ଧରାପଡ଼ିଲା ୧୨ ଫୁଟିଆ ଘଡ଼ିଆଳ, ଚିକିତ୍ସା ପରେ ମହାନଦୀରେ ଛଡ଼ାଗଲା

କଟକ/ତ୍ରିଶୁଳିଆ : ଦେହରେ ଜାଲ ଗୁଡ଼ାଇ ହୋଇଯିବାରୁ ମହାନଦୀରେ ବିବ୍ରତ ଅବସ୍ଥାରେ ବାଟବଣା ହୋଇ ଘୂରି ବୁଲୁଥିବା ୧୨ ଫୁଟିଆ ଘଡ଼ିଆଳ ଶେଷରେ ଧରାପଡ଼ିଲା। ତେବେ ତା’ ଦେହରୁ ଜାଲ କାଢ଼ିବା ପରେ ପ୍ରାଥମିକ ଚିକିତ୍ସା କରି ପୁଣି ନଦୀକୁ ଛାଡି ଦିଆଯାଇଛି। ଏହି ପ୍ରଜାତିର କୁମ୍ଭୀର‌ ମଣିଷ ପାଇଁ ବିପଜ୍ଜନକ ହୋଇନଥିବାରୁ ତାକୁ ଛାଡ଼ି ଦିଆଯାଇଛି ବୋଲି ବନ ବିଭାଗ କହିଛି।

ଏହି ‘ଏନ୍‌କେଏମ୍‌-୧୮୫’ ଘଡ଼ିଆଳକୁ ସାତକୋଶିଆର ଟିକରପଡ଼ାରେ ଛଡ଼ାଯାଇଥିଲା। ତା’ ଦେହରେ ଟ୍ରାକିଙ୍ଗ୍‌ ଡିଭାଇସ୍ ବି ଲାଗିଥିଲା। ତେଣୁ ନଦୀରେ ତା’ ସ୍ଥିତି ସଂପର୍କରେ ବନ ବିଭାଗ ଅବଗତ ହୋଇପାରୁଥିଲା। କିନ୍ତୁ ପାଟିରେ ଜାଲ ଲାଗି ଯିବାରୁ ସେ ବାଟବଣା ହୋଇ ତଳମୁଣ୍ଡ ଆଡକୁ ଚାଲି ଆସିଥିଲା। ତାକୁ ପ୍ରଥମେ କଖଡ଼ି ନିକଟ ମାହାଳପଡ଼ା ନଦୀଘାଟରେ, ପରେ ଧବଳେଶ୍ବର ଘାଟ ଓ ଶେଷରେ ମଧୁ ସେତୁ ଅଞ୍ଚଳରେ ଠାବ କରାଯାଇଥିଲା। ତାକୁ ଧରିବା ପାଇଁ ନରସିଂହପୁର ଏକଡ଼ାଳ ଅଞ୍ଚଳର ଅଭିଜ୍ଞ ଧୀବର ସତ୍ୟବାଦୀ ଦେହୁରୀ, ବିନୋଦ ଦେହୁରୀ, ମହେଶ୍ବର ଦେହୁରୀ, ନାରାୟଣ ମହାଳିକ, ବିଦେଶୀ ମଲ୍ଲିକଙ୍କୁ ବନ ବିଭାଗ ଆଣିଥିଲା। ସେମାନେ ପୂର୍ବରୁ ଡିସେମ୍ବର ୨୩ରେ ନରସିଂହପୁର ପଦାମାଳ ନିକଟରେ ଏକ କୁମ୍ଭୀରକୁ ଉଦ୍ଧାର କରିଥିଲେ। ଆଜି ବି କୁମ୍ଭୀରକୁ କାବୁ କରି ନେଇଥିଲେ। ତାକୁ ଉଦ୍ଧାର କରାଯିବା ପରେ ଦେହରେ ଗୁଡ଼ାଇ ହୋଇ ରହିଥିବା ଜାଲକୁ କଟା ଯାଇଥିଲା ଏବଂ ଆନୁସଙ୍ଗିକ ଚିକିତ୍ସା କରି ତାକୁ ପୁଣି ମହାନଦୀରେ ଛାଡି ଦିଆଯାଇଥିଲା।

ଏହି କୁମ୍ଭୀରକୁ ଧରିବା ପାଇଁ ତିନିଟି ମାଛଧରା ଡଙ୍ଗା, ତିନିଟି ବଡ଼ ଜାଲ, ନରସିଂହପୁରରୁ ଆସିଥିବା ଧୀବର ଓ ବନ ବିଭାଗ ଟିମ ଦିନ ୧୧ଟାରୁ ଲାଗି ଥିବା ବେଳେ ଦିନ ପ୍ରାୟ ସାଢ଼େ ୩ଟାରେ କୁମ୍ଭୀର ଜାଲରେ ପଡ଼ିଥିଲା। ପ୍ରଫେସର ସୁଦର୍ଶନ ମହାରଣାଙ୍କ ନେତୃତ୍ୱରେ ଚାଲିଥିବା ଏହି କୁମ୍ଭୀର ଧରା ଅପରେସନ୍‌ରେ ନନ୍ଦନକାନନର ଡାକ୍ତର ରାଜେଶ କୁମାର ମହାପାତ୍ର, ଆଠଗଡ଼ ଏସ୍‌ସିଏଫ୍‌ ଘନଶ୍ୟାମ ମୁଦୁଲି, ଖୁଣ୍ଟୁଣୀ ରେଞ୍ଜର ଗଜେନ୍ଦ୍ର ପାଲ ସିଂ ମାଥୁର, ନରସିଂହପୁର ଇଷ୍ଟ ରେଞ୍ଜର ବିଭୁରଞ୍ଜନ ରାୟ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର