ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଅଳିଆଗଦା ସଂଲଗ୍ନ ପଥର ଖଣିରେ ଆଜି ଏକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି। ପ୍ରାୟ ଚାରି ଫୁଟ୍‌ ଲମ୍ବର ଏହି ଘଡ଼ିଆଳକୁ ଦେଖିବା ପରେ ସ୍ଥାନୀୟ ଯୁଝଗଡ଼ର ବାସିନ୍ଦାମାନେ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ଚନ୍ଦକା ଥାନା ଓ ବନ ବିଭାଗକୁ ଅବଗତ କରାଯାଇଥିଲେ ହେଁ କୁମ୍ଭୀରକୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ଭିତରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ପଥର ଖଣିକୁ କୁମ୍ଭୀରଟି କେଉଁଠୁ କିଭଳି ଆସିଲା, ତାହା ଜଣାପଡ଼ିନାହିଁ। ନିକଟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ କୌଣସିମ‌ତେ ଏହି ଘଡ଼ିଆଳ ଚାଲିଆସିଥିବା ଅନୁମାନ କରାଯାଉଛି।

Advertisment

ଦାରୁଠେଙ୍ଗ ଓ ଯୁଝଗଡ଼ ଗ୍ରାମବାସୀଙ୍କ ଜୋର୍‌ଦାର ବିରୋଧ କାରଣରୁ ବିଏମ୍‌ସି ଅଳିଆଗଦାରେ ଆଉ ଆବର୍ଜନା ପଡ଼ୁନାହିଁ। ତେଣୁ ଏବେ ଉକ୍ତ ଅଞ୍ଚଳର ଗଭୀର ପଥର ଖଣି ନିକଟରେ ଭିଡିଓ ଟ ରିଲ୍‌ସ କରିବାକୁ ଭିଡ଼ ଲାଗୁଛି। ଆଜି କିଛି ଯୁବକ ଏଠାରେ ଭିଡିଓ କରିବାକୁ ଯାଇଥିଲେ। ସେତେବେଳେ କୁମ୍ଭୀରଟି ପାଣିରୁ ବାହାରି ପଥର ଖଣି କୂଳରେ ଖରାରେ ଶୋଇଥିଲା। ହଠାତ୍ କୁମ୍ଭୀରକୁ ଦେଖି ଛାନିଆରେ ଯୁବକମାନେ ପଛକୁ ଧାଇଁଥିଲେ। ଘଟଣା ଜଣାପଡ଼ିବା ପରେ କିଛି ସ୍ଥାନୀୟ ଯୁବକ ସାହସ କରି ସେଠାକୁ ଯାଇ ଘଡ଼ିଆଳର ଭିଡିଓ କରିଥିଲେ। ଭିଡିଓ ଭାଇରାଲ୍‌ ହେବା ପରେପରେ ଆଖପାଖ ଅଞ୍ଚଳରେ ଲୋକେ କୁମ୍ଭୀର ଦେଖିବାକୁ ଛୁଟିଥିଲେ। ଗହଳି ବଢ଼ିବାରୁ କୁମ୍ଭୀରଟି ପୁଣି ପାଣି ଭିତରକୁ ଚାଲିଯାଇଥିଲା।