ଭୁବନେଶ୍ବର: ସାହିତ୍ୟକୁ ଅଧିକ ସ୍ପଷ୍ଟ ଭାବେ ବୁଝିବାରେ ଓ ଉପଭୋଗ କରିବାରେ ସମାଲୋଚନା ଆମକୁ ସାହାଯ୍ୟ କରେ। ସ୍ରଷ୍ଟାମାନେ ମଧ୍ୟ ସମାଲୋଚନା ପଢ଼ି ନିଜ ଲେଖା ବିଷୟରେ ଅଧିକ ସଚେତନ ହୁଅନ୍ତି। ଯଦି ଏକ ଜ୍ଞାନଯୁଗରେ ଆମେ ପ୍ରବେଶ କରିବାକୁ ଚାହୁଛେ, ତେବେ ଓଡ଼ିଆ ଭାଷାରେ ସବୁ ବିଷୟର ପୁସ୍ତକ ପ୍ରକାଶ ପାଇବା ଆବଶ୍ୟକ। ଏବେ ଏହାର ପାଠକ ନଥିଲେ ବି ଭବିଷ୍ୟତରେ ପାଠକ ତିଆରି ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ‘ସମ୍ବାଦ ଭବନ’ ପରିସରରେ ସାହିତ୍ୟିକ ଜଗନ୍ନାଥ ଦାସଙ୍କ ପୁସ୍ତକ ‘ସମାଲୋଚନା ଓ ସାହିତ୍ୟ ତତ୍ତ୍ବ’ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ଯୁକ୍ତଦୁଇ ପାଠ୍ୟ ପୁସ୍ତକକୁ ଓଡ଼ିଆ କରିବା ଦ୍ବାରା ଓଡ଼ିଆ ଭାଷାକୁ ବଞ୍ଚାଇବା ଓ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷାର ଆଦର ବଢ଼ାଇବା ଦିଗରେ ଆମେ ସଫଳ ହେବା। ଏହିଭଳି ଭାବେ ପ୍ରତିଟି ବହି ଓଡ଼ିଆରେ ଅନୁବାଦ ହେଲେ ଆମ ଭାଷା ଓ ଏ ଜାତି ବହୁ ଉନ୍ନତି କରିପାରନ୍ତା ବୋଲି ଶ୍ରୀ ଦାସ କହିଥିଲେ। ଲେଖକ ଜଗନ୍ନାଥ ଦାସ ଉନ୍ମୋଚିତ ବହି ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଥିଲେ, ଓଡ଼ିଆ ସାହିତ୍ୟରେ ସମାଲୋଚନା ଦିଗଟି ବହୁତ ରୁଗ୍ଣ ଓ ଅନୁନ୍ନତ। ଏବେ ସାହିତ୍ୟରେ ସମାଲୋଚନା ଅଧିକରୁ ଅଧିକ ବଢ଼ିବାର ଆବଶ୍ୟକତା ରହିଥିବା ଭାବି ସେ ଏହି ପୁସ୍ତକ ରଚନା କରିଥିଲେ। ବହିଟିରେ ସାହିତ୍ୟର ଭିନ୍ନ ଭିନ୍ନ ଦିଗକୁ ନେଇ ୨୮ଟି ପ୍ରବନ୍ଧ ସ୍ଥାନ ପାଇଛି। ଏହା ଓଡ଼ିଆ ଭାଷା ଓ ସାହିତ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉପାଦେୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରମାଦେବୀ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସଂଘମିତ୍ରା ଭଞ୍ଜ ବହିର ସମୀକ୍ଷା କରିଥିଲେ।
‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ପ୍ରଫେସର ଯତୀନ୍ଦ୍ର ନାୟକ, ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ରତ୍ନଚିରା ପ୍ରକାଶନୀର ପ୍ରକାଶିକା ସ୍ନେହଲତା ପୃଷ୍ଟି, ଚିନ୍ମୟ ହେତା, ସରଳ ଦାସ, ତ୍ରିବୀଜ ହୋତା, ଅନୀତା ରଥ ଓ ଅଜିତ ଦାସ ପ୍ରମୁଖ ଯୋଗ ଦେଇ ଓଡ଼ିଆ ସାହିତ୍ୟରେ ସମାଲୋଚନାମୂଳକ ଲେଖାର ସ୍ଥିତି ଓ ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ଲେଖକ ଚିତ୍ତରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।