ଭୁବନେଶ୍ବର: ରାଜଧାନୀରେ ପ୍ରତ୍ୟେକ ଦିନ ଘଟୁଛି ଅପରାଧ । କେତେବେଳେ ଲୁଟ୍ ତ କେତେବେଳେ ଲୋକଙ୍କୁ ହେଉଛି ଆକ୍ରମଣ ପୁଣି ମହିଳାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ। ରାତି ହେଲେ ଭୁବନେଶ୍ବରରେ ବଢୁଛି ଅପରାଧୀଙ୍କ ରାଜୁତି । ରାଜଧାନୀ ରାସ୍ତାକୁ ଏକପ୍ରକାର ନିଜ କବଜା ନେଉଛନ୍ତି ଅପରାଧୀ । ହାତରେ ମାରଣାସ୍ତ୍ର ଧରି ବାହାରି ଆସୁଛନ୍ତି ଏହି ଅପରାଧୀମାନେ । କାହା ହାତରେ ବନ୍ଧୁକ ତ ଆଉ କାହା ହାତରେ ଭୁଜାଲି । ଡେରି ରାତିରେ କୌଣସି କାମରେ ପଦାକୁ ଆସିଥିବା ଲୋକଟିର ଅବସ୍ଥା ‘ଅରକ୍ଷିତକୁ ଦଇବ ସାହା’ ଭଳି ହେଉଛି କହିଲେ ଅତ୍ୟୁକ୍ତି ହେବନାହିଁ।
ଦୁଇଦିନ ତଳେ ରାଜଧାନୀର ରସୁଲଗଡ଼ ଛକ ଉପରେ ରାତି ୧୦ଟାରେ ଯେଭଳି ଜଣେ ଯୁବତୀଙ୍କୁ ଜଣେ ଅପରାଧୀ ଅସଦାଚରଣ କରିବାକୁ ସାହାସ କଲା ଓ ଲୋକେ ନିରବଦ୍ରଷ୍ଟା ସାଜିଲେ ତାହାହିଁ ସୂଚାଇ ଦେଉଛି ଯେ ଅପରାଧୀଙ୍କ ରାଜୁତି ଚାଲିଛି ରାଜଧାନୀରେ। ଆଉ ପୁଲିସ ଅପରାଧୀକୁ ନ ଧରି ମାମଲା ରଫାଦଫା କରିବାକୁ ପୀଡ଼ିତାଙ୍କୁ ପ୍ରବର୍ତ୍ତାଇବା ଏକ ପ୍ରକାର ସଙ୍କେତ ଦେଉଛି ଯେ ଶାସନ ପୂରା ହୁଗୁଳି ଗଲାଣି।
ପୁଣି ବଡ଼ ବଡ଼ ଗାଡିରେ ବସି ପୂରା ତେଲଗୁ ଫିଲ୍ମ ଷ୍ଟାଇଲରେ ରାଜଧାନୀ ରାସ୍ତାରେ ଚକ୍କର କାଟୁଛନ୍ତି ଅପରାଧୀ । ଆଉ ରାତି ବଢିଲେ ଏମାନଙ୍କ ରାଜୂୁତି କହିଲେ ନସରେ । ରାସ୍ତା ଉପରେ ଆରମ୍ଭ ହୋଇଯାଉଛି ଗୀତ ନାଚର ଆସର । କିଏ ଗାଡି ଉପରେ ନାଚୁଛି ତ ଆଉ କିଏ ରାସ୍ତାରେ ଗାଡି ରଖି ନାଚିବା ଆରମ୍ଭ କରିଦେଉଛି । କେବଳ ଏତିକି ନୁହଁ, ନାଚ ଗୀତ ସରିବା ପରେ ଫଟୋ ସେସନ୍ ବି ହେଉଛି ।
ହାତରେ ହତିଆର ଓ ପିସ୍ତଲ ଧରି ଏହି ଅପରାଧୀମାନେ ଏପରି ହେଉଛନ୍ତି ଯେ, ରାତିରେ ବାହାରିବା ପାଇଁ ଡର ଲାଗୁଛି । ଅପରାଧୀଙ୍କ ଏପରି କାର୍ଯ୍ୟକଳାପ ବେଳେ ଜଣେ ସାଧାରଣ ଲୋକ ରାତିରେ କିପରି ଘରୁ ବାହାରିବ ତାହା ଏବେ ପ୍ରଶ୍ନବାଚୀ? ଯଦି ଏପରି ସମୟରେ ଜଣେ ଲୋକ ଅପରାଧୀଙ୍କ ହାବୁଡରେ ପଡ଼ିଯାଏ, ତେବେ ତାର ଅବସ୍ଥା କ’ଣ ହେବ ?