ଚନ୍ଦ୍ରଶେଖରପୁର: ବଢ଼ୁଛି ରାଜଧାନୀର କଳେବର। ଅଳ୍ପ କିଛି ଅଞ୍ଚଳକୁ ନେଇ ଗଢ଼ିଉଠିଥିବା ଏହି ସହରର ପରିସୀମା ଏବେ କଟକଠୁ ଖୋର୍ଦ୍ଧା ଯାଏ ଲମ୍ବିଲାଣି। ପିପିଲି ପର୍ଯ୍ୟନ୍ତ ଲୋ‌କ ବସବାସ କଲେଣି। ଲୋକଙ୍କ ସଂଖ୍ୟା ଯେଉଁ ଭଳି ଭାବେ ପ୍ରତିବର୍ଷ ହୁ ହୁ ହୋଇ ବଢ଼ିଚାଲୁଛି, ବିଜୁଳିର ବୋଝ ମଧ୍ୟ ସେଭଳି ବୃଦ୍ଧି ପାଉଛି। ଗତ ଦେଢ଼ ଦଶନ୍ଧି ମଧ୍ୟରେ ସହରର ଲୋକ ସଂଖ୍ୟା ୭ରୁ ୮ ଲକ୍ଷ ବଢ଼ିଥିବାରୁ ବିଦ୍ୟୁତ୍ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ସେହିଭଳି ଭାବେ ବଢ଼ିଛି। ୭ ବର୍ଷ ତଳେ ସହରର ୩ଟି ବିଦ୍ୟୁତ୍ ଡିଭିଜନ୍, ଯଥା ବିସିଡିଡି (ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ୍ ଡିଭିଜନ୍)-୧, ୨ ଓ ଭୁବନେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ୍(ବିଇଡି)ରେ ବିଦ୍ୟୁତ୍ ଗ୍ରାହକଙ୍କ ସଂଖ୍ୟା ଦେଢ଼ଲକ୍ଷ ବୃଦ୍ଧି ପାଇ ଏବେ ୬ ଲକ୍ଷ ୫୦ ହଜାରରେ ପହଞ୍ଚିଛି। ଜୁନ୍‌ ସୁଦ୍ଧା

Advertisment

ଏହି ତିନିଟି ଡିଭିଜନ୍‌ରେ ୬ ଲକ୍ଷ ୨୯ ହଜାର ୧୨୬ ରହିଥିବାବେଳେ ଏବେ ତାହା ୬ ଲକ୍ଷ ୫୦ ହଜାର ନିକଟତର ହୋଇଛି। ଅନେକ ଗ୍ରାହକ ଏବେ ଆବେଦନ କରି ବିଦ୍ୟୁତ୍‌ ସଂଯୋଗ ଅପେକ୍ଷାରେ ରହିଛନ୍ତି। ତିନିଟି ଡିଭିଜନ ମଧ୍ୟରୁ ବିସିଡିଡି-୨ରେ କେବଳ ୨ ଲକ୍ଷରୁ ଅଧିକ ଗ୍ରାହକ ରହିଛନ୍ତି। ସେଥିପାଇଁ ଏହି ଅଞ୍ଚଳରେ ବିଦ୍ୟୁତ୍ ସେବାରେ ବାରମ୍ବାର ବିଭ୍ରାଟ ହେବା ସହ କର୍ମଚାରୀ ସଙ୍କଟ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗ୍ରାହକଙ୍କ ତୁଳନାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ସଙ୍ଗେ ସଙ୍ଗେ ମରାମତି କାମ ହୋଇ ପାରୁନାହିଁ। ପ୍ରତିଦିନ କେଉଁଠି ନା କେଉଁଠି ୧୧ କେଭିରେ ବିଦ୍ୟୁତ୍‌ ବିଭ୍ରାଟ ହେଉଥିବାରୁ ଗ୍ରାହକ ୨୪ ଘଣ୍ଟିଆ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବିସିଡିଡି-୨ ଅଧୀନରେ ଭୁବନେଶ୍ବରର ଅଧାରୁ ଅଧିକ ଅଞ୍ଚଳ ଆସୁଛି। ଉତ୍ତର ଭୁବନେଶ୍ବରର ଅଧିକାଂଶ ଅଞ୍ଚଳ ସମେତ ଜଟଣୀ ଓ ବାଙ୍କୀ ନିର୍ବାଚନମଣ୍ଡଳୀର କେତେକ ଅଞ୍ଚଳ ଏହି ଡିଭିଜନ ଅଧୀନରେ ରହିଛି। ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, କଳାରାହାଙ୍ଗ, ଭିଏସ୍‌ଏସ୍ ନଗର, ବାଣୀବିହାର, ଗାଡ଼କଣ, ରଙ୍ଗମାଟିଆ, ଶ୍ରୀବିହାର, ବାରଙ୍ଗ, ଗୋଡ଼ିସାହି, ସିଆଇଏସ୍‌ଏଫ୍, ମୁଣ୍ଡୁଳି, କଣ୍ଟାବାଡ଼, ଡେରାସ, ପାତ୍ରପଡ଼ା, ନାରଗଦା, ପିତାପଲ୍ଲୀ, ବରମୁଣ୍ଡା, ଖଣ୍ଡଗିରି, ଏମ୍ସ, ସିଜୁଆ, ନୟାପଲ୍ଲୀ, ସିଆର୍‌ପି ଅଞ୍ଚଳ, ସରକନ୍ତରା ଆଦି ଅଞ୍ଚଳ ଏଥିରେ ରହୁଛି।

ଉଭୟ ଗ୍ରାହକ ସଂଖ୍ୟା ଓ ଦୁର୍ଦ୍ଦଶା ବଢ଼ୁଛି
ଶକ୍ତିମନ୍ତ୍ରୀଙ୍କ କଥା ଗୋଟିଏ, କାମ ଆଉ ଗୋଟେ
ନୂତନ ସଂଯୋଗ ଅପେକ୍ଷାରେ ହଜାର ହଜାର
କର୍ମଚାରୀ ସଙ୍କଟ

ଏସବୁ ଅଞ୍ଚଳରେ ଅଧିକ ଶିଳ୍ପ ସଂସ୍ଥା, ହସ୍‌ପିଟାଲ ଆଦି ରହୁଥିବାରୁ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ଲୋକେ ଦୈନିକ ୮ରୁ ୧୦ ଘଣ୍ଟା ଧରି ଅନ୍ଧାରରେ ରହୁଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ ଦେବ କହୁଛନ୍ତି- ବିଦ୍ୟୁତ୍‌ ଟ୍ରିପ୍‌ ହୋଇଛି। ତେବେ ଟ୍ରିପ୍‌ ହେଲେ ୧୦ ମିନିଟ୍‌ରେ ମରାମତି ହେବା କଥା, ମାତ୍ର ତାହାକୁ କାର୍ଯ୍ୟକାରୀ କରା ଯାଉନାହିଁ। ଏହାର ସଦ୍ୟତମ ଉଦାହରଣ ଗତ ୧୦ ତାରିଖରେ ବିସିଡିଡି-୨ ଅଧୀନ ଭରତପୁର ସେକ୍ସନରେ ଦେଖିବାକୁ ମିଳିଛି। ସକାଳ ୮ଟା ୨୫ରୁ ବିଦ୍ୟୁତ୍‌ କଟିଥିଲା ଯେ ସନ୍ଧ୍ୟ୍ୟା ୭ଟା ୪୫ରେ ଆସିଲା। ଗତକାଲି ମଧ୍ୟ ପୂର୍ବାହ୍ନ ୩ଟା ୩୦ରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଭ୍ରାଟ ଘଟିଥିଲା। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏହା କେବଳ ରାଜଧାନୀର ଭରତପୁର ସେକ୍ସନର ଚିତ୍ର। ସାରା ଭୁବନେଶ୍ବରରେ ଉଣାଅଧିକ ସମାନ ଚିତ୍ର।

ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ମଧ୍ୟାହ୍ନ ୧୨ଟା ୪୫ରେ ବିଜୁଳି ଗଲା ଯେ ୩ଟାରେ ଆସିଲା। ୧୯୧୨କୁ ଫୋନ୍‌ କରିବା କ୍ଷଣି ଗ୍ରାହକଙ୍କୁ ଉତ୍ତର ମିଳିଲା- ୧୧ କେଭିରେ ଟ୍ରିପ୍‌ ହୋଇଛି। କେତେବେଳେ ଆସିବ ପଚାରିବାରୁ ଉତ୍ତର ଆସିଲା- ୩ଟା ଭିତରେ ନ ଆସିଲେ ଆଉଥରେ ଫୋନ୍‌ କରିବେ। ଭିତ୍ତିଭୂମି ସହ କର୍ମଚାରୀ ଅଭାବ ଏବେ ସହରବାସୀଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ଓଇଆରସି ନିୟମ ଅନୁଯାୟୀ ୨୦୦ ଗ୍ରାହକଙ୍କ ପାଇଁ ଜଣେ ହେଲ୍‌ପର ଓ ଲାଇନ୍‌ମ୍ୟାନ୍‌ ରହିବା କଥା। ପ୍ରତି ୩ରୁ ୪ ହଜାର ଗ୍ରାହକରେ ଗୋଟିଏ ମେଟେନାନ୍ସ ଗାଡ଼ି (୪ଚକିଆ) ଦରକାର। ମାତ୍ର ବିସିଡିଡି-୨ରେ ତାହା ପାଳନ ହେଉନାହିଁ। ଯେଉଁଠି ୩୦ ହଜାର ଗ୍ରାହକ ରହିଛନ୍ତି, ସେଠାରେ ମେଟେନାନ୍ସ ପାଇଁ ଗୋଟିଏ ଓ ରାଜସ୍ବ ଆଦାୟ ଲାଗି ୩ଟି ଗାଡ଼ି ରହୁଛି। ୫-ଟି ଅଧୀନ ‘ମୋ ବିଦ୍ୟୁତ୍‌’ରେ ଲୋକଙ୍କୁ ତତ୍କାଳ ସେବା ଯୋଗାଇବାକୁ ଗ୍ରାହକଙ୍କଠାରୁ ଅର୍ଥ ନିଆଯାଉଛି। ମାତ୍ର ୩ ମାସ ବିତିଯାଉଥିଲେ ମଧ୍ୟ ଲୋକଙ୍କ ନିକଟରେ ସେବା ପହଞ୍ଚିପାରୁ ନ ଥିବା ଅଭିଯୋଗ ହେଉଛି।