ମଦ ପାଇଁ ଡହଳ ବିକଳ, ଚୁଲିକୁ ଗଲା ସାମାଜିକ ଦୂରତ୍ୱ

ଭୁବନେଶ୍ୱର : ସମୟ ସକାଳ ପାଖାପାଖି ୮ଟା। ଦୋକାନ ଖୋଲି ନଥିଲା, କିନ୍ତୁ ପାଖାପାଖି ୧୦୦ରୁ ଊର୍ଧ୍ବ ଲୋକ ଆଖପାଖରେ ଚକ୍କର୍‌ କାଟୁଥିଲେ। ଆଉ କିଛି ଅଳ୍ପ ଦୂରରେ ଗାଡ଼ି ଉପରେ ବସି ରହି ହାତ ଘଣ୍ଟାକୁ ବାରମ୍ବାର ଅନାଉଥିଲେ। ମଝିରେ ମଝିରେ ସେମାନଙ୍କ ଡାହାଳିଆ ଆଖି ବୁଲି ଯାଉଥିଲା ଦୋକାନ ଉପରେ। ଦୀର୍ଘ ଦେଢ଼ ଘଣ୍ଟାର ପ୍ରତୀକ୍ଷାର ଅନ୍ତ ଘଟିଲା। ପାଖାପାଖି ସାଢ଼େ ୯ଟା ବେଳକୁ ଦୋକାନ ଖୋଲିଲା। ସଟର୍‌ ଖୋଲୁ ଖୋଲୁ ଯିଏ ଯୁଆଡ଼େ ଥିଲେ, କୁରୁଳି ଉଠିବା ସହ କିଳିକିଳା ରଡ଼ି ସହ ଡିଆଁ ମାରି ମାରି ଗଦା ହୋଇଗଲେ ସଟର୍ ସମ୍ମୁଖରେ। ସତେଯେମିତି ଦୀର୍ଘ ଦିନ ହେଲା ଶୋଷରେ ଥିଲେ। ଯିଏ ପସନ୍ଦର ବ୍ରାଣ୍ଡ ପାଉଥିଲା, ସେ ଗଡ଼ ଜିତିବା ଭଳି ଭିଡ଼ ଭିତରୁ ଠେଲିପେଲି ଛାତି ଫୁଲାଇ ବାହାରି ଆସୁଥିଲା। ଅନ୍ୟମାନେ ପାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ। ହେ‌ଲେ ଅଧିକ ସମୟ ଏ ଖୁସି ରହିଲା ନାହିଁ। ପୁଲିସ ଆସି ଗୋଡ଼ାଇ ଗୋଡ଼ାଇ ପିଟିଲା। ଲାଠି ମାଡ଼ରେ ଛତ୍ରଭଙ୍ଗ ‌ଦେଲେ। କିନ୍ତୁ ବେଶୀ ଦୂର ଗଲେ ନାହିଁ। ଅନତି ଦୂରରେ ଛକି ରହିଲେ। ପୁଲିସ ଯିବା ପରେ ସେମାନେ ପୁଣି ଦୋକାନ ଆଡ଼କୁ ମାଡ଼ି ଆସିଲେ। ବୋହି ନେଇଗଲେ ମନ ପସନ୍ଦର ମଦ। ଦିନତମାମ ଏମିତି ଛକାପଞ୍ଝା ଲାଗି ରହିଥିଲା। ଏମିତି ଥିଲା ଆଜି ରାଜଧାନୀର ପ୍ରାୟ ସବୁ ମଦ ଦୋକାନ ସମ୍ମୁଖର ଚିତ୍ର।

ଦିନକରେ ବେପାର କୋଟିଏ!
‌‌‌‌ଦୋକାନ ଖୋଲିଲେ ସାମାଜିକ ଦୂରତା ରହିବ ନାହିଁ। ତେଣୁ ଅନ୍‌ଲାଇନ୍‌ରେ ମଦ ଯୋଗାଇବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ସରକାର ଜାରି କରିଥିବା ଦୋକାନୀଙ୍କ ମୋବାଇଲ ନମ୍ବରରୁ ୭୫ ପ୍ରତିଶତରୁ ଅଧିକ ନମ୍ବର କାମ କରୁ ନଥିବାରୁ ମଦ ପାଇଁ ବିକଳ ଲୋକ ଆଉ ସମ୍ଭାଳି ଘରେ ରହି ପାରିନଥିଲେ। ହୋମ୍‌ ଡେଲିଭରିକୁ ଅପେକ୍ଷା ନ କରି ସିଧା ଆସି ଦୋକାନ ଦୁଆର ମୁହଁରେ ପହଞ୍ଚିଥିଲେ। ଫଳରେ ସାମାଜିକ ଦୂରତା ପ୍ରହସନ ପାଲଟି ଯାଇଥିଲା। ଅନେକଙ୍କ ମୁହଁରେ ମାସ୍କ ମଧ୍ୟ ନଥିଲା। ପରିସ୍ଥିତି ଏଭଳି ହେଲା ଯେ ପୁଲିସ ବଳପ୍ରୟୋଗ କରି ଅନେକ ଦୋକାନକୁ ବନ୍ଦ କରିଥିଲା। ଏଭଳି ପରିସ୍ଥିତିରେ ଅତିଷ୍ଠ ହୋଇ ମଦ ବ୍ୟବସାୟୀ ସଂଘ ଡିସିପି ଓ ଅବକାରୀ ଅଧୀକ୍ଷକଙ୍କୁ ଭେଟିଥିଲେ। ପରେ ସମସ୍ତ ଦୋକାନ ସମ୍ମୁଖରେ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଆଜି ଗୋଟିଏ ଦିନରେ ଭୁବନେଶ୍ବର ଓ ଉପକଣ୍ଠରେ ପାଖାପାଖି କୋଟିଏ ଟଙ୍କାର ମଦ ବିକ୍ରି ହୋଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

ବିଲ୍‌ ନାହିଁ, ଯେମିତି ପାରିଲେ ଲୁଟିଲେ
ହୋମ୍‌ ଡେଲିଭରି ପାଇଁ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ ଗ୍ରାହକ ଦୋକାନ ପାଖରେ ପହଞ୍ଚି ଯାଇଥିବାରୁ ସେହିଠାରେ ହିଁ ବେପାର ହୋଇଥିଲା। ଦୋକାନୀ ବାହାରକୁ ଆଣି ଡେଲିଭରି କରିଥିଲା। ଦୋକାନ ବାହାରେ ଦେବା ପାଇଁ ସର୍ବନିମ୍ନ ଡେଲିଭରି ଚାର୍ଜ ଶହେ ଟଙ୍କା ନେଉଥିଲା। ସର୍ବାଧିକ ଖାଉଟି ଦରଠାରୁ ଅଧିକ ଟଙ୍କା ମଧ୍ୟ ନିଆଯାଇଥିଲା। ବିଧିବଦ୍ଧ ବିଲ୍‌ ବ୍ୟବସ୍ଥା ନଥିବାରୁ ଯିଏ ଯେମିତି ପାରିଲା, ଲୁଟିଥିଲା। ଦୋକାନ ପାଖରେ ଦଲାଲ ଛିଡ଼ା ହୋଇ ଏହି ଡେଲିଭରି ଚାର୍ଜ ନେବା ସହ ଏମ୍‌ଆରପିରୁ ଅଧିକ ଦାବି କରୁଥିଲା। ମଦ ପାଇଁ ଡହଳବିକଳ ହେଉଥିବା ଲୋକ ବୋତଲଟିଏ ପାଇଗଲା ପରେ ଦର ଉପରେ ବି ପ୍ରଶ୍ନ କରୁନଥିଲା।

ପାଚେରି ଡେଇଁଲେ, ୫ ଘଣ୍ଟା ଛିଡ଼ା ହେଲେ
ରାଜଧାନୀରେ ଏଭଳି କିଛି ମଦ ଦୋକାନ ଅଛି, ଯାହାର ପାଚେରି ମଣିଷ ଉଚ୍ଚା। ତେଣୁ ମୁଖ୍ୟ ଗେଟ୍‌ ଛଡ଼ା ପରିସର ଭିତରକୁ ପଶିବା ପାଇଁ ଅନ୍ୟ କୌଣସି ବାଟ ନାହିଁ। କିନ୍ତୁ କିଛି ଗ୍ରାହକ ପାଚେରି ଡେଇଁ ମଦ ଦୋକାନ ପରିସରକୁ ପଶି ଯାଇଥିଲେ। ସେହିପରି ଲୋକଙ୍କ ହାଉଜାଉ ଭିତରେ ପଶି ନପାରି କିଛି ଲୋକ ମଦ ଦୋକାନ ଆଗରେ ସକାଳ ୮ଟାରୁ ଦିନ ୩ଟା ଯାଏଁ ଜଗି ବସି ରହିଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର