ଭୁବନେଶ୍ବର: ସକାଳ ସାଢ଼େ ୮ଟା। ଶହଶହ ସଂଖ୍ୟାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖରେ ଟିକେଟ ପାଇଁ ଛିଡ଼ା ହୋଇଥିଲେ। ସମ୍ପର୍କୀୟମାନେ ଟିକେଟ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ରୋଗୀମାନେ ବିଭିନ୍ନ ବର୍ହିବିଭାଗ ସମ୍ମୁଖରେ ଆଗରେ ଧାଡ଼ି ଲଗାଇଥାନ୍ତି। ଗୁରୁତର ରୋଗୀମାନେ ମଧ୍ୟ ଜରୁରୀକାଳୀନ ପଞ୍ଜିକରଣ କେନ୍ଦ୍ର ସମ୍ମୁଖରେ ଧାଡ଼ି ଲଗାଇଥାନ୍ତି। ୯ଟାରେ ଡାକ୍ତର ଆସି ନିଜ ନିଜ ୱାର୍ଡ଼କୁ ଗଲେ। କିନ୍ତୁ ରୋଗୀଙ୍କ ପାଖରେ ଟିକେଟ ନଥିଲା। ଡାକ୍ତର ପ୍ରାୟ ଅଧଘଣ୍ଟା ବସିଲେ ମଧ୍ୟ ଟିକେଟ ନଥିଲା। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସକାଳ ୬ଟାରୁ ଲୋକ ଧାଡ଼ି ଲଗାଇଥିଲେ, କେହି କେହି ପୂର୍ବ ରାତିରୁ ମଧ୍ୟ ଧାଡ଼ିରେ ଶୋଇଥିଲେ। ସମେସ୍ତ ଟିକେଟ ପାଇଁ ଅପେକ୍ଷା କରିଥିଲେ ସୁଦ୍ଧା ପଞ୍ଜୀକରଣ କେନ୍ଦ୍ର କାହିଁକି ଖୋଲୁନି କେହି ଜାଣି ନଥିଲେ। ହସ୍ପିଟାଲ ଅଧିକାରୀମାନଙ୍କ ପାଖକୁ ଘନଘନ ଫୋନ ଯାଉଥିଲା। ଡାକ୍ତର ରୋଗୀଙ୍କୁ ପରାମର୍ଶ ଦେବେ କେମିତି? ନିରାମୟ ଓ ନିଦାନ ଟେଷ୍ଟ କରିବ କେମିତି? ହସ୍ପିଟାଲର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଅଧିକାରୀମାନେ ପଞ୍ଜୀକରଣ କେନ୍ଦ୍ର ପହଞ୍ଚି କଣ ହୋଇଛି ବୁଝିବା ବେଳକୁ ଦରମା ମିଳୁ ନଥିବାରୁ ପଞ୍ଜୀକରଣ କେନ୍ଦ୍ରର କର୍ମଚାରୀମାନେ ଧାରଣା ଦେଇଛନ୍ତି। ପଞ୍ଜୀକରଣ ଦାୟିତ୍ବ ନେଇଥିବା ସଂସ୍ଥା ଠିକ୍ ସମୟରେ ଦରମା ଦେଉ ନଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଦରମା ନ ମିଳିବାଯାଏ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କର୍ମଚାରୀମାନେ ରୋକଠୋକ ଜଣାଇ ଦେଇଥିଲେ। ପରେ ସଂସ୍ଥାର କର୍ମଚାରୀମାନେ ଆସି ପ୍ରତିଶ୍ରୁତି ଦେବା ପରେ ପ୍ରାୟ ଏକଘଣ୍ଟା ପରେ ପଞ୍ଜୀକରଣ କେନ୍ଦ୍ର ଖୋଲା ଯାଇଥିଲା।
ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲର ପଞ୍ଜୀକରଣ କେନ୍ଦ୍ର ଏବେ ଓକାକ୍ ଦାୟିତ୍ବରେ ରହିଛି। ଓକାକର ଅନ୍ୟ ଏକ ସଂସ୍ଥାକୁ ପଞ୍ଜୀକରଣ ଚଳାଇବାକୁ ଦେଇଥିବା ବେଳେ ସଂପୃକ୍ତ ସଂସ୍ଥା କର୍ମଚାରୀ ନିଯୁକ୍ତି ଦେଇଛି। କର୍ମଚାରୀମାନଙ୍କୁ ଠିକ ସମୟରେ ଦରମା ମିଳୁ ନଥିବା ସେମାନେ ଅଭିଯୋଗ କରିଛନ୍ତି। ପଞ୍ଜୀକରଣ କେନ୍ଦ୍ର ବନ୍ଦ ହୋଇଯିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ। ଏହାକୁ ରୋଗୀ ଓ ସମ୍ପର୍କୀୟମାନଙ୍କୁ ନିର୍ଯ୍ୟାତନା ଦେବା ସହିତ ସମାନ ବୋଲି କହିଛନ୍ତି। ସ୍ବାସ୍ଥ୍ୟସେବା ଭଳି ଜରୁରୀକାଳୀନ ସେବାକୁ ଏଭଳି ଭାବେ କିଛି ସମୟ ପାଇଁ ବନ୍ଦ କରିଦେବା ଘଟଣାକୁ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି। ଏଭଳି ହେବା କଥା ନୁହେଁ। ସଂପୃକ୍ତ ସଂସ୍ଥା ଏଥିପ୍ରତି ଯତ୍ନବାନ ହେବାକୁ ସେ କହିଛନ୍ତି। ଏହାକୁ ନେଇ ସେ ସ୍ବାସ୍ଥ୍ୟ ବିଭାଗକୁ ଚିଠି ମଧ୍ୟ ଲେଖିଥିବା ଜଣାଇଛନ୍ତି।
ଉପରବେଳା ଓପିଡିକୁ ଡାକ୍ତର ଡେରିରେ ଆସିବାରୁ ହୃଦରୋଗ ବିଭାଗରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବିଭାଗ ସମ୍ମୁଖରେ ହୋହଲ୍ଲା କରିଛନ୍ତି। ଘଟଣାସ୍ଥଳରେ ହସ୍ପିଟାଲ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲରେ ୧ଟାରୁ ୨ଟା ମଧ୍ୟାହ୍ନ ଭୋଜନ ବିରତି ପରେ ଅପରାହ୍ନରେ ୨ଟାରୁ ୫ଟା ବର୍ହିବିଭାଗରେ ଡାକ୍ତର ଚିକିତ୍ସା କରନ୍ତି। କିନ୍ତୁ ସାଢ଼େ ୩ଟା ପରେ ମଧ୍ୟ ହୃଦରୋଗ ବିଭାଗରେ ଡାକ୍ତର ନ ଆସିବାରୁ ଏହାକୁ ନେଇ ଧାଡ଼ିରେ ଥିବା ରୋଗୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୋଗୀଙ୍କ ସମ୍ପର୍କୀୟ କହିଥିଲେ ଯେ ବହୁ ରୋଗୀ ଧାଡ଼ି ଛିଡ଼ା ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଗୁରୁତର ରୋଗୀ ମଧ୍ୟ ରହିଛନ୍ତି। ଧାଡ଼ିରେ ଛିଡ଼ା ହେଲେ ସେମାନଙ୍କର ଅବସ୍ଥା ଆହୁରି ଖରାପ ଗୁରୁତର ହୋଇଯାଇପାରେ। ଡାକ୍ତର ଠିକ୍ ସମୟରେ ଆସୁ ନାହାନ୍ତି। ତେଣୁ ରୋଗୀ ଧାଡ଼ିରେ ଛିଡ଼ା ହେଉଛନ୍ତି। ୪ଟାରେ ଆସିବେ ୫ଟାରେ ପଳେଇବେ। ସବୁ ରୋଗୀଙ୍କୁ ଦେଖିବେ କେତେବେଳେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା କହିଛନ୍ତି, ସବୁରୋଗୀ ଜଣେ ହିଁ ଡାକ୍ତରଙ୍କୁ ଦେଖାଇବାକୁ ଜିଦ୍ କରୁଛନ୍ତି। ସେ ଡାକ୍ତର ଜଣକ ବରିଷ୍ଠ ହୋଇଥିବାରୁ ଦିନବେଳା ଓଟି କରୁଛନ୍ତି। ହୃଦୟ ଅପରେସନ ଜଟିଳ। ତେଣୁ ଏହା ଅଧିକ ସମୟ ନେଇଥାଏ। ସେ ଅପରାହ୍ନରେ ଓପିଡିରେ ରୋଗୀ ଦେଖୁଛନ୍ତି। ଏପରିକି ସବୁରୋଗୀ ଦେଖି ସେ ସନ୍ଧ୍ୟାରେ ବିଳମ୍ବରେ ଯାଆନ୍ତି। ଆଜି ସକାଳେ ଗୁରୁତର ରୋଗୀଙ୍କ ଅପରେସନ ରହିଥିଲା। ସାରିକି ଗଲା ବେଳକୁ ୩ଟା ହୋଇଗଲା। ତେଣୁ ଆସିବାରେ ତାଙ୍କର ଡେରି ହୋଇଯାଇଥିଲା।