ବାଲିଅନ୍ତା: ଶନିବାର ମଞ୍ଚେଶ୍ବର ବାଲିଯାତ୍ର ପଡ଼ିଆ ନିକଟ କୁଆଖାଇ ନଦୀରେ କୁମ୍ଭୀର ଦେଖା ଦେଇଥିବା ବେଳେ ଆଜି ବାଲିଅନ୍ତା ବ୍ଲକ ଅଧୀନ ଟଙ୍କପାଣି ବ୍ରିଜ ନିକଟସ୍ଥ କୁଆଖାଇ ନଦୀଗଣ୍ଡରେ ଏକ କୁମ୍ଭୀର ଦେଖାଦେଇଛି। କୁମ୍ଭୀରଟି ଉଦ୍ଧାର ହୋଇପାରିନାହିଁ। କିନ୍ତୁ ଏହା ଥଣ୍ଟିଆ ପ୍ରଜାତିର ବୋଲି ସ୍ପଷ୍ଟ ହୋଇଛି। ସକାଳେ ପ୍ରାତଃ ଭ୍ରମଣ କରୁଥିବା କିଛି ସ୍ଥାନୀୟ ଯୁବକ ବ୍ରିଜ ଉପରୁ କୁମ୍ଭୀରକୁ ଦେଖି ମୋବାଇଲରେ ରେକର୍ଡିଂ କରି ଭାଇରାଲ କରି ଦେଇଥିଲେ। ଏହାପରେ କୁମ୍ଭୀର ଦେଖିବା ପାଇଁ ବ୍ରିଜ ଉପରେ ବହୁ ଲୋକଙ୍କର ଭିଡ଼ ଜମିଥିଲା। କିଛିଦିନ ହେବ ଉପକଣ୍ଠ ଅଞ୍ଚଳରେ କୁଆଖାଇରେ କୁମ୍ଭୀର ଦେଖାଦେଇଥିବା ବେଳେ ବନ ବିଭାଗ କୁମ୍ଭୀରକୁ ଏଯାଏ କାବୁ କରିବାରେ ସକ୍ଷମ ହୋଇପାରିନଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସକାଳୁ ସକାଳୁ ଖବର ପ୍ରଚାରିତ ହେବା ପରେ ଭୟରେ ଲୋକେ ସ୍ନାନ ଶୌଚ ହେବାକୁ ଆଉ ନଦୀକୁ ପଶିନଥିଲେ। 

Advertisment

ସେହିପରି ମାଛ ଧରାଳୀମାନେ ଆଉ ନଈରେ ବନଶୀ କିମ୍ବା ଜାଲ ପକାଇନଥିଲେ। ଅନ୍ୟପକ୍ଷରେ ବିଭିନ୍ନ ଦୁର୍ଗାପୂଜା କମିଟିର ସଦସ୍ୟ କଳସ ଶୋଭାଯାତ୍ରା ଘଟ ଅନୁକୂଳ କେଉଁଠି ହେବ ସେନେଇ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ଏସଂପର୍କରେ ବାଲିପାଟଣା ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ହେଲେ ବାଲିପାଟଣା ବନ କର୍ମଚାରୀ କୁମ୍ଭୀରର ଗିତିବିଧି ଉପରେ ନଜର ରଖିବା ତ ଦୂରର କଥା ଘଟଣାସ୍ଥଳରେ ନପହଞ୍ଚିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ଅଧିକ ସୂଚନା ପାଇଁ ବାଲିପାଟଣା ରେଞ୍ଜ ଅଧିକାରୀ ରେସମା ପରିଡ଼ାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନଥିଲା। 

ଅପରପକ୍ଷରେ ମଞ୍ଚେଶ୍ବର ବନାଞ୍ଚଳ ଅଧିକାରୀ ସତ୍ୟାନନ୍ଦ ପାଲଙ୍କୁ ପଚାରିବାରେ ସେ କହିଥିଲେ, ଗତକାଲି ମଞ୍ଚେଶ୍ବର ଗାଁ ନିକଟସ୍ଥ କୁଆଖାଇରେ ଏକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଥିଲା। ଦିନ ଓ ରାତି ତମାମ ବନ କର୍ମଚାରୀ ଜଗି ରହି ଲୋକଙ୍କୁ ସଚେତନ କରିଥିଲେ। ନଈରେ ସ୍ନାନ ଶୌଚ ପାଇଁ ଲୋକଙ୍କୁ ବାରଣ କରାଯାଇଥିଲା। ହେଲେ ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରେ ଯେଉଁ କୁମ୍ଭୀର ନେଇ ଚର୍ଚ୍ଚା ହେଉଛି ସେଇଟି ସମ୍ଭବତଃ ସେଠାକୁ ପଳାଇଥିବା କହିଛନ୍ତି। ହେଲେ ଟଙ୍କପାଣି ବ୍ରିଜ କୁଆଖାଇ ତାଙ୍କର ସୀମା ଅନ୍ତର୍ଭୁକ୍ତ ଅଞ୍ଚଳ ହୋଇନଥିବାରୁ ଅଧିକ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ତାଙ୍କର ସୂଚନା ଅନୁସାରେ ଏହି ପ୍ରଜାତିର କୁମ୍ଭୀରମାନଙ୍କର ମାଛ ଭଳି ଜଳଜୀବ ମୁଖ୍ୟ ଖାଦ୍ୟ। ଖାଦ୍ୟ ଅନ୍ବେଷଣ କରି ଏହା ମହାନଦୀରୁ ପଳାଇ ଆସିଥିବା କୁହାଯାଉଛି। କିଛିଦିନ ହେଲା ଏକ କୁମ୍ଭୀର ମହାନଦୀ ମୁଣ୍ଡଳୀ, ନରାଜ ବ୍ୟାରେଜ ତଳ, କାଠଯୋଡ଼ିର କୁହ୍ନେଇପଡ଼ା ଓ ଗତକାଲି ବାଲିଯାତ୍ରା ପଡ଼ିଆ ନିକଟସ୍ଥ କୁଆଖାଇରେ ଦେଖାଦେଇଥିବା ନେଇ ଖବର ପ୍ରକାଶ ପାଇଛି। ଆଜି ସକାଳେ ବାଲିଅନ୍ତା କୁଆଖାଇ ଟଙ୍କପାଣି ବ୍ରିଜ ନିକଟରେ କୁମ୍ଭୀର ଦେଖାଯିବା ନେଇ ଆତଙ୍କ ଖେଳିଯାଇଛି। ଏଦିଗରେ ଜିଲ୍ଲା‌ ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।