ମେଣ୍ଢାଶାଳ ପୋଖରୀରୁ ଧରା ହେଲା କୁମ୍ଭୀର

ଖଣ୍ଡଗିରି/ମେଣ୍ଢାଶାଳ: ଗୁଜବ ନୁହେଁ, ସତ ହେଲା ଲୋକଙ୍କ କଥା। ମେଣ୍ଢାଶାଳ ହ୍ରଦ ପୋଖରୀରେ ପଶିଥିବା କୁମ୍ଭୀର ଶେଷରେ ଧରାହେଲା। ତେବେ ତାହା ଘଡ଼ିଆଳ ନୁହେଁ ଗୋମୁହାଁ କୁମ୍ଭୀର ବୋଲି ଜଣାପଡ଼ିଛି। ୪ ଘଣ୍ଟା କାଳ ପୋଖରୀରେ ଜାଲ ପକାଇ ବନ ବିଭାଗ ତାକୁ ସୁରକ୍ଷିତଭାବେ ଉଦ୍ଧାର କରିବାରେ ସଫଳ ହୋଇଛି। ଚନ୍ଦକା ବନ ବିଭାଗର ମିସନ୍‌ ମଗର ଫଳପ୍ରଦ ହେବା ପରେ ମେଣ୍ଢାଶାଳରେ ମଗରକୁ ନେଇ ଖେଳି ଯାଇଥିବା ଆତଙ୍କର ଅନ୍ତ ଘଟିଛି। ଧରା ପଡ଼ିଥିବା ଏହି ମଗର(ଗୋମୁହାଁ କୁମ୍ଭୀର)କୁ ଚନ୍ଦକା ଅଭୟାରଣ୍ୟର ଅମ୍ବିଲ ପୋଖରୀରେ ଛଡ଼ାଯାଇଛି।

ପ୍ରାୟ ୬/୭ ବର୍ଷ ବୟସର ଏହି ଅଣ୍ଡିରା କୁମ୍ଭୀରଟି ଡେରାସ ଜଳଭଣ୍ଡାରରୁ ଖସି ଆସି ଗତ ପ୍ରାୟ ୩ ସପ୍ତାହ ହେଲା ଏହି ପୋଖରୀରେ ରହି ଯାଇଥିଲା। କୁମ୍ଭୀରକୁ ନେଇ ମେଣ୍ଢାଶାଳରେ ଅସନ୍ତୋଷ ବଢ଼ିବାରୁ ଶେଷରେ ବନ ବିଭାଗ ପୋଖରୀରେ ଜାଲ ପକାଇ କୁମ୍ଭୀର ଥିବା ନଥିବା ବାବଦରେ ସତ ମିଛ ଜାଣିବା ଓ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ନିଷ୍ପତ୍ତି ନେଇଥିଲା। ତେଣୁ ବାଙ୍କୀ ଗୋପାଳପୁର ଅଞ୍ଚଳରୁ ଜାଲୁଆଙ୍କୁ ଅଣା ଯାଇଥିଲା। କାରଣ ମହାନଦୀର କୁମ୍ଭୀରଙ୍କୁ ଆୟତ୍ତ କରିବା କୌଶଳ ସେମାନଙ୍କୁ ଜଣା। ୧୦ ଜଣ ଜାଲୁଆ ଜାଲ ନେଇ ପହଞ୍ଚିଥିଲେ। ୧୧ଟାରୁ ଆରମ୍ଭ ହେଲା ମିସନ୍‌ ମଗର। କିନ୍ତୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କିଛି ମିଳିନଥିଲା। ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ କୁମ୍ଭୀର ଦେଖିବା ପାଇଁ ଭିଡ଼ ଜମାଇଥିଲେ। ମାତ୍ର ସମୟ ଗଡ଼ି ଚାଲିବା ସହ କୁମ୍ଭୀର ଦେଖା ନମିଳିବାରୁ ଲୋକେ ଏହାକୁ ଏକ ଗୁଜବ ବୋଲି କହିବା ଆରମ୍ଭ କଲେ। ତେବେ ପ୍ରାୟ ୩ଟାବେଳକୁ ଜାଲୁଆମାନେ ପୋଖରୀର ଶେଷମୁଣ୍ଡ ଅର୍ଥାତ୍‌ ଡେରାସ ଜଳଭଣ୍ଡାରରୁ ଆସିଥିବା ନାଳ ଆଡ଼କୁ ଏକ ଅଣଓସାରିଆ ଅଂଶରେ ଜାଲ ଚଲାଉଥିବାବେଳେ କୁମ୍ଭୀର ଦେଖାଗଲା। ସେ ଆଉ ଜାଲ ଡେଇଁ ବାହାରକୁ ଯାଇ ପାରିଲା ନାହିଁ। ଜାଲୁଆମାନେ ଜାଲରେ ଛନ୍ଦି ତାକୁ ମାଡ଼ି ବସିଲେ। ତେବେ ତାକୁ ବାନ୍ଧିବା ବେଳେ ମଗରଟି ଲାଞ୍ଜ ବୁଲାଇ ଦେବାରୁ ଜଣେ ଜାଲୁଆ ସାମାନ୍ୟ ଆହତ ହୋଇଥିଲେ।
୫ ଫୁଟ୍‌ ଲମ୍ବର ଏହି ଅଣ୍ଡିରା କୁମ୍ଭୀରଟିର ଓଜନ ପାଖାପାଖି ୫୦ କିଲୋଗ୍ରାମ ହେବ ବୋଲି ଆକଳନ କରାଯାଇଛି। ତାକୁ ସୁରକ୍ଷିତ ଭାବେ ଜଙ୍ଗଲ ଭିତରେ ଥିବା ଅମ୍ବିଲ ଓ୍ଵାଚ୍‌ ଟାଓ୍ଵାର ପୋଖରୀରେ ଛାଡ଼ି ଦିଆଗଲା। ରେଂଜର ଚିତ୍ତରଂଜନ ଖୁଣ୍ଟିଆଙ୍କ ସୂଚନାନୁସାରେ ଅମ୍ବିଲ ପୋଖରୀରେ ପ୍ରଚୁର ମାଛ ଅଛନ୍ତି। ତେଣୁ ସେଠାରେ ଖାଦ୍ୟାଭାବ ହେବ ନାହିଁ। ପୂର୍ବରୁ ଅମ୍ବିଲ ଜଳଭଣ୍ଡାରରେ ବି ଗୋଟିଏ କୁମ୍ଭୀର ରହିଛି। ଡେରାସରୁ ପାଣି ଯିବା ପାଇଁ କେନାଲ ଥିବାରୁ କୁମ୍ଭୀରଟି ମେଣ୍ଢାଶାଳକୁ ଚାଲି ଯାଇଥିଲା। କିନ୍ତୁ ଅମ୍ବିଲରୁ ବାହାରିବା ବାଟ ବନ୍ଦ। ତେଣୁ କୁମ୍ଭୀରଟି ଏଣିକି ଆଉ ଜନବସତିକୁ ଯିବା ସମ୍ଭବ ହେବନି।

ଉଲ୍ଲେଖଯୋଗ୍ୟ ଯେ ଗତ ୩୧ ତାରିଖରେ ମେଣ୍ଢାଶାଳର କିଛି ଲୋକ ଏହି କୁମ୍ଭୀରକୁ ହ୍ରଦ ପୋଖରୀରେ ଦେଖିବାକୁ ପାଇଥିଲେ। ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। କାରଣ ଏହି ପୋଖରୀ ଉପରେ ବହୁ ଗ୍ରାମବାସୀ ନିର୍ଭର କରନ୍ତି। ଖବର ପାଇ ବନ ବିଭାଗର ଏକ ଟିମ୍‌ ଘଟଣା ଦିନ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଦଳ ଭର୍ତି ଏହି ବିଶାଳ ପୋଖରୀରେ କୁମ୍ଭୀରକୁ ଠାବ କରି ପାରିନଥିଲେ। ସେହିଦିନଠାରୁ ଗ୍ରାମବାସୀମାନେ ପୋଖରୀକୁ ବ୍ୟବହାର କରିବା ବନ୍ଦ କରି ଦେଇଥିଲେ। ପୋଖରୀ ନିଲାମ ନେଇ ମାଛ ଚାଷ କରିଥିବା ଲୋକମାନେ ଚିନ୍ତାରେ ପଡ଼ିଗଲେ। କୁମ୍ଭୀର ଅାଁରେ ସେମାନଙ୍କ ଲକ୍ଷ ଲକ୍ଷ ଟଙ୍କା ଗଲା ବୋଲି ନିଲାମଧାରୀ ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ। ପୁଣି କୁମ୍ଭୀର ଡରରେ ଲୋକେ ସେହି ବାଟ ଦେଇ ଯାତାୟତ ମଧ୍ୟ କଲେ ନାହିଁ। କେବଳ ସେତିକି ନୁହେଁ, ଗତ କାର୍ତିକ ପୂର୍ଣ୍ଣମୀରେ ବି ଲୋକେ ଭୟରେ ଏହି ପୋଖରୀକୁ ଡଙ୍ଗା ଭସାଇବାକୁ ଯାଇ ନ ଥିଲେ।

ସମ୍ବନ୍ଧିତ ଖବର