ଭୁବନେଶ୍ବର: ଏକାଧିକ ଜାଲ୍ ୱେବ୍ସାଇଟ୍ ଖୋଲି ଚାକିରି ଓ ପୁଞ୍ଜିନିବେଶର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଥିବା ଲୁମେକ୍ସ ରିସୋର୍ସେସ୍ ମୁଖ୍ୟ ତଥା ନିର୍ଦ୍ଦେଶକ ରାଜୀବ ଲୋଚନ ଦାସକୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଛି। ଗିରଫ ପରେ ତାକୁ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହଜାର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ସୂଚନାଯୋଗ୍ୟ, ୨୦୧୯ ମସିହାରେ ରାଜୀବ ଓ ତା’ର ସହଯୋଗୀ ଡିଏଲ୍ଏଫ୍ ସାଇବର ସିଟିରେ ଲୁମେକ୍ସ ରିସର୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା ଆରମ୍ଭ କରିଥିଲେ।
ବିଭିନ୍ନ ବିଦେଶୀ ସଂସ୍ଥାର ଜାଲ୍ ୱେବ୍ସାଇଟ୍ ଖୋଲି ଅଧିକ ରିଟର୍ଣ୍ଣର ଲୋଭ ଦେଖାଇ ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତାଇବା, ଚାଇନାକୁ କ୍ରୋମ୍ ରପ୍ତାନି କରିବା, ଓଡ଼ିଶାରେ ଥିବା କେତେକ ବହୁ ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ନିଯୁକ୍ତି ଦେବା ଭଳି ଲୋଭନୀୟ ସ୍କିମ୍ ଜରିଆରେ ସଂସ୍ଥା ଲୋକଙ୍କୁ ଠକି ଆସୁଥିଲା। ଏମିତି ଉପାୟରେ ସଂସ୍ଥା ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିଲା। ଏ ସଂପର୍କରେ ଜମାକାରୀମାନେ ପ୍ରଥମେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପରେ ନିଶାରାଣୀ ମହାପାତ୍ର ନାମକ ଜଣେ ଜମାକାରୀ କୋର୍ଟର ଦ୍ବାରସ୍ଥ ହେବାରୁ ସଂସ୍ଥାର ମୁଖ୍ୟ ରାଜୀବ ଲୋଚନ ଦାସ, ପତ୍ନୀ ସୋନିଆ ତ୍ରିପାଠୀ, ହିମାଂଶୁ ଶେଖର ପାଣିଗ୍ରାହୀ, ବିମଳ କିଶୋର ପାଢ଼ୀ, ଉଷାରାଣୀ ପାଣିଗ୍ରାହୀ ପ୍ରମୁଖଙ୍କୁ ଦୁଇ ସପ୍ତାହ ମଧ୍ୟରେ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶର ୫ମାସ ପରେ ବି ପୁଲିସ ଜଣେ ହେଲେ କାହାକୁ ଗିରଫ କରିପାରି ନଥିଲା। ତେଣୁ ନିଶାରାଣୀ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଏନେଇ ଇଓଡବ୍ଲୁ କେସ୍ ନଂ-୧୧ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଇଓଡବ୍ଲୁ ରାଜୀବ ଲୋଚନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟମାନଙ୍କୁ ଗିରଫ ପାଇଁ ମାମଲାର ତଦନ୍ତ ଜାରି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି।
ଉଦ୍ବେଗର କଥା, ଏହି ସଂସ୍ଥା କୌଣସି ବାହାର ରାଜ୍ୟରୁ ଅପରେଟ୍ କରୁନଥିଲା। କମିସନରେଟ୍ ପୁଲିସର ସୁରକ୍ଷାବଳୟ ରାଜଧାନୀ ଭିତରେ ସଂସ୍ଥା ଖୋଲି ନିଜର ଠକ ସାମ୍ରାଜ୍ୟ ଚଳାଇଥିଲା। କିନ୍ତୁ ପୁଲିସ୍ ସେମାନଙ୍କୁ ଗିରଫ କରିବା ତ ଦୂରର କଥା, ଠକେଇର ଗନ୍ଧବାସ୍ନା ବି ପାଇନଥିଲା। ଏପରିକି ଥାନାରେ ଅଭିଯୋଗ ପରେ ଇନ୍ଫୋସିଟି ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଠୋସ୍ ପଦକ୍ଷେପ ନେଇ ନଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ପୁଲିସ କାହିଁକି ଅଭିଯୁକ୍ତଙ୍କୁ ବାନ୍ଧିବାରେ ବିଫଳ ହେଲା, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜାଲ୍ ୱେବ୍ସାଇଟ୍ରେ ୪୦ କୋଟି ଚଳୁ
ଭୁବନେଶ୍ବର: ଆମେରିକାର ଏକ ୱେବ୍ସାଇଟ୍କୁ ଜାଲ୍ କରି ସାଇବର ଠକ କୋଟିକୋଟି ଟଙ୍କାର ଚୂନ ଲଗାଇଥିବାର ପ୍ରମାଣ ଇଓଡବ୍ଲୁ ହାତରେ ଲାଗିଛି। ହଂକଂ ଓ ଦୁବାଇରେ ବସି ଖେଳ କରୁଥିବା ସାଇବର ଠକ ଭାରତରେ ପ୍ରାୟ ସାଢ଼େ ୩ ହଜାର ଲୋକଙ୍କୁ ଫସାଇ ୪୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। କ୍ରାଇମ୍ବ୍ରାଞ୍ଚର ଇଓଡବ୍ଲୁ ମାତ୍ର ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରିବାକୁ ସକ୍ଷମ ହୋଇଥିବା ବେଳେ କାହାକୁ ଗିରଫ କରିପାରିନାହିଁ। ତେବେ ସାଧାରଣ ଲୋକେ ଏହି ୱେବ୍ସାଇଟ୍ରୁ ଦୂରେଇ ରହିବାକୁ ଇଓଡବ୍ଲୁ ପକ୍ଷରୁ ପରାମର୍ଶ ଦିଆଯାଇଛି।
ହଂକଂ, ଦୁବାଇରେ ଖେଳୁଛି ସାଇବର ଠକ
ଫସିଛନ୍ତି ସାଢ଼େ ୩ ହଜାର, ଫ୍ରିଜ୍ ହେଲା ୧୨ଲକ୍ଷ ଟଙ୍କା
ସୂଚନାଯୋଗ୍ୟ ଯେ http://www.smsmvip.com ଏକ ଆମେରିକୀୟ ସାଇଟ୍। କିନ୍ତୁ ଏହାର ଏକ ଜାଲ୍ ୱେବ୍ସାଇଟ୍ ସାଇବର ଠକଙ୍କ ଦ୍ବାରା ସକ୍ରିୟ ରହିଛି। ତଦନ୍ତରୁ ଜଣାପଡ଼ିଛି ଯେ ଏହି ୱେବ୍ସାଇଟ୍କୁ ଠକ ହଂକଂରୁ ପରିଚାଳନା କରୁଛି। ଏହି ୱେବ୍ସାଇଟ୍ର ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ‘ମାରାଥନ ଡିଜିଟାଲ ହୋଲଡିଂ’ ନାମକ ଏକ ପୁଞ୍ଜିନିବେଶ ସଂସ୍ଥାର ୱେବ୍ସାଇଟ୍ ବୋଲି ଦର୍ଶାଇବ। ଏହି ୱେବ୍ସାଇଟ୍ ଖୋଲିବା ମାତ୍ରେ ପୁଞ୍ଜିନିବଶେକାରୀଙ୍କୁ ଆକୃଷ୍ଟ କଲା ଭଳି ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖିବାକୁ ମିଳିବ। ଯେଉଁମାନେ ଆଗ୍ରହ ଦେଖାଉଥିଲେ, ସେମାନଙ୍କୁ ୟୁଟ୍ୟୁବ୍ ଲିଙ୍କ୍ ଦିଆଯାଉଥିଲା। ପରେ ଏହାକୁ ପ୍ଲେ କରି ସ୍କ୍ରିନ୍ ସଟ୍ ଟେଲିଗ୍ରାମ୍ ଜରିଆରେ ପଠାଇବାକୁ କୁହାଯାଉଥିଲା।
ଅଧିକ ରିଟର୍ଣ୍ଣ ଲୋଭ ଦେଖାଇ ଅତି କମରେ ଦିନକୁ ହଜାରେରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜିନିବେଶ କରିବାକୁ କୁହାଯାଉଥିଲା। ଭାରତରୁ ୩୭ ଶହ ପୁଞ୍ଜିନିବେଶକାରୀ ଏହି ନକଲି ୱେବ୍ସାଇଟ୍ ମାଧ୍ୟମରେ ପ୍ରଚୁର ପୁଞ୍ଜିନିବେଶ କରୁଥିଲେ। ପ୍ରାୟ ୩ରୁ ୪ ମାସ ମଧ୍ୟରେ ୩୯ କୋଟି ୧୧ ଲକ୍ଷ ଟଙ୍କାର ଆର୍ଥିକ କାରବାର ହୋଇଥିଲା। ଯେଉଁଥିରେ ୧୧ଟି ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଥିଲା। ଏହି ସବୁ ଆକାଉଣ୍ଟ ଜରିଆରେ ପ୍ରାୟ ୮୫ ଲକ୍ଷରୁ ଊର୍ଧ୍ବ ଟଙ୍କା ଏଚ୍ଡିଏଫ୍ସି ବ୍ୟାଙ୍କର ୩ଟି ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ଏହି ଟଙ୍କାରୁ ପାଖାପାଖି ୪୨ ଲକ୍ଷ ଟଙ୍କା ଦୁବାଇରେ ଉଠାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/50-1.jpg)