ଭୁବନେଶ୍ବର: ସରକାରୀ ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ ଘଟଣାରେ ଧରାପଡ଼ିଥିବା ୨ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆଜି ଇଓଡବ୍ଲୁ ଆବେଦନ କରିଛି। ଅଭିଯୁକ୍ତଦ୍ବୟଙ୍କୁ ଜେରା କରି ରୢାକେଟ୍‌ ଓ ଠକେଇ ସଂପର୍କିତ ବହୁ ତଥ୍ୟ ପଦାକୁ ଆଣିବ ବୋଲି ଇଓଡବ୍ଲୁ ଆଶାବାଦୀ ଅଛି। ଏହି ଦୁଇଜଣଙ୍କଠାରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ଷ୍ଟାମ୍ପ, ନିଯୁକ୍ତିପତ୍ରର ନକଲ ଜବତ ହୋଇଥିବାରୁ ରୢାକେଟ୍‌‌ରେ କିଛି ସରକାରୀ ଅଧିକାରୀ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ଏହି ରୢାକେଟ୍‌ ଦ୍ବାରା କେହି ଯୁବକ/ଯୁବତୀ ସରକାରୀ ଚାକିରି ପାଇଛନ୍ତି କି ନାହିଁ, ସେ ଦିଗରେ ମଧ୍ୟ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି। ସେମାନଙ୍କ ତାଲିକା କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କୁ ଚିଠି ଲେଖାଯିବ। ଇଓଡବ୍ଲୁର ଏଭଳି ତନାଘନାକୁ ନେଇ ଏବେ ବଡ଼ବଡ଼ିଆ, ପ୍ରଭାବଶାଳୀଙ୍କ ଭିତରେ ଛନକା ପଶିଛି। ଅପରପକ୍ଷେ ରୢାକେଟ୍‌ର ଦୁଇ ମୁଖ୍ୟ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତି ଗିରଫ ହୋଇଥିବା ବେଳେ ଅନ୍ୟତମ ମୁଖ୍ୟ ଭବାନୀ ଶଙ୍କର ଦାସ ଏବେ ବି ଫେରାର୍‌ ଅଛି। ତେଣୁ ତାକୁ ଧରିବା ପାଇଁ ଇଓଡବ୍ଲୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

Advertisment

ସୂଚନାଯୋଗ୍ୟ, ସରକାରୀ ଚାକିରି କରାଇଦେବାର ଲୋଭ ଦେଖାଇ ଏହି ରୢାକେଟ୍‌ ଦୁଇ ବର୍ଷ ହେଲା ଚାକିରି ଆଶାୟୀ ଯୁବକ/ଯୁବତୀଙ୍କୁ ଠକି ଆସୁଥିଲା। ରାଜଭବନଠାରୁ ଆରମ୍ଭ କରି ଶକ୍ତି, ଶିକ୍ଷା, ଟ୍ରାଫିକ୍‌, ଅବକାରୀ, କେନ୍ଦ୍ରୀୟ ବିଦ୍ୟାଳୟ, ଆୟକର, ଏପରିକି ଲୋକସେବା ଭବନରେ ବିଭିନ୍ନ ସରକାରୀ ଚାକିରି କରାଇଦେବା ପାଇଁ କହି ଠକମାନେ ରାଜ୍ୟର ପାଖାପାଖି ୪୦୦ରୁ ଅଧିକ ଯୁବକ/ଯୁବତୀଙ୍କଠାରୁ ୧୦କୋଟି ଟଙ୍କା ଲୁଟି ନେଇଛନ୍ତି। ତେବେ ଏ ସଂପର୍କରେ ଅଭିଯୋଗ ହେବାରୁ ଇଓଡବ୍ଲୁ ତଦନ୍ତ କରି ସୋମବାର ଦିନ ରୢାକେଟ୍‌ର ଦୁଇଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଶହ ଶହ ଜାଲ୍‌ ନିଯୁକ୍ତିପତ୍ର, ସିଲେକ୍ସନ ଲିଷ୍ଟ ସମେତ ଲୋକସେବା ଭବନ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ସିଲ୍‌, ଶହଶହ ଆବେଦନପତ୍ର, ମାର୍କସିଟ୍‌, ବାୟୋଡାଟା, ପରିଚୟପତ୍ର ଆଦି ଜବତ କରିଛି। ତେଣୁ ଆଗକୁ ଏହି ରୢାକେଟ୍‌ ବିରୋଧରେ ଅଭିଯୋଗ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି।