ଭୁବନେଶ୍ବର: ରେରାଙ୍କ ଝଟ୍‌କା ପରେ ବିବାଦରେ ରହିଥିବା ବିଡିଏର ‘ଦୟା ଏନ୍‌କ୍ଲେଭ୍‌’ (ଗୃହ ନିର୍ମାଣ ପ୍ରକଳ୍ପ) ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପ୍ରକଳ୍ପରେ ‌ହୋଇଥିବା ଖର୍ଚ୍ଚରୁ କୋଟି କୋଟି ଟଙ୍କା ହରିଲୁଟ୍‌ ହୋଇଛି। ଛାତ ଉପରେ ଲାଗିଥିବା ସୋଲାର ପ୍ୟାନେଲ୍‌ କାମ କରୁନି। ସିସିଟିଭି ଚାଲୁନି। ବାହାର କାନ୍ଥ ଫାଟି ଆଁ କରିଥିବାରୁ ବର୍ଷା ପାଣି ପଶି ଆସୁଛି। ଦୁର୍ବଳ ଡ୍ରେନେଜ୍‌ ସିଷ୍ଟମ୍‌ ଯୋଗୁ ରୋଷେଇ ଘର ବେସିନ୍‌ରୁ ପାଣି ଯାଉନି। ପାର୍କିଂ ଅଞ୍ଚଳ ଏତେ ଛୋଟ ଯେ, ଗାଡ଼ି ରହିଗଲେ ଲୋକ ଆସିବାକୁ ବାଟ ମିଳୁନି। ଦୟା ଏନ୍‌‌କ୍ଲେଭ୍‌କୁ ନେଇ ଏମିତି ଗଦା ଗଦା ଅଭିଯୋଗ ବିଡିଏରେ ପହଞ୍ଚିଛି। ବାସ୍ତବରେ ଏଥିରେ ପିସି ଆକାରରେ କୋଟି କୋଟି ଟଙ୍କା ହରିଲୁଟ୍‌ କରି ନିଆଯାଇଥିବାରୁ ଏଭଳି ପରିସ୍ଥିତି ହୋଇଥିବା କୁହାଯାଉଛି। 

Advertisment

କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ବରଂ ବିଡିଏର ଏକାଧିକ ପ୍ରକଳ୍ପ ପ୍ରସ୍ତୁତ ଥିଲେ ମଧ୍ୟ ଆବଣ୍ଟନ ହୋଇ ପାରୁ ନାହିଁ। ଏକାଧିକ ପ୍ରକଳ୍ପରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇ ପାରୁ ନଥିବାରୁ ଆବଣ୍ଟନ ହୋଇ ପାରୁନି। କୋଟି କୋଟି ଟଙ୍କାର ପ୍ରକଳ୍ପ ଭୂତ ଖାଉଛି। କଳିଙ୍ଗନଗର କେ-୪ ସୁବୁଦ୍ଧିପୁରରେ ନିର୍ମିତ ୪୦୦ କୋଟିର ଗୃହ ନିର୍ମାଣ ପ୍ରକଳ୍ପ ଏହାର ବଡ଼ ଉଦାହରଣ। ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ନଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁ ନାହିଁ। କେ-୯ରେ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆବାସିକ ତଥା ବାଣିଜ୍ୟିକ ପ୍ରକଳ୍ପ ମଧ୍ୟ ସମାନ ଅବସ୍ଥା। ଚକାଚକ୍‌ ଘର ହୋଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ନଥିବାରୁ ଏହା ମଧ୍ୟ ଖତ ଖାଇବାକୁ ବସିଛି। 

ଭଗବାନପୁର ମୌଜାର କେ-୯ବିରେ ୨୦୨୨ ମସିହାରେ ବିଡିଏ ଦୟା ଏନ୍‌କ୍ଲେଭ୍‌ ପ୍ରସ୍ତୁତ କରିଥିଲା। ଏଥିରେ ଥିବା ୪ଟି ବ୍ଲକ୍‌ରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ରେରା ନିୟମକୁ ପାଳନ କରିନାହିଁ ବୋଲି ବିମଳେନ୍ଦୁ ପ୍ରଧାନ ରେରାର ଦ୍ବାରସ୍ଥ ହୋଇଥିଲେ। ପୂର୍ବରୁ ତିନିଥର ବିଡିଏ ସର୍ତ୍ତାବଳୀରେ ସଂଶୋଧନ ମଧ୍ୟ କରିଥିଲା। ଏହା ସତ୍ତ୍ୱେ ରେରା ଧାର୍ଯ୍ୟ କରିଥିବା ‘ଏଗ୍ରିମେଣ୍ଟ ଫର ସେଲ ଫର୍ମାଟ’ କୁ ବିଡିଏ ଆପଣେଇ ନଥିବାରୁ ଶ୍ରୀ ପ୍ରଧାନ ଆଉ ଥରେ ରେରାର ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ପ୍ରଧାନଙ୍କ ଆବେଦନ ଆଧାରରେ ଏହି ନୋଟିସ୍‌ ହେବା ସହ ବିକ୍ରି ଉପରେ ରହିତାଦେଶ ଜାରି ହୋଇଥିଲା। ବହୁ କଷ୍ଟରେ ବିଡିଏ ଏହି ରେରାଙ୍କ ଛାଟରୁ ମୁକୁଳିଥିଲା। କିନ୍ତୁ ଏଥିରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଲୁଚି ରହିପାରିନଥିଲା। କ୍ରେତାମାନେ ଘର କିଣି ରହିବା ପରେ ଯାବତୀୟ ସମସ୍ୟା ଛିଡ଼ା ହୋଇଥିଲା। ଏ ନେଇ ଆଲଟିମାନେ ବିଡିଏର ଦ୍ବାରସ୍ଥ ହୋଇଥିଲେ। 

ସେମାନଙ୍କ ଅଭିଯୋଗ ମୁତାବକ, ଏଥିରେ ଡ୍ରେନେଜ୍‌ ସିଷ୍ଟମ୍‌ରେ ସମସ୍ୟା ଥିବାରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ। ଫଳରେ ଗାଧୁଆଘରେ ଓ ରୋଷେଇ ଘର ବେସିନ୍‌ରେ ପାଣି ଜମି ରହୁଛି। ସାଧାରଣ ଅଞ୍ଚଳକୁ ଆଲୋକିତ କରିବାକୁ ଛାତ ଉପରେ ଯେଉଁ ସୋଲାର ପ୍ୟାନେଲ୍‌ ସ୍ଥାପନା କରାଯାଇଛି ତାହା କାମ କରୁନାହିଁ। ଲାଇନ୍‌ କଟିବା ପରେ ଆପେ ଆପେ ଡିଜି ସେଟ୍‌ ଚାଲିବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହା ସଠିକ୍‌ ହୋଇ ନାହିଁ। ସେହିଭଳି ପାର୍କିଂ ଜାଗା କମ୍‌ ରହିଛି। ଏହି ଜାଗା ଆଉଥରେ ପୁନଃଆବଣ୍ଟନ ହେବା କଥା। କିନ୍ତୁ ହୋଇ ନଥିବାରୁ ଗୋଟିଏ ଗାଡ଼ି ରହିଲେ ଆଉ ଗୋଟିଏ ବାହାରି ପାରୁନି।  ସିସିଟିଭି କାମ କରୁନି। ଏଥିପାଇଁ ଲାଗିଥିବା ମନିଟର ବିଡିଏ ଖୋଲି ନେଇଛି, ଆଉ ଲଗାଇ ନାହିଁ। ୪ଟି ବ୍ଲକ୍‌ ଛାତରୁ ପାଣି ଗଳୁଛି। ଓଭର ହେଡ୍‌ ଟାଙ୍କି ମଧ୍ୟ ଓଭରଫ୍ଲୋ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆସିବା ପରେ ବିଡିଏ ଅଧିକାରୀମାନେ ଛାନିଆ ହୋଇଛନ୍ତି। କୋଟି କୋଟି ଟଙ୍କା ଦୁର୍ନୀତି ପଦାରେ ପଡ଼ିଯିବା ଭୟରେ ସମସ୍ୟା ସମାଧାନ ପାଇଁ ଲାଗିଥିବା ଜଣାପଡ଼ିଛି।