ବାଲିଅନ୍ତା : ଯେଉଁ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳ ରାଜଧାନୀକୁ ସଦ୍ୟ ପରିବା ଯୋଗାଉଥିଲା, ଆଜି ସେଠି ପରିବାର ଦର ଆକାଶ ଛୁଆଁ ହୋ‌ଇଛି। କୁଆଖାଇ, କୁଶଭଦ୍ରା ଏବଂ ଭାର୍ଗବୀ ନଦୀ ବନ୍ୟାରେ ବ୍ୟାପକ ପରିବା ଫସଲ ଜମି ପଚିସଢ଼ି ନଷ୍ଟ ହୋଇଯାଇଥିବାରୁ ଏବେ ବିଲରେ ପରିବା କଷିଟିଏ ଦେଖିବାକୁ ମିଳୁନି। ତେଣୁ ଯେଉଁ ଅଞ୍ଚଳ ପରିବା ଯୋଗାଉଥିଲା, ଆଜି ସେହି ଅଞ୍ଚଳ ବାହାର ପରିବା ଉପରେ ନିର୍ଭର କରୁଛି। ଏବେ ସ୍ଥାନୀୟ ବଜାରରେ ବିନ୍‌ସ କିଲୋ ୧୨୦ ଟଙ୍କା ଓ ପୋଟଳ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କାଙ୍କଡ଼ କିଲୋ ୭୦ ଟଙ୍କା, କଲରା ୬୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, ବାଇଗଣ ୬୦ ଟଙ୍କା, ବିଲାତି ବାଇଗଣ ୭୦ ଟଙ୍କା, ଝୁଡ଼ଙ୍ଗ ୬୦ ଟଙ୍କା ଏବଂ କଞ୍ଚା ଲଙ୍କା ୧୦୦ ଗ୍ରାମକୁ ୨୦ ଟଙ୍କାରେ ବିକ୍ରି ହେଉଛି। ତେବେ କଞ୍ଚା ଲଙ୍କା କିଲୋ ୨ ଶହ ଟଙ୍କା‌ ଟପିଥିବା ଘଟଣା ସ୍ଥାନୀୟ ଚାଷୀଙ୍କୁ ଚକିତ କରିଛି।

Advertisment

publive-imageଧୀରେ ଧୀରେ ବନ୍ୟା ପାଣି ଛାଡ଼ୁଥିଲେ ହେଁ ନଦୀପଠା ଏବଂ ବିଲବାଡ଼ି ବୁଡ଼ି ରହିବା ଦ୍ବାରା ଏକର ଏକର ପନିପରିବା ଜମିର ଫସଲ ଉଜୁଡ଼ି ଯାଇଛି। ସ୍ଥାନୀୟ ବ୍ୟବସାୟୀମାନେ ବାହାରୁ ପନିପରିବା ଆଣି ବେଶ୍‌ ଅଧିକ ଦରରେ ବିକି ମୁନାଫା ଉଠାଉଥିବା ଜଣାପଡ଼ିଛି। ଫଳରେ ଏବେ ଗରିବ ଲୋକମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। କରୋନା ରୋଜଗାର ଛଡ଼ାଇ ନେଇଛି। ସାଙ୍ଗକୁ ବନ୍ୟା ବି ସ୍ଥାନୀୟ ଅଞ୍ଚଳର କୃଷି ଶ୍ରମିକଙ୍କ ରୋଜଗାର ବାଟ ବନ୍ଦ କରିଛି। ଫଳରେ ଲୋକଙ୍କ ପାଖରେ ପଇସା ନଥିବାବେଳେ ପରିବା ଦର ବୃଦ୍ଧି ବେଡ଼ି ଉପରେ ‌କୋରଡ଼ା ସଦୃଶ ହୋଇଛି। ନଦୀପଠାର ଚାଷୀମାନଙ୍କ କହିବା କଥା ପୋଟଳ, ବାଇଗଣ, ଝୁଡ଼ଙ୍ଗ, କଲରା, ଭେଣ୍ଡି, କଖାରୁ , ଜହ୍ନି, କାକୁଡ଼ି, ବିନ୍‌ସ ଆଦି ପନିପରିବା ଫସଲ ଉପରେ ପଟୁ ମାଡ଼ିଯାଇଛି। ଫଳରେ ବହୁ ଗଛ ନଷ୍ଟ ହୋଇଯାଇଥିବାବେଳେ ବାକି ଗଛରେ ଫୁଲ ଧରିବା ରାସ୍ତା ବନ୍ଦ ହୋଇଯାଇଛି। ତେଣୁ କିଛି ଚାଷୀ ଥୁଣ୍ଟା ଭେଣ୍ଡି ଗଛରୁ ପଟୁ ଛଡ଼ାଇବା ପାଇଁ ହାତରେ ପାଣି ମାଡ଼ କରୁଥିବା ଦେଖାଯୋଇଛି। ପରିବା ଚାଷରେ ବ୍ୟୟ ହୋଇଥିବା ପଇସା ଓ ମାସ ମାସ ପରିଶ୍ରମ ବନ୍ୟାରେ ଧୋଇ ଯାଇଛି। ଗଛ ଫୁଲଫଳମୁହାଁ ହୋଇଥିବା ସମୟରେ ଚାଷୀ ଦି’ପଇସା ରୋଜଗାର କଲାବେଳକୁ ବନ୍ୟା ଦାଉ ସାଧିଛି। ଫଳରେ ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି।