ଭୁବନେଶ୍ବର: ସହର ଭିତରେ ଜଳାଶୟର ଗୁରୁତ୍ବକୁ ଉପଲବ୍ଧି କରି ବିଏମ୍ସି ବଡ଼ବଡ଼ ପୋଖରୀଗୁଡ଼ିକର ପୁନରୁଦ୍ଧାର କରୁଛି। ନିୟମିତ ଆବର୍ଜନା ସଫା କରିବା ସହ ଚତୁପାର୍ଶ୍ବ ଉନ୍ନତୀକରଣ କରୁଛି। ହେଲେ ଏହି ଯୋଜନା କେବଳ ଇଞ୍ଜିନିୟରମାନଙ୍କ ପାଇଁ ଲେଉଟିଆ ଶାଗ ସଦୃଶ ହୋଇଛି। ଯେତିକି ପୋଖରୀ ପୁନରୁଦ୍ଧାର ହୋଇଛି କାହାର ବି ଅବସ୍ଥା ଭଲ ନାହିଁ। ଅର୍ଦ୍ଧାଧିକ ବ୍ୟବହାର ଉପଯୋଗୀ ହୋଇ ରହି ନଥିବା ବେଳେ କେତେକରେ ନଳା ପାଣି ସିଧାସଳଖ ପଶୁଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ବିଏମ୍ସି ଏବେ ଏସ୍ଆଇସି ପାଣ୍ଠିରୁ ଖର୍ଚ୍ଚ କରି ଆଉ ୨୬ ପୋଖରୀର ଉନ୍ନତୀକରଣ କରିବାକୁ ଯୋଜନା କରିଛି।
ଭୁବନେଶ୍ବରରେ ଥିବା ୮୨ ପୋଖରୀର ଉନ୍ନତୀକରଣ ପାଇଁ ବିଏମ୍ସି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦେଇଥିଲା। ସେଥିମଧ୍ୟରୁ ସରକାର ୫୮ଟି ପୋଖରୀର ଉନ୍ନତୀକରଣ ପ୍ରସ୍ତାବ ଅନୁମୋଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୩୩ଟି ପୋଖରୀ ପାଇଁ ୧୮କୋଟି ୭୧ଲକ୍ଷ ୨୦ହଜାର ଟଙ୍କା ଅନୁମୋଦନ ମିଳିଥିଲା। ଅନୁମୋଦନ ମିଳିବା ପରେ କାମ ଆରମ୍ଭ ହୋଇଥିଲା। ‘ଆମ ପୋଖରୀ’ ନିର୍ଦ୍ଦେଶାବଳୀ ଅନୁଯାୟୀ ପୁନରୁଉଦ୍ଧାର କାର୍ଯ୍ୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ କରାଯାଉଛି। ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟାଦେଶ ୧୫ ଲକ୍ଷ ଟଙ୍କାର ରହିଥିଲା। ଏ ଯାବତ୍ ଗୋଟିଏ ହେଲେ ପୋଖରୀର କାମ ସମ୍ପୂର୍ଣ୍ଣ ହୋଇନାହିଁ। ୩୩ ପୋଖରୀ ମଧ୍ୟରୁ ୩ଟିର ଉନ୍ନୟନ କାର୍ଯ୍ୟ ୯୦ ପ୍ରତିଶତ ସଂପୂର୍ଣ୍ଣ ହୋଇଥିବା ବେଳେ ୨୦ଟିର ୫୦% ଓ ୧୦ଟିର ୩୦% ସମ୍ପୂର୍ଣ୍ଣ ହୋଇଛି। ଏଥିରେ ୯କୋଟି ୫୪ଲକ୍ଷ ୯ହଜାର ୩୨୨ଟଙ୍କା ଖର୍ଚ୍ଚ ହୋଇଛି। ବଡ଼କଥା ହେଉଛି ଏହି କାମ ତଦାରଖ ପାଇଁ ନିଯୁକ୍ତି ପାଇଥିବା ୩୮ ଜଣ ଇଣ୍ଟର୍ଣ୍ଣ ମାସକୁ ୨୯ ଲକ୍ଷ ୭୨ ହଜାର ୧୩୮ଟଙ୍କା ନେଉଛନ୍ତି।
ପୋଖରୀ ଉନ୍ନତୀକରଣରେ ବ୍ୟସ୍ତ ବିଏମ୍ସି
ନୂଆପଲ୍ଲୀ, ସୁନ୍ଦରପଦା ହଜ ଅଧାରେ ଅଟକିଛି
ତଦାରଖ ପାଇଁ ମାସକୁ ୨୯ ଲକ୍ଷ ଖର୍ଚ୍ଚ
କୌତୁହଳପ୍ରଦ ହେଉଛି ୩୩ଟି ପୋଖରୀ ମଧ୍ୟରୁ ୭ଟି ପୋଖରୀ ପାଇଁ ‘ଅମୃତ’ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପାଇଁ ବିଏମ୍ସି ନିଷ୍ପତ୍ତି ନେଇଛି। ବାକି ୨୬ଟି ପୋଖରୀ ପାଇଁ ମୁକ୍ତା, ସିଆରସି କିମ୍ବା ଏସ୍ଆଇସି ପାଣ୍ଠିରୁ ଖର୍ଚ୍ଚ କରିବାକୁ ବିଏମ୍ସି ଯୋଜନା କରିଛି। ଗୋଟିଏ ପଟେ ବିଏମ୍ସିରେ ଅର୍ଥ ନାହିଁ। ଏବେ ବିଏମ୍ସି ୩ଶହ କୋଟି ଟଙ୍କା ନିଅଣ୍ଟରେ ଚାଲିଛି। ଗୋଟିଏ ପାଣ୍ଠି ପାଇଁ ସଂରକ୍ଷିତ ଅର୍ଥ ଅନ୍ୟତ୍ର ଖର୍ଚ୍ଚ ହୋଇଥିବାରୁ ବିଏମ୍ସି ବିବାଦରେ ରହିଛି। କେତେକ ଜାଗାରେ ଖର୍ଚ୍ଚ ହୋଇଥିବା ଅର୍ଥ ଅକାରଣରେ ହୋଇଥିବାରୁ ସେ ଅର୍ଥ ଏବେ ସରକାର ଦେବେ କି ନାହିଁ ସେ ନେଇ ଦ୍ବନ୍ଦ୍ବ ରହିଛି। ଏଭଳି ସ୍ଥିତିରେ ପୋଖରୀର ବିକାଶ ନାମରେ ଖର୍ଚ୍ଚ କରି ଇଞ୍ଜିନିୟରମାନେ କମିସନ ନେବା ଯୋଜନା ହୋଇଥିବା ଅଭିଯୋଗ ହୋଇଛି। କେତୋଟି ଜ୍ବଳନ୍ତ ଉଦାହରଣ ଏହି ଅଭିଯୋଗକୁ ପ୍ରମାଣିତ କରୁଛି।
୨୦୧୭ ମସିହାରେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଓୟୁଆଇଡିଏଫ୍)ରୁ ୧୬.୮୧ କୋଟି ଖର୍ଚ୍ଚ କରାଯାଇ ସହରର ୧୪ଟି ଜଳାଶୟର ପୁନରୁଦ୍ଧାର କରାଯାଇଥିଲା। ୨୬ ଏକର ପରିମିତ ସୁନ୍ଦରପଦା ହଜ ପୋଖରୀରେ ସର୍ବାଧିକ ୫.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବଡ଼କଥା ହେଉଛି ଠିକ୍ ୫ ବର୍ଷ ପରେ ପୁଣି ଥରେ ଏଥିରେ ୫ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ହେବାକୁ ଟେଣ୍ଡର ହୋଇଥିଲା। ଠିକା ସଂସ୍ଥା କାମ ବି କରୁଥିଲା। ହେଲେ ସେ ଏବେ ଅଧାରୁ ଛାଡ଼ି ଚାଲି ଯାଇଛି। ବିଏମ୍ସି ଏହାକୁ ନୂଆ ଟେଣ୍ଡର ଡାକି ବାକି ଥିବା ଅଧା କାମ ସାରିବାକୁ ଯେଜାନା କରିଛି। ସେହିଭଳି ଚିନ୍ତାମଣୀଶ୍ବର ଫିସେରି ପଣ୍ଡ ଏଠାରେ ମଧ୍ୟ ୪ ଥରରେ ୧୦ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ହୋଇ ସାରିଲାଣି। ହେଲେ ଏଥିରେ ମଧ୍ୟ ଆଖିଦୃଶିଆ ଉନ୍ନତି ଆସିନାହିଁ। ବହୁ ବାଦ ବିବାଦ ପରେ କୋର୍ଟଙ୍କ ଆଦେଶ ବଳରେ ନୂଆପଲ୍ଲୀ ହଜରୁ ଜବରଦଖଲ ଉଚ୍ଛେଦ ହେଲା। ହେଲେ ଏହାର ଉନ୍ନତୀକରଣ କାମ ମଧ୍ୟ ଅଧାରେ ଅଟକିଛି। ଏଠାରେ ମଧ୍ୟ କୋଟି କୋଟି ଟଙ୍କା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/bmc.jpg)