କୁଆଖାଇରେ କୁମ୍ଭୀର ଆତଙ୍କ

ବାଲିପାଟଣା ବନ କର୍ମଚାରୀଙ୍କ ଡେରା, ୨୪ ଘଣ୍ଟା ପରେ ବି କୁମ୍ଭୀରର ଦେଖା ନାହିଁ

ବାଲିଅନ୍ତା : ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ କୁଆଖାଇ ନଦୀର ହରିଦାସପୁର ବନ୍ଧସାହି ନିକଟ‌ରେ କୁମ୍ଭୀର ଦେଖାଯିବା ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖା ଯାଇଛି। ଘଟଣାକୁ ୨୪ ଘଣ୍ଟାରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ବନ କର୍ମଚାରୀମାନେ ଏ ପର୍ଯ୍ୟନ୍ତ କୁମ୍ଭୀରଟିକୁ ଠାବ କରିପାରିନାହାନ୍ତି। ତେବେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଗତକାଲି ଅପରାହ୍‌ଣରୁ ଆଜି ଭୋର୍‌ ପର୍ଯ୍ୟନ୍ତ ମାଇକ୍‌ ଯୋଗେ ପ୍ରଚାର କରି ଲୋକଙ୍କୁ କୁଆଖାଇରେ ସ୍ନାନ, ଶୌଚ କରିବା ପାଇଁ ବାରଣ କରାଯାଇଥିଲା। ଏହାସହ ଗୃହପାଳିତ ପଶୁମାନଙ୍କୁ ନଦୀଠାରୁ ବହୁ ଦୂରରେ ଚରାଇବା ପାଇଁ କୁହାଯାଇଥିଲା।

ଅପରପକ୍ଷେ କୁମ୍ଭୀରକୁ ଠାବ କରିବା ପାଇଁ ଆଜି ଦିନତମାମ ଉକ୍ତ ଫରେଷ୍ଟ ରେଞ୍ଜ ତରଫରୁ ଫରେଷ୍ଟ ଗାର୍ଡ ବିଶ୍ବନାରାୟଣ ମିଶ୍ର, ସ୍କ୍ବାଡ୍‌ କର୍ମଚାରୀ ବିଜୟ କୁମାର ମହାନ୍ତି, ସମ୍ବିତ ସୁବୁଦ୍ଧି ଓ କାର୍ତ୍ତିକ ଭୋଇ ପ୍ରମୁଖ ହରିଦାଶପୁରଠାରୁ ବଙ୍ଗୁଆରୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ନଦୀକୂଳରେ ଡେରା ପକାଇଥିଲେ। ହେଲେ ସଂଧ୍ୟା ପର୍ଯ୍ୟନ୍ତ କୁମ୍ଭୀରର ଦେଖା ମିଳିନଥିବା ବାଲିପାଟଣା ରେଞ୍ଜର୍‌ ଜୟକୃଷ୍ଣ ଯଦୁମଣି ଦାସ ସୂଚନା ଦେଇଛନ୍ତି। ରେଞ୍ଜର ଶ୍ରୀ ଦାସଙ୍କ କହିବା ମୁତାବକ, ରବୀନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତି ଶୌଚ ହେବାକୁ ଯାଉଥିବା ସମୟରେ କୁମ୍ଭୀରଟିକୁ ଦେଖିବାକୁ ପାଇଥିବା କହିଥିଲେ। ସେ ଚିତ୍କାର କରି ଗ୍ରାମର ଅନ୍ୟମାନଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର