥିରୁ ୨୭୦୦ ଟଙ୍କା ନେଇଯାଇଥିଲେ। ହେଟେଲ ପାଖରେ ଥିବା ଗାଙ୍ଗୁରାମ ଦୋକାନର କବାଟକୁ ମଧ୍ୟ ହାଣି ପକାଇଥିଲେ। ଏ ନେଇ ଆଜି ସମସ୍ତ କ୍ଷତିଗ୍ରସ୍ତ ଦୋକାନୀ ଓ ଗାଡ଼ି ମାଲିକମାନେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତମାନେ ଫେରିବାବେଳେ ସାକ୍ଷୀ ନ ଦେବା ପାଇଁ ଧମକ ଦେଇ ଯାଇଛନ୍ତି। କେହି ସାକ୍ଷୀ ଦେଲେ ଆଖି ତାଡ଼ି ଦେବେ ବୋଲି ଚେତାବନୀ ଦେଇଛନ୍ତି। ସିସିଟିଭି ଫୁଟେଜ୍‌ରୁ ପୁଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିଥିଲେ ହେଁ କାହାକୁ ଗିରଫ କରାଯାଇନାହିଁ।

ସମ୍ବନ୍ଧିତ ଖବର